ବ୍ରଜରାଜନଗର: ଜୁନ୍ ମାସ ୨୪ ତାରିଖ ସନ୍ଧ୍ୟା ୮ଟାରେ ବ୍ରଜରାଜନଗର ପୁରୁଣା ବସଷ୍ଟାଣ୍ଡ୍ରେ ଅମିତ ଧଳଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ବିଶ୍ବାଳ ଓରଫ ଜିତୁକୁ ବୁଧବାର ସନ୍ଧ୍ୟାରେ ଗିରଫ କରିଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ପୁଲିସ ପୂର୍ବରୁ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ସାରିଛି। ଆତଙ୍କ ସୃଷ୍ଟି କରି ବ୍ରଜରାଜନଗରରେ ନିଜର ପତିଆରା ବଢ଼ାଇବା ଏବଂ ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବା ପାଇଁ ଜିତୁ ଏହି କାଣ୍ଡ ଭିଆଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।
ବ୍ରଜରାଜନଗର ଥାନା ଆଇଆଇସି ବିଶ୍ବାମିତ୍ର ହରପାଲଙ୍କ ସୂଚନା ଅନୁଯାୟୀ ଜିତୁ ବିରୋଧରେ ଅମିତଙ୍କ ହତ୍ୟା ସହିତ ହତ୍ୟା ଷଡ଼୍ଯନ୍ତ୍ର କରିବା ଓ ଅସ୍ତ୍ରଶସ୍ତ୍ର ଆଇନ୍ ପରି ସଙ୍ଗିନ ଦଫା ଲଗାଯାଇଛି।
ଚଳିତ ବର୍ଷ ମାର୍ଚ୍ଚ୨୧ ତାରିଖ ହୋଲିଦିନ ରାମପୁରର ପିଣ୍ଟୁ ବାଉରୀକୁ ମଣ୍ଡାଳିଆରେ ଥିବା ସର୍ଭିସ ସେଣ୍ଟର୍ରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ ନମିସି ଯାଦବ, ସୁରେଶ ମାଳି ଓରଫ ଗଜ, ବିଶାଳ ଦାସ, ସୁରଜ ସୋନି ଓରଫ କାଲୋ ଓ ସତୀଶ ଚୌହାନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଶ୍ରୀ ହରପାଲଙ୍କ କହିବା ଅନୁଯାୟୀ ଜିତୁ ଓ ପିଣ୍ଟୁ ଅତି ଘନିଷ୍ଠ ଥିଲେ। ପିଣ୍ଟୁର ମୃତ୍ୟୁକୁ ଜିତୁ ଓ ତାର ସହଯୋଗୀମାନେ ସହଜରେ ଗ୍ରହଣ କରିପାରି ନଥିଲେ। ତେବେ ପିଣ୍ଟୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ନମିସି ଓ ଅନ୍ୟ ୪ ଜଣଙ୍କ ସହିତ ଅମିତଙ୍କ ଭଲ ସମ୍ପର୍କ ଥିଲା। ନମିସି ଓ ଅନ୍ୟମାନଙ୍କ ଅନୁପସ୍ଥିତରେ ସେହି ଗୋଷ୍ଠୀର ମୁଖ୍ୟ ଅମିତଙ୍କୁ ରାସ୍ତାରୁ ହଟାଇ ନିଜର ଏକ ଗ୍ରୁପ୍ କରିବା ସହିତ ଜିତୁ ସ୍ଥାନୀୟ ଅଞ୍ଚଳରେ ପ୍ରଭାବ ବିସ୍ତାର କରିବାକୁ ଚାହିଁଥିଲା। ତେବେ ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଜାରି ରହିଥିବା ଆଇଆଇସି ଶ୍ରୀ ହରିପାଲ କହିଛନ୍ତି।
ସୂଚନାଯୋଗ୍ୟ, ପିଣ୍ଟୁ ବାଉରୀ ହତ୍ୟାକାଣ୍ଡ ତଦନ୍ତ ସମୟରେ ଏହା ପୂର୍ବ ଶତ୍ରୁତା ବୋଲି ସେ ସମୟରେ ଓରିଏଣ୍ଟ ଥାନା ପୁଲିସ କହିଥିଲା। ଗତବର୍ଷ ହୋଲିରେ ପିଣ୍ଟୁ ଓ ବୁଲୁ ସିଂ ହିଲ୍ଟପ କଲୋନିର ବିଶାଲ ଦାସଙ୍କ ଘର ସମ୍ମୁଖରେ ଫାଙ୍କା ଗୁଳି ଚାଳନା କରିଥିଲେ। ସେମାନେ ଏହାର ବଦଲା ନେବେ ବୋଲି କହିଥିଲେ। ହୋଲି ଦିନ ନମିସି ନିଜ ଚାନ୍ଦିନୀ ଚୌକ ଅଫିସ୍ରେ ବସିଥିବା ସମୟରେ  ଜିତୁ, ବୁଲୁ ଓ ଅନ୍ୟ ତିନି ଜଣ ତା ଅଫିସ୍କୁ ଯାଇ ଧମକ ଦେଇଥିଲେ। ସେହିଦିନ ଅପରାହ୍ଣରେ ଏମାନେ ପିଣ୍ଟୁ ଉପରକୁ ଗୁଳି ଚଳାଇଥିଲେ ବୋଲି ସେତେବେଳେ ଓରିଏଣ୍ଟ୍ ଥାନା ପୁଲିସ କହିଥିଲା। ଅମିତ ଧଳ ହତ୍ୟାକାଣ୍ଡର ଦୁଇ ଦିନ ପରେ ଝାରସୁଗୁଡ଼ାରେ ଏସ୍ପିଙ୍କ କାର୍ଯ୍ୟାଳୟରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଅମିତ ଓ ଜିତୁ ବିଶ୍ୱାଳ ମଧ୍ୟରେ ପୂର୍ବ ଶତ୍ରୁତା ଥିଲା ବୋଲି କୁହାଯାଇଥିଲା। ଅମିତଙ୍କ ହତ୍ୟାକାଣ୍ଡର ୧୫ଦିନ ପୁର୍ବରୁ ସମଲେଶ୍ବରୀ କୋଇଲା ଖଣିରେ ଉଭୟ ଗୋଷ୍ଠୀର ସମର୍ଥଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଅମିତଙ୍କ ସମର୍ଥକମାନେ ଜିତୁଙ୍କ ସମର୍ଥଙ୍କୁ ଗାଳିଗୁଲଜ ଓ ଅପମାନିତ କରିଥିଲେ। ଏହି ଘଟଣା ପରେ ଜିତୁ ଗୋଷ୍ଠୀ ଅମିତଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ବୋଲି ପୁଲିସ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଥିଲା।
ଅମିତ ଧଳ ହତ୍ୟାକାଣ୍ଡ:ମୁଖ୍ୟ ଅଭିଯୁକ୍ତ ଗିରଫ, ପତିଆରା ବଢ଼ାଇବାକୁ ମାରିଦେଲେ
/sambad/media/post_attachments/wp-content/uploads/2019/07/jhars.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)