ଝାରସୁଗୁଡ଼ା: ଗତ ୧୦ ତାରିଖ ସନ୍ଧ୍ୟାରେ ବେଦାନ୍ତ ଟାଉନସିପ୍ ମୁଖ୍ୟ ଗେଟ୍ ସମ୍ମୁଖରେ ଫାଙ୍କା ଗୁଳି ଚାଳନା ଓ ଲିଫ୍ଲେଟିଂ ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ହାତ ଖାଲି ପଡ଼ିଛି। କାରଖାନାରେ ନିଯୁକ୍ତି ଓ ପ୍ରଦୂଷଣ ନେଇ ଉକ୍ତ ଘଟଣା ଘଟିଥିବା ସ୍ପଷ୍ଟ ହୋଇଥିବା ବେଳେ ଏଥିରେ ରାଜନୈତିକ ସଂପୃକ୍ତି ଥିବା ମଧ୍ୟ ଚର୍ଚ୍ଚାକୁ ଆସିଛି। ବେଦାନ୍ତ କାରଖାନାରେ ନିଜର ଗୁରୁତ୍ୱ ବଢ଼ାଇବା ପାଇଁ ଝାରସୁଗୁଡ଼ା ଜିଲ୍ଲାରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ବହୁ ଦିନରୁ ଚାଲି ଆସିଥିବା ବେଳେ ଅନେକ ରାଜନେତା ତାଙ୍କ ପ୍ରଭାବ ଜାହିର କରି ନିଜ ଫାଇଦା ଉଠାଇଥିବା ନଜିର ରହିଛି। ଫାଙ୍କା ଗୁଳି ଚାଳନା କରି ଲିଫଲେଟ୍ ମାଧ୍ୟମରେ ୫ ଅଧିକାରୀଙ୍କ ନାମ ଉଲ୍ଲେଖ କରି ଖୋଲା ଚାଲେଞ୍ଜ ପଛରେ କାହାର ହାତ ରହିଛି ସେ ନେଇ ଜାଣିବା ପୁଲିସକୁ ଜାଣିବାରେ ଏତେ ବିଳମ୍ବ ହେବା କଥା ନୁହେଁ।
ମାତ୍ର ପୁଲିସ ତଦନ୍ତ ଆଳରେ ଅନ୍ଧାରରେ ବାଡ଼ି ବୁଲାଇ ଘଟଣାକୁ ହାଲୁକା ଭାବରେ ନେଉଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଘଟଣା ପରେ ସିସିଟିଭି ଫୁଟେଜ୍କୁ ନେଇ ପୁଲିସ ତଦନ୍ତରେ ସୁବିଧା ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଫୁଟେଜରେ ଘଟଣା ବେଳର ଦୃଶ୍ୟ ସ୍ପଷ୍ଟ ଦେଖା ଯାଉନଥିବାରୁ ପୁଲିସର ଏବେ ନିରାଶ ହୋଇଯାଇଥିବା କୁହାଯାଉଛି। ଏହି ଘଟଣା ପରେ ଏସ୍ପି ଆର୍.ପ୍ରକାଶଙ୍କ ତତ୍ୱାବଧାନରେ ବିଭିନ୍ନ ଥାନାର ଆଇଆଇସି ତନାଘନା କରିବା ପରେ ମଧ୍ୟ ସଂପୃକ୍ତ ବ୍ୟକ୍ତିଙ୍କ ଟେର୍ ପାଇ ପାରିନାହାନ୍ତି। ଫଳରେ ଏହା ଏବେ ପୁଲିସ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି ହୋଇଛି। ୫ ଜଣ ଅଧିକାରୀଙ୍କୁ ଟାର୍ଗେଟ କରାଯାଇ କୁହାଯାଇଛି ଯେ ଏବେ ଫାଙ୍କା ଗୁଳି ଫୁଟିଛି ଆଗକୁ ଅସଲ ଗୁଳି ଫୁଟିବ। ବେଦାନ୍ତ ଟାଉନ୍ସିପ୍ ସମ୍ମୁଖରେ ଜନଗହଳି ସ୍ଥାନରେ ସନ୍ଧ୍ୟା ସମୟରେ ଏଭଳି କାଣ୍ଡ ଭିଆଇ କିଛି ଅଧିକାରୀଙ୍କୁ ଖୋଲା ଚାଲେଞ୍ଜ ଦିଆଯାଇ ଆତଙ୍କ ସୃଷ୍ଟି କରାଯିବା ପରେ ମଧ୍ୟ ପୁଲିସ ପଞ୍ଝାରେ କେହି ନଆସିବା ପୁଲିସର ବିଶ୍ୱସନୀୟତା ଉପରେ ସାଧାରଣରେ ସଂଦେହ ସୃଷ୍ଟି କରିଛି।