ଝାରସୁଗୁଡ଼ା: ‘ସମସ୍ତଙ୍କ ସହଯୋଗରେ ଏହି ବସଷ୍ଟାଣ୍ଡ ରାଜ୍ୟର ସର୍ବାତ୍କୃଷ୍ଟ ବସ୍‌ଷ୍ଟାଣ୍ଡ ହେବ। ଏକ ଝାରସୁଗୁଡ଼ା ଶ୍ରେଷ୍ଠ ଝାରସୁଗୁଡ଼ାର ନିର୍ମାଣ କାମ ଆରମ୍ଭ ହୋଇସାରିଛି। ଏହି ଯାତ୍ରା ଜାରି ରହିବ। ବିକାଶ ଆକାଶଛୁଆଁ ହେବ।’ ରବିବାର ବାଲିଜୋରୀଠାରେ ନୂତନ ବସ ଟର୍ମିନାଲର ଶୁଭାରମ୍ଭ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରଗଡ଼ ସାଂସଦ ସୁରେଶ ପୂଜାରୀ ଏଭଳି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଧାୟିକା ଦୀପାଳି ଦାସ ଝାରସୁଗୁଡ଼ା ବିକାଶର ଏହା ହେଉଛି ନୂଆ ପୃଷ୍ଠା ବୋଲି କହିଥିଲେ। ପର୍ଯ୍ୟାୟକ୍ରମେ ସହରର ପ୍ରମୁଖ ସ୍ଥାନମାନଙ୍କରେ ଯାତ୍ରୀମାନଙ୍କ ପାଇଁ ସେଡ୍‌ର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ବିଧାୟିକା ସୁଶ୍ରୀ ଦାସ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ, ଏସ୍‌ପି ସ୍ମିତ୍‌ ପରମାର ପୁରୁଷୋତ୍ତମ, ଝାରସୁଗୁଡ଼ା ଜିଲ୍ଲା ପରିଷଦ ସଭାପତି ତୁଳାବତୀ ମିଞ୍ଜ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତପିରାମ ମାଝୀ ଓ ପୌର ପରିଷଦ ଅଧ୍ୟକ୍ଷା ରାନୀ ହାତୀ ମଞ୍ଚାସୀନ ଥିଲେ। ଆର୍‌ଟିଓ ଦୀନବନ୍ଧୁ ଶୁଣ୍ଢି ଧନ୍ୟବାଦ ଦେଇଥିଲେ।

Advertisment

ତେବେ ସକାଳୁ ବହୁ ଆଡ଼ମ୍ବରେ ଉଦ୍‌ଘାଟନ ହୋଇଥିବା ଏହି ବସ୍‌ଷ୍ଟାଣ୍ଡରେ ରାତିରେ ତାଲା ଝୁଲୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। ବସଷ୍ଟାଣ୍ଡ ଭିତରେ ପୂର୍ବଭଳି ଖାଁ ଖାଁ ସ୍ଥିତି। ଗୋଟିଏ ବି ବସ୍‌ ନାହିଁ କି ଜଣେ ହେଲେ ବି ଯାତ୍ରୀ ନାହାନ୍ତି। ସେପଟେ, ବସ୍‌ ପାଇଁ ଟର୍ମିନାଲକୁ ଯାଉଥିବା ଯାତ୍ରୀ ଅସନ୍ତୁଷ୍ଟ ହୋଇ ଫେରି ଆସିଥିଲେ। ଅପରପକ୍ଷେ, ଏହି ରାସ୍ତା ଦେଇ ଭାରୀଯାନ ଚଳାଚଳ ବନ୍ଦ ହେବାକୁ ଥିବା ବେଳେ ରାତି ୮ଟା ବେଳକୁ ଶହ ଶହ କୋଇଲା ଗାଡ଼ି ବସ୍‌ଷ୍ଟାଣ୍ଡ ରାସ୍ତାରେ ଯିବାଆସିବା କରୁଥିବା ଦେଖିବାକୁ ମିଳିଛି। ତେବେ ଭାରୀଯାନ ଚଳାଚଳ ପାଇଁ ନିର୍ମାଣ ହେଉଥିବା ବିକଳ୍ପ ରାସ୍ତାରେ ଗାଡ଼ି ଗଡ଼ି ନଥିବାରୁ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ପାରିନଥିବା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶୁଣ୍ଢି କହିଛନ୍ତି।

ଆଜି ଅତିଥିମାନଙ୍କ ଉପସ୍ଥିତିରେ ଫିତା କାଟି ବସ୍‌ ଟର୍ମିନାଲର  ପୁନଃ ଉଦ୍‌ଘାଟନ କରାଯାଇଥିଲା। ଏହାପରେ ପୁରୁଣା ବସ୍‌ଷ୍ଟାଣ୍ଡରେ ଥିବା ପୁଲିସ ସହାୟତା କେନ୍ଦ୍ର ମଧ୍ୟ ଏଠାକୁ ସ୍ଥାନାନ୍ତର ହୋଇଥିଲା। କାର୍ଯ୍ୟକ୍ରମ‌ ଶେଷରେ ଅତିଥି ଭାବେ ପତାକା ଦେଖାଇ ବସ୍‌ଗୁଡ଼ିକର ଚଳାଚଳ ଏଠାରୁ ଆରମ୍ଭ କରିଥି‌ଲେ। ୨୦୧୦ରୁ ବ୍ୟୟ ଅଟ୍ଟକଳ ଓ ୨୦୧୪ ମସିହାରୁ ଏହି ବସ୍‌ ଟର୍ମିନାଲର ନିର୍ମାଣ କାମ ଆରମ୍ଭ ହୋଇଥିଲା। ସେତେବେଳେ ୧୦ କୋଟି ୫୦ ଲକ୍ଷ ଟଙ୍କାର ବ୍ୟୟ ଅଟ୍ଟକଳ ହୋଇଥିବା ବେଳେ ଏକ ଘରୋଇ ସଂସ୍ଥା କାମ ନେଇଥିଲା। ସମସ୍ତ ଟଙ୍କା ବେଦାନ୍ତ ଓ ଏମ୍‌ସିଏଲ୍‌ ନିଜର ସିଏସ୍‌ଆର ପାଣ୍ଠିରୁ ଦେବାର ଥିଲା। କିନ୍ତୁ ବେଦାନ୍ତ ୨ କୋଟି ଓ ଏମ୍‌ସିଏଲ୍‌ ୫ କୋଟି ଟଙ୍କା ଦେଇଥିବା ବେଳେ ୭ କୋଟି ଟଙ୍କା ସରିଯିବାରୁ କାମ ନେଇଥିବା ବାଲାଜୀ କମ୍ପାନି ଅଧାରୁ ଚାଲିଯାଇଥିଲା। ୨୦୧୮ ମସିହାରେ ପୁଣିଥରେ କାମ ଆଗକୁ ନେବାକୁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଥିଲା। ବଳକା ୩ କୋଟି ୫୦ ଲକ୍ଷ ବଦଳରେ ୫ କୋଟି ୯୦ ଲକ୍ଷ ଟଙ୍କାର ଅଟ୍ଟକଳ ହୋଇଥିଲା। କାମ ବି ଆରମ୍ଭ ହୋଇଥିଲା। କିନ୍ତୁ ତଥାପି ବି ଟଙ୍କା ନିଅଣ୍ଟ ପଡ଼ିବାରୁ ଜିଲ୍ଲା ଖଣିଜ ପାଣ୍ଠିରୁ ୭ କୋଟି ୮୮ ଲକ୍ଷ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ୨୦୨୧ ମସିହାରୁ ଏହାର ନିର୍ମାଣ କାମ ଶେଷ ହୋଇଥିବା ବେଳେ ସେହିବ‌ର୍ଷ ନଭେମ୍ବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଏହାର ଉଦ୍‌ଘାଟନ କରିଥିଲେ। କିନ୍ତୁ ପରିଚାଳନା ସଂସ୍ଥା ମିଳୁ ନଥିବାରୁ ବସ୍ ଟର୍ମିନାଲ କାର୍ଯ୍ୟକ୍ଷମ ନହୋଇ ପଡ଼ି ରହିଥିଲା।

ଯାତ୍ରୀଙ୍କ ପାଇଁ ରହିଥିବା ସୁବିଧା...

ଅତ୍ୟାଧୁନିକ ଶୈଳୀରେ ନିର୍ମିତ ଏହି ନୂଆ ବସ୍‌ଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ୧୩ଟି ଶୌଚାଳୟ, ଯାତ୍ରୀ ବିଶ୍ରାମଗୃହ, ପାନୀୟ ଜଳ, କାଫେଟେରିଆ ରହିଛି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଠାରେ ଏକ ପୁଲିସ ଫାଣ୍ଡି ମଧ୍ୟ କରାଯାଇଛି। ବସ୍‌ଷ୍ଟାଣ୍ଡ ମଧ୍ୟରେ ଫୁଡ୍‌ କୋର୍ଟ ରହିଥିବା ବେଳେ ଖାଦ୍ୟ ସାମଗ୍ରୀ ବିକ୍ରି ପାଇଁ ୮ଟି ଦୋକାନ ଓ ଅନ୍ୟ ଦୋକାନୀଙ୍କ ପାଇଁ ୮ଟି ଷ୍ଟଲ୍‌ ରହିଛି। ବସ କର୍ମଚାରୀଙ୍କ ପାଇଁ ମଧ୍ୟ ବିଶ୍ରାମଗୃହ ସାଙ୍ଗକୁ ବସ ମରାମତି ପାଇଁ ସ୍ବତନ୍ତ୍ର ୱାର୍କସପ୍‌ର ବି ବ୍ୟବସ୍ଥା ରହିଛି।

ଚର୍ଚ୍ଚାରେ କାକି- ଭଉଣୀ ଉପାଖ୍ୟାନ

ଆଜି ନୂତନ ବସ୍‌ ଟର୍ମିନାଲ ଶୁଭାରମ୍ଭ ଅବସରରେ ମଞ୍ଚ ଉପରେ ଅତିଥିଙ୍କ ଭାଷଣ ସମୟରେ କାକି- ଭଉଣୀ ଉପାଖ୍ୟାନ ବେଶ୍‌ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା। ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ତାଙ୍କ ବକ୍ତବ୍ୟରେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କୁ ନିଜର କାକି (କାକା ସ୍ବର୍ଗତ କିଶୋର ମହାନ୍ତିଙ୍କ ସ୍ତ୍ରୀ) ବୋଲି ସମ୍ବୋଧନ କରିଥିଲେ। ପରେ ବ୍ରଜରାଜନଗର ବିଧାୟିକା ଶ୍ରୀମତୀ ମହାନ୍ତି ତାଙ୍କ ବକ୍ତବ୍ୟ ଦେବା ବେଳକୁ କିନ୍ତୁ ଦୀପାଳିଙ୍କୁ ‘ମୋର ସାନ ଭଉଣୀ’ ବୋଲି ଏକାଧିକ ଥର ସମ୍ବୋଧନ କରିଥିଲେ। ଯାହାକୁ ନେଇ ଅଳକା ଓ ଦୀପାଳିଙ୍କ ମଧ୍ୟରେ ସମ୍ପର୍କର ପରିଭାଷା ‌ଉପସ୍ଥିତ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି କଲା।

ଚପଲ ପିନ୍ଧି ଦ୍ବୀପ ପ୍ରଜ୍ବଳନ କ‌ଲେ ପୌରାଧ୍ୟକ୍ଷା

ନୂତନ ବସ୍‌ ଟର୍ମିନାଲର ଶୁଭାରମ୍ଭ ପାଇଁ ମଞ୍ଚରେ ଦୀପ ପ୍ରଜ୍ବଳନ ହୋଇଥିଲା। ଏହି ସମୟରେ ମଞ୍ଚାସୀନ ସମସ୍ତ ଅତିଥି ଦ୍ବୀପ ପ୍ରଜ୍ବଳନ କରିବାକୁ ଯାଇଥିଲେ। ଦୀପ ଲଗାଉଥିବା ସାଂସଦ, ୨ ବିଧାୟକ, ଜିଲ୍ଲାପାଳ ପାଦରୁ ଜୋତା କାଢ଼ି ଦେଇଥିବା ବେଳେ ପୌରାଧ୍ୟକ୍ଷା ରାନୀ ହାତୀ କିନ୍ତୁ ଜୋତା ପିନ୍ଧି ଦୀପ ଜାଳିଥିଲେ। ପୌରାଧ୍ୟକ୍ଷାଙ୍କ ଏହି ଆଚରଣ ଉପସ୍ଥିତ ଲୋକଙ୍କୁ ବି ବେଶ୍‌ କଷ୍ଟ ଦେବା ସହ ଠାକୁରଙ୍କୁ ପୌରାଧ୍ୟକ୍ଷାଙ୍କ ଏ କି ଭକ୍ତି ବୋଲି ପ୍ରଶ୍ନ କରିଥିଲେ।

publive-image

ବାଉଳା କରିଦେଲେ ଉଦ୍‌ଘୋଷିକା

ମଞ୍ଚରେ ସଭାକାର୍ଯ୍ୟ ଆରମ୍ଭ ହେବା ପରଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତ ଉଦ୍‌ଘୋଷିକାଙ୍କ ଘୋଷଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ସ୍ଥିତି ଏପରି ହୋଇଥିଲା ଯେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ବି ଲାଜେଇ ଯାଇଥିଲେ। ଏସ୍‌ପିଙ୍କ ନାଁ ପରିବର୍ତ୍ତନ କରି ପୁରୁଷୋତ୍ତମ ଦାସ ବୋଲି ଉଚ୍ଚାରଣ କରିଥିବା ବେଳେ ଜିଲ୍ଲା ପରିଷଦ ସଭାପତିଙ୍କୁ ସାର୍‌ ବୋଲି ସମ୍ବୋଧନ କରାଯାଇଥିଲା। କେବଳ ସେତିକି ନୁହେଁ ବରଂ ବିଧାୟିକାଙ୍କ ସ୍ଥାନରେ ସାଂସଦଙ୍କୁ ଆମନ୍ତ୍ରଣ ଓ ଶେଷରେ ପତାକା ଦେଖାଇ କହିବା ପରିବର୍ତ୍ତେ ପତାକା ଉତ୍ତୋଳନ କରାଯିବ ବୋଲି କହିଥିଲେ। ଉଦ୍‌ଘୋଷିକାଙ୍କ ଏହି ଭାଷଣରେ ମଞ୍ଚ ତଳେ ବସିଥିବା ଲୋକେ ହସି ହସି ବେଦମ୍‌ ହୋଇଯାଇଥିଲେ।

ବସ୍‌ଷ୍ଟାଣ୍ଡ କଡ଼ରେ ଉଠା ଦୋକାନୀଙ୍କ ଭିଡ଼

ଉଦ୍‌ଘାଟନ ପରେ ବସ୍‌ଷ୍ଟାଣ୍ଡ ସମ୍ମୁଖ ରାସ୍ତାର ଉଭୟ ପାର୍ଶ୍ବରେ ଉଠା ଦୋକାନୀମାନଙ୍କ ଭିଡ଼ ଜମିଛି। ଦୋକାନୀମାନେ ଯୁଦ୍ଧକାଳୀନ ଭିତ୍ତିରେ ବାଉଁଶ ପୋତି ଅସ୍ଥ‌ାୟୀ ଦୋକାନ ଘର ନିର୍ମାଣ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। ବସ୍‌ ଟର୍ମିନାଲ ଭିତରେ ଥିବା ୮ଟି ଷ୍ଟଲ୍‌ କାହାକୁ ମିଳିଛି ଜଣା ନଥିବା ବେଳେ ପୁରୁଣା ବସ୍‌ଷ୍ଟାଣ୍ଡର ଅନେକ ଦୋକାନୀ ନିରାଶ ହୋଇଛନ୍ତି।