ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି କଂଗ୍ରେସ, ବିଜେପି ଓ ବିଜେଡି ଦଳର ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତିନି ଦଳ ଭିନ୍ନ ଭିନ୍ନ ଶୋଭାଯାତ୍ରାରେ ଆସି ଝାରସୁଗୁଡ଼ା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବିଜେଡିରୁ ଅଳକା ମହାନ୍ତି, ବିଜେପିରୁ ରାଧାରାଣୀ ପଣ୍ଡା ଓ କଂଗ୍ରେସରୁ କିଶୋର ପଟେଲ ସେମାନଙ୍କ ନାମାଙ୍କନ ଉପଜିଲ୍ଲାପାଳ ଦୟାମୟ ପାଢ଼ୀଙ୍କ ନିକଟରେ ଦାଖଲ କରିଛନ୍ତି। ବିଜେଡି ଶୋଭାଯାତ୍ରାରେ ବବି ଦାସ, ମନ୍ତ୍ରୀ ନବ ଦାସ, ମନ୍ତ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ଟୁକୁନି ସାହୁ, ପ୍ରସନ୍ନ ଆଚାର୍ଯ୍ୟ, ପର୍ଯ୍ୟବେକ୍ଷକ ସୁବାଷ ସିଂ ପ୍ରମୁଖ ଯୋଗ ଦେଇଥିବା ବେଳେ ବିଜେପିରେ ସାଂସଦ ସୁରେଶ ପୂଜାରୀ, ଜୁଏଲ ଓରାମ, ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। କଂଗ୍ରେସରେ ରାଜ୍ୟ ନେତୃବୃନ୍ଦ କେହି ନଥିବା ଦେଖା ଯାଇଥିଲା।
ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ହେଉଛନ୍ତି ବ୍ରଜରାଜନଗରର ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ। କିଶୋର କଂଗ୍ରେସ ସରକାର ସମୟରେ ମନ୍ତ୍ରୀ, ବିଧାନସଭା ବାଚସ୍ପତି ପଦରେ ରହିଥିଲେ। ୨୦୧୪ ନିର୍ବାଚନରେ ବିଧାୟକ ଅନୁପ ସାଏ କଂଗ୍ରେସ ଛାଡ଼ି ବିଜେଡିରୁ ଏହି ଆସନରେ ଲଢ଼ିଥିବା ବେଳେ କଂଗ୍ରେସ ଶ୍ରୀ ପଟେଲଙ୍କୁ ଏଠାରେ ଟିକେଟ ଦେଇଥିଲା। ତେବେ ଶ୍ରୀ ପଟେଲ ୩୮ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ବିଜେପି ପ୍ରାର୍ଥୀ ରାଧାରାଣୀ ଗତ ୨୦୧୪ ମସିହାରେ ଏହି ଆସନରେ ବିଜେପିରୁ ୫୦ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ୨୦୧୯ରେ ପରାଜୟ ବରଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/58a48ac7-85bf-4f5d-adbd-71ab77098e4d.jpg)