ଝାରସୁଗୁଡ଼ା/ ବ୍ରଜରାଜନଗର: ଝାରସୁଗୁଡ଼ା, ବ୍ରଜରାଜନଗର ଓ ବେଲପାହାଡ଼ ରେଳଷ୍ଟେସନର ଉନ୍ନତି, ଆଧୁନିକୀକରଣ ସହ ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଆଲୋଚନା କରାଯାଇଛି। ବରଗଡ଼ ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ, ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ, ବିଳାସପୁର ଡିଆର୍‌ଏମ୍‌, ଚକ୍ରଧର ଡିଆର୍‌ଏମ୍‌ଙ୍କ ସମେତ ଜିଲ୍ଲାସ୍ତରୀୟ ଓ ରେଳ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାରେ ରେଳ ଷ୍ଟେସନ ଗୁଡ଼ିକର ଆଧୁନିକୀକରଣ କାର୍ଯ୍ୟ ତ୍ଵରାନ୍ବିତ କରାଯିବା, ଫୁଟ୍‌ ଓଭର ବ୍ରିଜ, ଏସ୍କାଲେଟର, ଲିଫ୍ଟ, ଆବଶ୍ୟକସ୍ଥଳେ ଓଭର ବ୍ରିଜ, ଅଣ୍ଡର ବ୍ରିଜ ଆଦି କାର୍ଯ୍ୟ ଶୀଘ୍ର ସାରିବା ସହ ରେଳ ଷ୍ଟେସନକୁ ସଂଯୋଗ କରୁଥିବା ରାସ୍ତା ଓ ଟ୍ରାଫିକ ନିୟନ୍ତ୍ରଣ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।

Advertisment

ଆଧୁନିକ ଝାରସୁଗୁଡ଼ା ଜିଲ୍ଲା ଗଠନରେ ରେଳ ବିଭାଗର ଭୂମିକା କିପରି ଫଳପ୍ରଦ ରୂପ ନେବ ସେ ଦିଗରେ ସାଂସଦ ଶ୍ରୀ ପୂଜାରୀ ଉଭୟ ଡିଆର୍‌ଏମ୍‌ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମ୍ପୃକ୍ତ ଅଧିକାରୀମାନେ ତ୍ୱରିତ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଧାୟିକା ଦୀପାଳି ଦାସ ରେଳ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସାରିବା ଉପରେ ଗୁରୁତ୍ୱାରୋପ ପୂର୍ବକ ଚୌକିପଡ଼ା ଓଭର ବ୍ରିଜ, ବସ୍‌ଷ୍ଟାଣ୍ଡରେ ଥିବା ଦୋକାନୀମାନଙ୍କ ଥଇଥାନ ଉପରେ ଉଲ୍ଲେଖ କରିଥିଲେ। ରେଳ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ବାବଦକୁ ଜମି ରେକର୍ଡ ସଂଶୋଧନ ଓ ମ୍ୟୁଟେସନ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବେଲପାହାଡ଼, ବ୍ରଜରାଜନଗର ପୌରାଞ୍ଚଳର ନାଗରିକମାନଙ୍କ ପକ୍ଷରୁ ଉଭୟ ରେଳ ଷ୍ଟେସନରେ ପୂର୍ବ ପରି କିଛି ଏକ୍ସପ୍ରେସ ଟ୍ରେନ ରହଣି ନେଇ ସାଂସଦ, ବିଧାୟିକା ଓ ଜିଲ୍ଳାପାଳଙ୍କ ମାଧ୍ୟମରେ ରେଳ ବିଭାଗ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀ, ପ୍ରବନ୍ଧକ ନିର୍ଦ୍ଦେଶକ (ପୁନର୍ବାସ ଓ ଥଇଥାନ) ଆଲୋମଣୀ ସେଠୀ, ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ , ରାସ୍ତା ଓ ଗୃହ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ, ତହସିଲଦାର ବସନ୍ତ ହାତୀ, ନିର୍ବାହୀ ଅଧିକାରୀ ମନୋଜ ତାଣ୍ଡି, ଚନ୍ଦ୍ରମଣି ସ୍ୱାଇଁ, ବିକାଶ ଭୋଇ ଓ ରେଳ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏନେଇ ସାଂସଦ ଶ୍ରୀ ପୂଜାରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଝାରସୁଗୁଡା ଜିଲ୍ଲା ୩ଟି ଡିଭିଜନ ଅଧୀନ ଯଥା ସମ୍ବଲପୁର, ବିଳାସପୁର ଓ ଚକ୍ରଧରପୁର ଡିଭିଜନ ଅଧୀନରେ ଆସୁଛି। ଏହି ଷ୍ଟେସନର ଅଧୁନିକୀକରଣ କାର୍ଯ୍ୟ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ୬ରୁ ଅଧିକ ଆର୍‌ଓବି ନିର୍ମାଣ ପ୍ରସ୍ତାବକୁ ରାଜ୍ୟ ସରକାର ବିଶ୍ବ ବ୍ୟାଙ୍କ ଚିଫ୍‌ ଇଞ୍ଜିନିୟରଙ୍କ ପାଖକୁ ପଠାଇ ଦେଇଛନ୍ତି। ଏହା କିଭଳି ଶୀଘ୍ର ମଞ୍ଜୁରୀ ମିଳିବ ସେନେଇ ପ୍ରୟାସ କରାଯିବ ବୋଲି କହିଥିଲେ। ରେଳ ଷ୍ଟପେଜ ସମସ୍ୟା ଉପରେ ସେ ରେଲୱେ ବୋର୍ଡ ସହିତ ଆଗାମୀ ଲୋକସଭା ଅଧିବେଶନ ସମୟରେ ଆଲୋଚନା କରିବେ ବୋଲି କହିଥିଲେ। ଚକ୍ରଧରପୁର ଡିଭିଜନ ଡିଆର୍‌ଏମ୍‌ ଅରୁଣ ଜେ. ରାଠୋର  ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ ଝାରସୁଗୁଡା ରେଳ ଷ୍ଟେସନ ଏକ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ ହେବାକୁ ଯାଉଥିବା କହିଥିଲେ। ଝାରସୁଗୁଡା ରେଲୱେ ଷ୍ଟେସନ ସ୍ୱଳ୍ପ ସମୟ ଅବଧିରେ ପାର୍କିଂ ସେଡ ନିର୍ମାଣ ହେବ। ଦୀର୍ଘ ସମୟ ଅବଧିରେ ପୁନଃ ଉନ୍ନତୀକରଣ ସହିତ ଏକ ବିଶ୍ୱସ୍ତରୀୟ ଷ୍ଟେସନ ହେବ। ଯାତ୍ରୀମାନେ ନିଜର ସୁଟ୍‌କେସ୍‌କୁ ନିଜେ ଟାଣି ଟ୍ରେନ ପାଖକୁ ନେଇପାରିବେ। ଟ୍ରେନରୁ ଓହ୍ଲାଇ ସୁବିଧାରେ ପାର୍କିଙ୍ଗ ଓ ବସ୍‌ଷ୍ଟାଣ୍ଡକୁ ଯାଇପାରିବେ। ପୁରୁଣା ଷ୍ଟେସନ ହେରିଟେଜ କୋଠାର ବ୍ୟବହାର ସହିତ ସଂରକ୍ଷଣ କରାଯିବ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ।