ଝାରସୁଗୁଡ଼ା/କନକତୋରା: ମହାନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ବନ୍ୟାଜଳ ପ୍ରବାହ ବୃଦ୍ଧି ପାଇଛି। ବନ୍ୟାଜଳ ନିଷ୍କାସନ ପାଇଁ ଛତିଶଗଡ଼ ସରକାର କଲ୍ମା ସମେତ ଅନ୍ୟାନ୍ୟ ବ୍ୟାରେଜକୁ ଗତ ପରଦିନ ଠାରୁ ଖୋଲି ଦେଇଥିବାରୁ ମହାନଦୀର ବନ୍ୟାଜଳ ହୀରାକୁଦ ଜଳଭଣ୍ଡାରରେ ପ୍ରବେଶ କରିଛି। ମଂଗଳବାରଠାରୁ ହୀରାକୁଦ ଡ୍ୟାମ୍ର ମଧ୍ୟ ୨୫ଟି ଗେଟ୍ ଖୋଲାଯାଇଛି। ବୁଧବାର ସକାଳୁ ଝାରସୁଗୁଡ଼ା ଜିଲ୍ଲା ୧୯ ଖଣ୍ଡ ମୌଜାର ନଦୀ କୂଳରେ ଥିବା ଗ୍ରାମ ଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ଥିବାରୁ ପ୍ରଶାସନକୁ ସଜାଗ ରଖାଯାଇଛି। ମହାନଦୀ କୂଳ ତଥା ହୀରାକୁଦ ଜଳଭଣ୍ଡାରର ପଛୁଆ ଜଳ ଅଞ୍ଚଳରେ ଥିବା କଣ୍ଡେଇକେଲା ପଞ୍ଚାୟତର ମହୁଲପାଲି, ସେମେଲିଆ, ସୁଖାସୋଢ଼ା, ରେମତା ପଞ୍ଚାୟତର ମହୁଦି ଓ ତିଖିଲି ଗ୍ରାମବାସୀଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।
ମଂଗଳବାର ଦିନ ୧୨ଟାରେ ମହାନଦୀରେ ଯେଉଁ ବେଗରେ ଜଳ ପ୍ରବାହିତ ହେଉଥିଲା ସନ୍ଧ୍ୟା ସୁଦ୍ଧା ସେହି ବେଗ ହ୍ରାସ ପାଇଥିବାରୁ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନପାରେ ବୋଲି ଅନୁମାନ କରାଯାଇଛି। ତେବେ କଣ୍ଡେଇକେଲା ପଞ୍ଚାୟତର ତିଖିଲି ଗ୍ରାମରୁ ମାତ୍ର ୧୫ ମିଟର ଦୂରରେ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖାଯାଇଛି। ଉପରମୁଣ୍ଡରେ ବର୍ଷା କମିଥିବାରୁ ଛତିଶଗଡ଼ ସରକାର ଅନ୍ୟ ସବୁ ବ୍ୟାରେଜ ବ୍ୟତୀତ କଲ୍ମା ଗେଟ୍ର ୬୪ଟି ଗେଟ୍ ଏବେ ବି ଖୋଲା ରଖିଛନ୍ତି। ଝାରସୁଗୁଡ଼ା ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ଲଖନପୁର ବିଡ଼ିଓ ଗୋବିନ୍ଦ ଦଣ୍ଡସେନା, ତହସିଲଦାର ହେମସାଗର ଭୋଇଙ୍କ ସମେତ ବିଭିନ୍ନ ସର୍କଲର ଆର୍ଆଇ ଏହି ଅଞ୍ଚଳରେ ଆଜି ଦିନତମାମ ନିରୀକ୍ଷଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/jharsuguda-6.jpg)