ଝାରସୁଗୁଡ଼ା‌: ତ୍ରିକୋଣୀୟ ପ୍ରେମକୁ ନେଇ ଛତିଶଗଡ଼ରେ ଗୁଳିମାଡ଼। ଏହି ଘଟଣାରେ ଆଜି ଛତିଶଗଡ଼ ପୁଲିସ୍‌ ମୁଖ୍ୟ କାର୍ପଟଦାର ତଥା ହତ୍ୟା ପାଇଁ ସୁପାରି ଦେଇଥିବା ଝାରସୁଗୁଡ଼ା ସରବାହାଲର କୋଇଲା ବ୍ୟବସାୟୀ ସୁନୀଲ କେଡ଼ିଆ(୫୦) ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ୨ ଅଭିଯୁକ୍ତ ହେଲେ ସୁନ୍ଦରଗଡ଼ ଜିଲ୍ଲା ଟାଉନ୍‌ ଥାନା ଅନ୍ତର୍ଗତ ଶଙ୍କରାର ସନ୍ତୋଷ ସିଂହ(୪୨) ଓ ଲେଫ୍ରିପଡ଼ା ଥାନା ଉଜ୍ବଳପୁରର ଅମନ ଶର୍ମା(୨୩)। ଅଭିଯୁକ୍ତଙ୍କ ନିକଟରୁ ପୁଲିସ୍‌ ଏକ ପିସ୍ତଲ, ଦେଶୀ କଟ୍ଟା ଓ ଗୁଳି ଜବତ କରିଛି। ଏନେଇ ରାୟପୁରର ବରିଷ୍ଠ ପୁଲିସ୍‌ ଅଧୀକ୍ଷକ ପ୍ରଶାନ୍ତ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Advertisment

publive-image

ଗତ ୨୦ ତାରିଖରେ ରାୟପୁରର ତେଲିବନ୍ଧା ଥାନା ଲାଭାଣ୍ଡି ଅଞ୍ଚଳରେ ସନ୍ଦୀପ ଜୈନ୍‌ ନାମକ ଯୁବକଙ୍କୁ ବିଚ୍‌ ରାସ୍ତାରେ ଗୁଳିମାଡ଼ ହୋଇଥିଲା। ଏହି ଘଟଣାରେ ରାୟପୁର ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ କରିବା ସମୟରେ ପ୍ରଥମେ ସାର୍ପ ସୁଟର ଅମନ ଶର୍ମାକୁ ଧରିଥିଲା। ଅମନ ନିକଟରୁ ଗୁଳି ଓ ବନ୍ଧୁକ ଜବତ କରାଯାଇଥିଲା। ତେବେ ସେ ଟଙ୍କା ପାଇଁ ଗୁଳିମାଡ଼ କରିଥିବା ବେଳେ ସନ୍ତୋଷ ତାକୁ ସୁପାରି ଦେଇଥିବା ନେଇ ପୁଲିସ୍‌କୁ କହିଥିଲା। ଏହାପରେ ସୁନ୍ଦରଗଡ଼ ପୁଲିସ୍‌ ସହାୟତାରେ ସନ୍ତୋଷକୁ ଗିରଫ କରାଯାଇଥିଲା। ସେପଟେ, ସନ୍ତୋଷ ଧରାପଡ଼ିବା ପରେ ତାକୁ ସୁନୀଲ କେଡ଼ିଆ ସୁପାରି ଦେଇଥିବା ଜଣାପଡ଼ିଥିଲା। ଏହାପରେ ସୁନୀଲ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ରାୟପୁର ଯାଇଥିବା ବେଳେ ସେଠାରୁ ତାକୁ ପୁଲିସ୍‌ ଗିରଫ କରିଥିଲା।

publive-image

ରାୟପୁର ପୁଲିସ୍‌ର ସୂଚନା ଅନୁସାରେ, ସୁନୀଲ କେଡ଼ିଆର ଦିଲ୍ଲୀର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ଏଥିପାଇଁ ସୁନୀଲ ଦିଲ୍ଲୀର ଦ୍ବାରକାରେ ଯୁବତୀଙ୍କ ପାଇଁ ଏକ ଫ୍ଲାଟ୍‌ ମଧ୍ୟ କିଣି ଦେଇଥିଲା। କିନ୍ତୁ ଯୁବତୀ ଜଣଙ୍କ ଅନ୍ୟ ଜଣେ ଯୁବକ ସହ କଥା ହେଉଥିବା ଜାଣିବା ପରେ ଉଭୟଙ୍କ ମଧ୍ୟରେ ନିତିଦିନ ଝଗଡ଼ା ହେଉଥିଲା। ଏପରିକି ଝଗଡ଼ା ଉଗ୍ର ରୂପ ନେବା ପରେ ସୁନୀଲ ଯୁବତୀଙ୍କୁ ଫ୍ଲାଟ୍‌ରୁ କାଢ଼ି ଉକ୍ତ ଫ୍ଲାଟ୍‌ ବି ବିକ୍ରି କରି ଦେଇଥିଲା। ସେପଟେ, ଯୁବତୀ ମଧ୍ୟ ସୁନୀଲର ମୋବାଇଲ୍‌ ନମ୍ବରକୁ ବ୍ଲକ୍‌ କରିଦେଇଥିଲେ। ମାତ୍ର ସୁନୀଲ ଭିନ୍ନ ଭିନ୍ନ ନମ୍ବରରୁ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲା। ଯୁବତୀଜଣଙ୍କ ରାୟପୁରର ସନ୍ଦୀପ୍‌ଙ୍କ ସହ କଥାବାର୍ତ୍ତା ହେଉଥିବା ଜାଣିବା ପରେ ତାଙ୍କୁ ରାସ୍ତାରୁ ହଟେଇବାକୁ ସୁନୀଲ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ସେ ସନ୍ତୋ‌ଷକୁ ସୁପାରି ଦେଇଥିବା ବେଳେ ସନ୍ତୋଷ ଏହି କାମ ପାଇଁ ଅମନକୁ ବାଛିଥିଲା।