ରାଉରକେଲା: ତୃତୀୟ ରେଳଲାଇନ୍‌ ପାଇଁ ଏସ୍‌ଟିଆଇ ଓଭରବ୍ରିଜ୍‌ ନିକଟରେ ବସ୍ତି ଉଚ୍ଛେଦକୁ ନେଇ ରେଳବାଇ ଅଧିକାରୀ ଓ ବସ୍ତିବାସିନ୍ଦା ମୁହାଁମୁହିଁ ହୋଇଛନ୍ତି। ବୁଧବାର ପୁଲିସ ଓ ରେଳବାଇ ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା। ହଠାତ୍‌ ବସ୍ତିର କିଛି ଲୋକ ପହଞ୍ଚି ଉଚ୍ଛେଦକୁ ବନ୍ଦ କରିଥିଲେ। ଜେସିବିକୁ ଆଗକୁ ବଢ଼ିବାକୁ ଦେଇ ନଥିଲେ।

Advertisment

ଯାହାକୁ କେନ୍ଦ୍ରକରି ରେଳବାଇ ଅଧିକାରୀ ଓ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଖବରପାଇ ରାଉରକେଲା ବିଧାୟକ ସାରଦା ନାୟକ ଓ ତାଙ୍କର କିଛି ସମର୍ଥକ ପହଞ୍ଚି ରେବଳାଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଯେ ପର୍ଯ୍ୟନ୍ତ ବସ୍ତିବାସିନ୍ଦାଙ୍କୁ ଥଇଥାନ କରାନଯାଇଛି, ସେ ପର୍ଯ୍ୟନ୍ତ ବସ୍ତି ଉଚ୍ଛେଦ ହୋଇପାରିବ ନାହିଁ ବୋଲି ଅଧିକାରୀଙ୍କୁ କହିଥିଲେ। ଶେଷରେ ରେଳବାଇ ଅଧିକାରୀ ଉଚ୍ଛେଦ କାମକୁ ବନ୍ଦ କରି ଘଟଣାସ୍ଥଳରୁ ଚାଲିଯାଇଥିଲେ।

ସୂଚନାଯୋଗ୍ୟ, ଝାରସୁଗୁଡ଼ା-ବନ୍ଧମୁଣ୍ଡା ନିର୍ମାଣଧୀନ ତୃତୀୟ ରେଳଲାଇନ୍‌ ରାଉରକେଲାରେ ଅଟକିଛି। ଚିହ୍ନଟ ବସ୍ତିଗୁଡ଼ିକ ଉଚ୍ଛେଦ ହୋଇପାରୁ ନ ଥିବାରୁ ତୃତୀୟ ଲାଇନ୍‌ କାମ ଆଗେଇ ପାରୁନି। ଚିହ୍ନଟ ହୋଇଥିବା ବସ୍ତିର ଘରଗୁଡ଼ିକୁ ଖାଲି କରିବାକୁ  ରେବଳାଇ ପକ୍ଷରୁ ଏକାଧିକବାର ନୋଟିସ୍‌ ଦିଆଯାଇଛି।

କେବଳ ମାଲଗୋଦାମର ଗୋଟିଏ ବସ୍ତିକୁ ବାଦ୍‌ ଦେଲେ, ଆଜି ପର୍ଯ୍ୟନ୍ତ ଅନ୍ୟବସ୍ତି ଗୁଡ଼ିକ ଖାଲି ହୋଇପାରିନି। ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳଲାଇନରୁ ଉଭୟ ପାର୍ଶ୍ବରେ ୮୦ ଫୁଟ୍‌ ପର୍ଯ୍ୟନ୍ତ ଖାଲି କରିବାକୁ ଚିହ୍ନଟ କରାଯାଇଛି। ବିଗତ ଦିନରେ ଏହା ୬୫ ଫୁଟ୍‌କୁ ହ୍ରାସ କରାଯାଇଥିଲା। ସେମିତି ବସ୍ତି ଉଚ୍ଛେଦ ପ୍ରତିବାଦରେ କିଛି ବସ୍ତିବାସିନ୍ଦା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ଶେଷରେ ନ୍ୟାୟାଳୟ ରେଳବାଇ ସପକ୍ଷରେ ରାୟ ଦେଇଥିଲେ।