ଝାରସୁଗୁଡ଼ା: ନିର୍ମାଣ ‌ଶେଷ ହେବାର ଅବଧି ପୂରି ୫ ବର୍ଷ ବିତିଲାଣି। ପ୍ରକଳ୍ପର ଅଟ୍ଟକଳ ମୂଲ୍ୟଠାରୁ ୫ କୋଟି ଟଙ୍କା ଅଧିକ ଖର୍ଚ୍ଚ ବି ସରିଲାଣି। ତଥାପି ଶେଷ ହୋଇପାରୁନି ଝାରସୁଗୁଡ଼ାର ବହୁ ପ୍ରତୀକ୍ଷିତ କ୍ରିକ୍ରେଟ୍‌ ଷ୍ଟାଡିୟମ୍‌ ନିର୍ମାଣ କାମ। ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ନିର୍ମାଣ ଅବଧି ଘୁଞ୍ଚି ଚାଲିଥିବା ବେଳେ ସରକାରୀ ତହବିଲରୁ ପାଣି ଭଳି ଟଙ୍କା ଖର୍ଚ୍ଚ ଚାଲିଛି। ନିର୍ମାଣ କାମରେ ଅନିୟମିତତା ଯୋଗୁ ନବନିର୍ମିତ ଗ୍ୟାଲେରି ଭାଙ୍ଗିଯିବାକୁ ବସିଲାଣି। ଏଭଳି ସ୍ଥିତିରେ ପିଚ୍‌ ପ୍ରସ୍ତୁତ ହେବା ବେଳକୁ ଗ୍ୟାଲେରି ଥିବା ନା ନାହିଁ ସେନେଇ ଆଶଙ୍କା ଦେଖାଦେଲାଣି।

Advertisment

ଝାରସୁଗୁଡ଼ାରେ ବିମାନବନ୍ଦର ସାଙ୍ଗକୁ ଆବଶ୍ୟକୀୟ ସୁବିଧା ସୁଯୋଗ ରହିଥିବାରୁ ଏଠାରେ ଏକ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ କରିବାକୁ ୨୦୧୩ ମସିହାରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଷ୍ଟାଡିୟମ୍‌ ପାଇଁ ମାଳୀମୁଣ୍ଡାରେ ୩୨ ଏକର ଜାଗା ଚିହ୍ନଟ ହୋଇଥିବା ବେଳେ କେବଳ କ୍ରିକେଟ୍‌ ଷ୍ଟାଡିୟମ୍‌ ବାବଦକୁ ୧୯ ଏକର ଜମି ରହିଥିଲା। ଏମ୍‌ସିଏଲ୍‌ ପ୍ରଥମ ପର୍ଯ୍ୟାୟରେ ୮ କୋଟି ଟଙ୍କା ଦେଇଥିବା ବେଳେ ପାଚେରି ଓ ରାସ୍ତା ନିର୍ମାଣରେ ଟଙ୍କା ସରିଯାଇଥିଲା। ୨୦୧୬-୧୭ରେ କ୍ରିକେଟ୍‌ ଷ୍ଟାଡିୟମ୍‌ ପାଇଁ ପୁଣିଥରେ ୧୭ କୋଟି ୪୨ ଲକ୍ଷ ୬୦ ହଜାର ଟଙ୍କାର ବ୍ୟୟ ଅଟ୍ଟକଳ ହୋଇଥିଲା। ଏଥିରୁ ୧୫ କୋଟି ୬୪ ଲକ୍ଷ ଟଙ୍କାରେ କାମ ଆରମ୍ଭ ହୋଇଥିବା ବେଳେ ୨୦୧୮ ଶେଷ ସୁଦ୍ଧା ଷ୍ଟାଡିୟମ୍‌ ନିର୍ମାଣ କାମ ଶେଷ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏବେ ସୁଦ୍ଧା ନିର୍ମାଣ କାମ ଅଧା ବି ହୋଇପାରିନି। ପିଚ୍‌ ପାଇଁ ମାଟି ଢଳା ଚାଲିଛି ଯେ ତାହା ଶେଷ ହେଉନି। ଏବେ ଏହି ଷ୍ଟାଡିୟମ ପାଇଁ ଆଉ ୫ କୋଟି ୩୪ ଲକ୍ଷ ୨ ହଜାର ଟଙ୍କା ମଞ୍ଜୁର ହୋଇଛି। ୨୦୨୧ରେ ଓସିଏର ଏକ ଟିମ୍‌ କ୍ୟାମ୍ପ କରି ଝାରସୁଗୁଡ଼ାରେ ରହି କାମ ନିରୀକ୍ଷଣ କରିବା ସହ ୨୦୨୨ରେ ରଣଜୀ ମ୍ୟାଚ୍‌ କରାଇବା ନେଇ ଲକ୍ଷ୍ୟ ରଖିଥିଲା। ମାତ୍ର କାମ ଅଦ୍ୟାବଧି ଶେଷ ହୋଇପାରୁ ନଥିବାରୁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସିବା ପାଇଁ ୧୦ଟି ଗ୍ୟାଲେରି, ବାହାର ଓ ଭିତର ରାସ୍ତା ସହିତ ସିମେଣ୍ଟ ନାଳ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। କିନ୍ତୁ ନିମ୍ନମାନର କାମ ଯୋଗୁ ଏହି ଗ୍ୟାଲେରିରେ ଫାଟ ସୃଷ୍ଟି ହେବା ସହ ଅବସ୍ଥା ଶୋଚନୀୟ ହୋଇଗଲାଣି। କେଉଁଠି ସିମେଣ୍ଟ ଭାଙ୍ଗି ଯାଇଛି ତ ଆଉ କେଉଁଠି ଟାଇଲ୍‌ ଝଡ଼ି ଯାଇଛି।

ସମଗ୍ର ପଶ୍ଚିମ ଓଡ଼ିଶାରେ ଏତେ ବଡ଼ କ୍ରିକେଟ୍‌ ଷ୍ଟାଡିୟମ୍‌ କୌଣସି ସ୍ଥାନରେ ନଥିବାରୁ ଝାରସୁଗୁଡ଼ାର ଏହି ଷ୍ଟାଡିୟମ ଖେଳାଳିଙ୍କ ପାଇଁ ବରଦାନ ସଦୃଶ ହେବ ବୋଲି କୁହାଯାଉଥିଲା। ମାତ୍ର ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ସାଙ୍ଗକୁ ନିମ୍ନମାନର କାମ ଯୋଗୁ ଷ୍ଟାଡିୟମ୍‌ର ଭବିଷ୍ୟତ ନେଇ କ୍ରୀଡ଼ାପ୍ରେମୀମାନେ ପ୍ରଶ୍ନ କରିଛନ୍ତି।

ଘଟଣା ସମ୍ପର୍କରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଶୀଳ ମିଶ୍ରଙ୍କୁ ପଚାରିବାରେ ଓବିସିସି ଏହି ନିର୍ମାଣ କାମ କରୁଥିବା ବେଳେ ବିଭିନ୍ନ ଆଳ ଦେଖାଇ ବିଳମ୍ବିତ କରି ଚାଲିଥିବା କହିଛନ୍ତି। ତେବେ ଆସନ୍ତା ଡିସେମ୍ବର ସୁଦ୍ଧା ନିର୍ମାଣ କାମ ସମ୍ପୂର୍ଣ୍ଣ ଶେଷ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଶ୍ରୀ ମିଶ୍ର କହିଛନ୍ତି।