ଝାରସୁଗୁଡ଼ା: ଘରେ ନପଶୁଣୁ ମୁଣ୍ଡରେ ବାଜିଲା ଚାଳ, କଂଗ୍ରେସ ପ୍ରାର୍ଥୀଙ୍କୁ କର୍ମୀଙ୍କ ବିରୋଧ 

ଝାରସୁଗୁଡା: ଝାରସୁଗୁଡା ବିଧାନସଭା ଆସନ ପାଇଁ ଆଦିବାସୀ ନେତା ମହେନ୍ଦ୍ର ନାୟକଙ୍କ ନାମ ଘୋଷଣା ପରେ ଝାରସୁଗୁଡା କଂଗ୍ରେସରେ ବିରୋଧ ପ୍ରଦର୍ଶନ କରାଯାଇଛି। କଂଗ୍ରେସ କର୍ମୀ ମାନେ ଶନିବାର ସକାଳେ ମହେନ୍ଦ୍ର ନାୟକଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ବସଷ୍ଟାଣ୍ଡ ସମ୍ମୁଖରେ ଥିବା କଂଗ୍ରେସ ଅଫିସରେ ତାଲା ପକାଇ ଦେଇଛନ୍ତି। କଂଗ୍ରେସ ନେତା ଅଶୋକ ମିଶ୍ର କହିଛନ୍ତି ଯେ, ଦଳ ଭିତରୁ ଜଣକୁ ଟିକେଟ ଦେବାକୁ ଆମେ ଅନୁରୋଧ କରିଥିଲୁ। ମାତ୍ର ଦଳର ପ୍ରାଥମିକ ସଦସ୍ୟ ନଥିବା ଜଣେ ଲୋକ ଯେ କି ସବୁ ଦଳରେ ଟିକେଟ ପାଇଁ ଆବେଦନ କରିଥିଲେ ତାଙ୍କୁ ଟିକେଟ ଦେବା କଂଗ୍ରେସ କର୍ମୀଙ୍କ ହତୋତ୍ସାହିତ କରିଛି।

ଅତୀତରେ କଂଗ୍ରେସ ବାହାର ଲୋକଙ୍କୁ ଏଠାରେ ଟିକେଟ ଦେଇ ଯେଉଁ ଭୁଲ କରିଥିଲେ ତାର ପରିଣାମ ଭୋଗୁଛନ୍ତି। ଏହାସତ୍ତ୍ୱେ ପୁଣି ଏହାର ପୁନରାବୃତ୍ତି କରିବା ଭିତରେ ଅର୍ଥ କାରବାର ହୋଇଛି ଓ ଏଥିରେ ହେମାନନ୍ଦ ବିଶ୍ୱାଳ ସମ୍ପୃକ୍ତ ଅଛନ୍ତି ବୋଲି କହଛନ୍ତି। କର୍ମୀ ମାନେ ହେମା ଓ ମହେନ୍ଦ୍ରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ନିର୍ବାଚନ ସମ୍ପୁର୍ଣ୍ଣ ହେବା ପର୍ଯ୍ୟନ୍ତ କଂଗ୍ରେସ ଅଫିସରେ ତାଲା ପଡିବ ବୋଲି କହିଛନ୍ତି। କଂଗ୍ରେସ କର୍ମୀଙ୍କ ବିରୋଧ ସମ୍ପର୍କରେ ପ୍ରାର୍ଥୀ ମହେନ୍ଦ୍ର ନାୟକଙ୍କ ମତାମତ ନେବାରୁ ସେ କହିଲେ ଯେ, କଂଗ୍ରେସ ଏକ ବିରାଟ ଦଳ। ଏଆଇସିସି ସଭାପତି, ପିସିସି ସଭାପତିଙ୍କ ଅନୁମୋଦନ ପରେ ଟିକେଟ ଆବଣ୍ଟନ କରାଯାଇଛି। ମୁଁ ଭୁବନେଶ୍ୱରରେ ଅଛି ଝାରସୁଗୁଡା ଗଲା ପରେ ସମସ୍ତେ ବସି ଏହାର ସମାଧାନ କରାଯିବା ବୋଲି ସେ କହିଛନ୍ତି।

 

ସମ୍ବନ୍ଧିତ ଖବର