ଇବ୍ଥର୍ମାଲ: ଏମସିଏଲ ପରିଚାଳିତ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଓ ଇବଭ୍ୟାଲି କୋଇଲା ଖଣିକ୍ଷେତ୍ରରେ ବର୍ଷ ବର୍ଷ ଧରି ବିସ୍ଥାପନ ସମସ୍ୟା ଲାଗି ରହିଛି। ଲୋକଙ୍କ ଅଭିଯୋଗକୁ କେହି କର୍ଣ୍ଣପାତ କରୁନାହାନ୍ତି। ନିକଟ ଅତୀତରେ ଦର୍ଲିପାଲି ଅଶାନ୍ତି ଘଟଣାରେ ଜିଲ୍ଲା ବିଜେପି ପକ୍ଷରୁ ବୁଧବାର ପ୍ରତିବାଦ କରାଯାଇଛି। ମଣ୍ଡଳ ସଭାପତି ବିଶ୍ୱଜିତ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜିଲ୍ଲା ସଭାନେତ୍ରୀ ତଥା ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ନେତାମାନେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଦ୍ୱାରା ଉଦବାସ୍ତୁ ଗ୍ରାମବାସୀଙ୍କ ପାଇଁ ପ୍ରଚଳିତ ବିସ୍ଥାପନ ନୀତିକୁ ଦୃଢ଼ ବିରୋଧ କରିଥିଲେ। ଜମି ସହ ଘର, ଭିଟାମାଟି ହରାଇଲେ ଏବଂ ପାରିପାର୍ଶ୍ୱିକ ଅଂଚଳ ପ୍ରଦୂଷଣରେ ଉବୁଟୁବୁ ହେବା ଯୋଗୁଁ ବର୍ଷ ବର୍ଷ, ପିଢ଼ି ପିଢ଼ି ଧରି ସ୍ଥାନୀୟ ଲୋକମାନେ ସମସ୍ୟା ମଧ୍ୟରେ ଜର୍ଜରିତ। ସରକାରଙ୍କ ରାଜକୋଷକୁ କୋଟି କୋଟି ଟଙ୍କା ଗଲା, ହେଲେ ବିକାଶ ନାଁରେ ଖଣି ଖନନର ଫଳ ସ୍ଥାନୀୟ ଲୋକଙ୍କୁ ମିଳୁନାହିଁ। ଆଗାମୀ ଦିନରେ ଏହାର ଆଉ ବରଦାସ୍ତ କରାଯିବା ନାହିଁ ବୋଲି ସଭାରେ ବିଜେପି ନେତାମାନେ ଉଦବୋଧନ ଦେଇଥିଲେ। ଏ ସଂକ୍ରାନ୍ତରେ ୧୧ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।
ପ୍ରାୟ ୫୦୦ ଲୋକ ବସବାସ କରୁଥିବା ସଂପୂର୍ଣ୍ଣ ଆଦିବାସୀ ହରିଜନ ଗାଁର ଜମି ଅଧିଗ୍ରହଣ ସକାଶେ ୧୯୯୨ରୁ ୪-୧ ନୋଟିସ୍ ଲଗାଗଲା। ହେଲେ, ୨୫ ବର୍ଷ ହେଲା ଲୋକେ ନ୍ୟାୟ ପାଇବାରୁ ବଂଚିତ। ଗାଁ ଚାରିଆଡ଼େ ଚାଷ ଜମି ଅଧିଗ୍ରହଣ କରାଯାଇ ଖଣି ଖନନ କରି କୋଇଲା ଉତ୍ତୋଳନ କରାଯାଇ କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ କରାଗଲା। ହେଲେ ବସ୍ତି ବସିଥିବା ୧୬ ଏକର ୧୩ ଡିସମିଲ ଜମିକୁ ଏଯାଏ କେବଳ ୪-୧ ଲଗାଇ ଛାଡ଼ି ଦିଆଯାଇଛି। ଲୋକେ ଠିକ ଭାବେ କ୍ଷତିପୂରଣ ପାଇଲେ ତ ନାହିଁ, ଚାକିରି ମଧ୍ୟ ମିଳିଲାନି। ଭିଟାମାଟିକୁ ଜାବୁଡ଼ି ଧରି ସେମାନେ ୨୫ ବର୍ଷ ହେଲା ବିଷାକ୍ତ ପ୍ରଦୂଷଣ ବଳୟ ଭିତରେ ଛାଟିପିଟି ହେଉଛନ୍ତି।
ବିସ୍ଥାପନ ନୀତି ୨୦୧୩ ଲାଗୁ କରାଯିବା ସହ ବର୍ତ୍ତମାନ ସାବାଳକଙ୍କୁ ନିଯୁକ୍ତି ପ୍ରଦାନ, ଗାଁଲୋକଙ୍କୁ ଶୀଘ୍ର ବିସ୍ଥାପିତ କରି ପୁନର୍ବସତି ସ୍ଥାନରେ ୧୦ ଡିସମିଲ ଜମି ପଟ୍ଟା ପ୍ରଦାନ, ପୁନର୍ବସତି ସ୍ଥାନରେ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବା, ପୂର୍ବରୁ ଚାକିରି ହରାଇଥିବା ବ୍ୟକ୍ତି ବିଶେଷଙ୍କୁ ପୁଣି ନିଯୁକ୍ତି ଦେବା, ଯେଉଁମାନଙ୍କ ଜମିବାଡ଼ି ନାହିଁ ଓ ‘ସୁଖବାସୀ’ ଅଟନ୍ତି ସେମାନଙ୍କୁ ବିସ୍ଥାପିତ ବର୍ଗରେ ରଖି ଘରବାଡ଼ି ଯୋଗାଇ ଦେବା, ସେମାନଙ୍କ ମାସକ ୩ ହଜାର ଟଙ୍କା ପେନସନ, ଗ୍ରାମଦେବତାଙ୍କ ସକାଶେ ମନ୍ଦିର ନିର୍ମାଣ, ବାହ୍ୟ ନିଯୁକ୍ତି ଉପରେ ସିବିଆଇ ତଦନ୍ତ କରାଯାଇ ଆଦି ଦାବି ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି। ଏହି ଦାବିପତ୍ର ଏମସିଏଲ ପରିଚାଳିତ ଇବଭ୍ୟାଲି ଓ ଲଖନପୁର କୋଇଲା ଖଣି କ୍ଷେତ୍ର ଅଂଚଳବାସୀଙ୍କ ପାଇଁ ବୋଲି ବିଜେପି ଉଲ୍ଲେଖ କରିଛି।
ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଲଖନପୁର ତହସିଲ୍ଦାର ହେମସାଗର ଭୋଇଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଆଇନଜୀବୀ ସୁଧାଂଶୁ ପୁରୋହିତ, ଜିଲ୍ଲା ପରିଷଦ ସଭ୍ୟ ସାମଲ ନାଏକ, ଜିଲ୍ଲା ସାଧାରଣ ସଂପାଦକ ରଘୁନନ୍ଦନ ପଣ୍ଡା, ଉପସଭାପତି ସଂଜୟ ସିଂ, ରବୀନ୍ଦ୍ର ସାହୁ, ସଚିଦାନନ୍ଦ ଓରାମ, ସୁରେଶ ସିଂ, ଘନଶ୍ୟାମ ବାରିକ, ବୈକୁଣ୍ଠ ପ୍ରଧାନ, ସୁଦାମ ପ୍ରଧାନ, ଚକାନନ ସା ପ୍ରମୁଖ ଉଦବୋଧନ ଦେଇଥିଲେ। ଆଇନଜୀବୀ ସମୀର ମିଶ୍ର ପରିଚାଳନା କରିଥିଲେ। ଶତାଧିକ ଦଳୀୟ କର୍ମୀ ଏବଂ ପୁରୁଷ ମହିଳା ଏହି ପ୍ରତିବାଦରେ ସାମିଲ ହୋଇଥିଲେ। ବନହରପାଲି ଥାନାଧିକାରୀ ପୁରୁଷୋତ୍ତମ ଭୋଇଙ୍କ ସମେତ ପୁଲିସ ବଳ ମୁତୟନ କରାଯାଇଥିଲା।
ଲଖନପୁର ଏମସିଏଲ ଅଫିସ୍ରେ ବିଜେପିର ପ୍ରତିବାଦ
ଭିଟାମାଟି ହରାଇଲେ, ବିସ୍ଥାପିତ ହେଲେନି
/sambad/media/post_attachments/wp-content/uploads/2017/12/jhars.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)