ଝାରସୁଗୁଡ଼ା: ନିର୍ମାଣ, ଉଦ୍‌ଘାଟନ ଓ ତତ୍‌ପରବର୍ତ୍ତୀ ସ୍ଥିତିକୁ ନେଇ ବିବାଦ ଘେରରେ ଛନ୍ଦି ହୋଇଯାଇଥିବା ଝାରସୁଗୁଡ଼ାର ନୂତନ ବସ୍ ଟର୍ମିନାଲ ଏବେ ପୁଣି ଏକ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଛି। ଲୋକଙ୍କ ଟଙ୍କାରେ ଓ ଲୋକଙ୍କ ସୁବିଧା ପାଇଁ ନିର୍ମାଣ ହେଉଥିବା ସ୍ଥାନକୁ ବ୍ୟକ୍ତିଗତ ସମ୍ପତ୍ତି ଭାବେ ଜିଲ୍ଲା ପ୍ରଶାସନ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ସ୍ମାର୍ଟ ପାର୍କରେ ପ୍ରବେଶରୁ ନେଇ ପିଲାଙ୍କ ଖେଳିବା ଯାଏ ଟିକଟ କରାଯିବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଏବେ ପୁଣି ବସ୍‌ଷ୍ଟାଣ୍ଡ ଭିତରକୁ ଗାଡ଼ି ନେଇ ପ୍ରବେଶ ସମୟରେ ବି ଲୋକଙ୍କୁ ଗାଡ଼ି ପିଛା ଶୁଳ୍କ ଦେବାକୁ ପଡୁଛି। ଶୁଳ୍କ ଭୟରେ ଅଟୋ ଚାଳକ ବି ଟର୍ମିନାଲ ମୁଖ୍ୟ ଫାଟକ ସମ୍ମୁଖରେ ଓହ୍ଲାଇ ଦେଇ ଚାଲି ଯାଉଥିବାରୁ ଯାତ୍ରୀଙ୍କୁ ପ୍ରାୟ ୫ ଶହ ମିଟର ଚାଲି ଚାଲି ବସ୍ ନିକଟକୁ ଯିବାକୁ ପଡୁଛି। ଏଭଳି ସ୍ଥିତିରେ କୌଣସି ଦିବ୍ୟାଙ୍ଗ କି ବୃଦ୍ଧ ବ୍ୟକ୍ତି ବସ୍‌ଷ୍ଟାଣ୍ଡକୁ ଆସିଲେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଘଟଣା ସମ୍ପର୍କରେ ଜିଲ୍ଲା ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଢିଙ୍କୁ ପଚାରିବାରେ, ପିକ୍ ଆଣ୍ଡ ଡ୍ରପ୍ ପାଇଁ କୌଣସି ଫି’ ନେବା କଥା ନୁହେଁ ବୋଲି କହିଛନ୍ତି।

Advertisment

ଅଭିଯୋଗ ଅନୁସାରେ, ଝାରସୁଗୁଡ଼ା ସହରର ଆଇନଜୀବୀ ଚିତ୍ତରଞ୍ଜନ ବେହେରା ଜଣେ ସହକର୍ମୀଙ୍କୁ ଛାଡ଼ିବାକୁ ବସ୍ ଟର୍ମିନାଲକୁ ଯାଇଥିଲେ। କିନ୍ତୁ ଟର୍ମିନାଲ ଭିତରକୁ ବାଇକ୍ ନେବା ବେଳେ ସେଠାରେ କାର୍ଯ୍ୟରତ ସୁରକ୍ଷାକର୍ମୀ ତାଙ୍କୁ ବାଇକ୍ ପୂରାଇବା ବାବଦ ଫି’ ଦେବାକୁ ହେବ ବୋଲି କହିଥିଲେ। ତେବେ ଭିତରକୁ ଯାଇ ସଙ୍ଗେ ସଙ୍ଗେ ଫେରିବାକୁ କାହିଁକି ଫି’ ଦେବାକୁ ହେବ ବୋଲି ପଚାରିବାରୁ ସୁରକ୍ଷାକର୍ମୀ ଆଦୌ ରାଜି ହୋଇନଥିଲେ। ଶେଷରେ ଶ୍ରୀ ବେହେରା ୧୨ ଟଙ୍କାର ରସିଦ୍ କାଟି ଭିତରକୁ ଯାଇଥିଲେ। ତାହା ପୁଣି ମାତ୍ର ୧ ମିନିଟ୍ ୫୯ ସେକେଣ୍ଡ ପାଇଁ। ଏହା କେବଳ ଜଣଙ୍କ କ୍ଷେତ୍ରରେ ନୁହେଁ ବରଂ ବସ୍‌ଷ୍ଟାଣ୍ଡକୁ ଯାଉଥିବା ପ୍ରତି ଯାତ୍ରୀ ଅନୁରୂପ ଅଭିଯୋଗ ଆଣୁଛନ୍ତି। ଟର୍ମିନାଲର ମୁଖ୍ୟ ଫାଟକରୁ ବସ୍ ରହୁଥିବା ସ୍ଥାନ ଯାଏ ଲୋକଙ୍କୁ ଚାଲି ଚାଲି ଯିବାକୁ ପଡୁଥିବା ବେଳେ ଜିଲ୍ଲା ପ୍ରଶାସନ କାହିଁକି ବ୍ୟାଟେରୀ ଗାଡ଼ିର ବ୍ୟବସ୍ଥା କରୁନାହିଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ସୂଚନାନୁସାରେ, ବସ୍‌ଷ୍ଟାଣ୍ଡ ପରିଚାଳନା ଦାୟିତ୍ବ ନେଇଥିବା ସଂସ୍ଥା ପକ୍ଷରୁ ୨ ଘଣ୍ଟା ଭିତରେ ରହୁଥିବା ବାଇକ୍ ପିଛା ୧୦-୧୨ ଟଙ୍କା, ୧୨ ଘଣ୍ଟା ରହିଲେ ୧୫ ଟଙ୍କା ନିଆଯାଉଥିବା ବେଳେ କାର୍ କିମ୍ବା ଅଟୋ ୨ ଘଣ୍ଟା ରହିଲେ ୩୦ ଟଙ୍କା ଲେଖାଏ ନେଉଥିବା ଜଣାପଡ଼ିଛି।

ପଶିପାରୁନି ସିଟି ବସ୍

ଝାରସୁଗୁଡ଼ା ନୂତନ ବସ୍ ଟର୍ମିନାଲକୁ ସିଟି ବସ୍ କି ଓଏସ୍ଆର୍‌ଟିସି ବସ୍‌ ପୂରାଇ ଦିଆଯାଉନଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି। ଭିତରକୁ ପଶି ନ ପାରି ସିଟି ବସ୍ ଟର୍ମିନାଲ ବାହାରେ ଯାତ୍ରୀଙ୍କୁ ଛାଡ଼ି ଫେରୁଥିବା ବେଳେ ଓଏସ୍ଆରଟିସି ବସ୍‌ର ମଧ୍ୟ ଅନୁରୂପ ଦଶା। କେବଳ ସେତିକି ନୁହେଁ ବସ୍‌ଷ୍ଟପ୍‌ଗୁଡ଼ିକରେ ବି ସରକାରୀ ବସ୍ ଓ ସିଟି ବସ୍ ଯାତ୍ରୀ ଉଠାଇବାରେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜିଲ୍ଲା ପରିବହନ ଅଧିକାରୀ ଶ୍ରୀ ଶୁଣ୍ଢିଙ୍କୁ ପଚାରିଥିଲେ ହେଁ ସେ କୌଣସି ଉତ୍ତର ଦେଇନଥିଲେ।