ଝାରସୁଗୁଡ଼ା, (ଉପନ ସାହୁ): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ଏକଦା କଂଗ୍ରେସ ଓ ବାମପନ୍ଥୀ ଦଳର ଏକ ଅଭେଦ୍ୟ ଦୁର୍ଗ ଥିଲା। ୧୯୬୧ ମସିହା ଠାରୁ ୨୦୧୪ ମସିହା ମଧ୍ୟରେ ଏହି ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହୋଇଯାଇଥିବା ୧୩ ଗୋଟି ବିଧାନସଭା ନିର୍ବାଚନରେ କମ୍ୟୁନିଷ୍ଟ ପାର୍ଟି ୬ ଥର, କଂଗ୍ରେସ ଓ ଓଡ଼ିଶା ଜନ କଂଗ୍ରେସ ୬ ଥର ଏବଂ ବିଜେପି ଥରେ ଏହି ଆସନ ଦଖଲ କରିଛି। ୧୯୯୫ ମସିହା ପର୍ଯ୍ୟନ୍ତ ଏଠାରେ କମ୍ୟୁନିଷ୍ଟ ନେତା ସ୍ବର୍ଗତ ପ୍ରସନ୍ନ କୁମାର ପଣ୍ଡାଙ୍କ ଅଖଣ୍ଡ ପ୍ରଭାବ ଥିଲା। ଫଳରେ କମ୍ୟୁନିଷ୍ଟ ପାର୍ଟି ବ୍ୟତୀତ ଅନ୍ୟ କୌଣସି ରାଜନୈତିକ ଦଳ ଏଠାରେ ତିଷ୍ଠି ରହିବା କଷ୍ଟକର ହେଉଥିଲା। ସ୍ବର୍ଗତ ପଣ୍ଡାଙ୍କ ଦେହାନ୍ତ ପରେ ଓ ବିଭିନ୍ନ କାରଣ ଯୋଗୁଁ ଏଠାରେ କମ୍ୟୁନିଷ୍ଟ ଦଳର ଦୁର୍ଗ ଦୁର୍ବଳ ହୋଇଯାଇଥିଲା। ସ୍ବର୍ଗତ ପଣ୍ଡା ଏହି ନିର୍ବାଚନମଣ୍ଡଳୀରୁ ୧୯୬୧, ୧୯୬୭, ୧୯୭୪, ୧୯୮୫,୧୯୯୦ ଓ ୧୯୯୫ ମସିହାରେ ମୋଟ ୬ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।
କଂଗ୍ରେସ ଦଳର ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଉପେନ୍ଦ୍ର ଦୀକ୍ଷିତ ମଧ୍ୟ ଏଠାରେ କଂଗ୍ରେସକୁ ଶକ୍ତିଶାଳୀ କରିଥିଲେ। ସ୍ବର୍ଗତ ଦୀକ୍ଷିତ ଏହି ନିର୍ବାଚନ ମଣ୍ଡଳୀରୁ ୧୯୭୧ ମସିହାରେ ଡ. ହରେକୃଷ୍ଣ ମହାତାବଙ୍କ ଓଡ଼ିଶା ଜନ କଂଗ୍ରେସ ଦଳରୁ ପ୍ରଥମେ ବିଧାୟକ ହୋଇଥିଲେ ଓ ପରେ କଂଗ୍ରେସ ଦଳରୁ ୧୯୭୭ ଓ ୧୯୮୦ ମସିହା ନିର୍ବାଚନରେ ବିଜୟୀ ହୋଇଥିଲେ। ୨୦୦୦ , ୨୦୦୪ ଓ ୨୦୦୯ ମସିହା ନିର୍ବାଚନରେ ଏଠାରୁ କଂଗ୍ରେସ ଦଳର ପ୍ରାର୍ଥୀ ଅନୁପ କୁମାର ସାଏ ଲଗାତାର ବିଜେପି ଦଳର ସୁରେଶ ପୂଜାରୀଙ୍କୁ ପରାଜୟ କରି ବ୍ରଜରାଜନଗରରେ ଅଖଣ୍ଡ କ୍ଷମତା ଅକ୍ତିଆର କରିଥିଲେ। ୨୦୦୦ ମସିହାରେ ଏଠାରେ ବିଜେପି ୧୦ ହଜାର ଭୋଟରେ ପରାଜୟ ବରଣ କରିଥିବା ବେଳେ ୨୦୦୪ରେ ଏହାର ହାର କମିଯାଇ ୧୧ ଶହକୁ ଓ ୨୦୦୯ରେ ୧୭ ଶହକୁ ଚାଲି ଆସିଥିଲା। ୨୦୧୪ ନିର୍ବାଚନରେ କିନ୍ତୁ ଶ୍ରୀ ସାଏ ପରାଜୟର ସ୍ବାଦ ଚାଖିଥିଲେ। ନିର୍ବାଚନ ପୂର୍ବରୁ ଶ୍ରୀ ସାଏ କଂଗ୍ରେସ ଦଳରୁ ଇସ୍ତଫା ଦେଇ ଶାସକ ବିଜେଡ଼ି ଦଳରେ ଯୋଗଦେଇ ଏଠାରୁ ବିଜେଡ଼ି ଟିକେଟରେ ପ୍ରତିଦ୍ବନ୍ଦିତା କରିଥିଲେ। ତାଙ୍କୁ ଟକ୍କର ଦେଇଥିଲେ ବିଜେପିର ଶ୍ରୀମତୀ ରାଧାରାଣୀ ପଣ୍ଡା। ଏହି ନିର୍ବାଚନରେ ରାଧାରାଣୀ ପଣ୍ଡା ବିଜେଡ଼ିକୁ ୬ ହଜାର ୭ ଶହ ଭୋଟରେ ପରାସ୍ତ କରିଥିଲେ। କଂଗ୍ରେସ ପ୍ରାର୍ଥୀ ପୂର୍ବତନ ବାଚସ୍ପତି କିଶୋର ପଟେଲ ତୃତୀୟ ସ୍ଥାନରେ ରହିଥିଲେ। ଆଗାମୀ ୨୦୧୯ ନିର୍ବାଚନରେ ରାଧାରାଣୀ ପଣ୍ଡା ତାଙ୍କ ଆସନ ବଜାୟ ରଖିବା ପାଇଁ ଉଦ୍ୟମ ଅବ୍ୟାହତ ରଖିଥିବା ବେଳେ ଅନୁପ ସାଏ ଏହି ଆସନରେ ପୁଣି ଥରେ ବିଜୟୀ ହେବାକୁ ଅଣ୍ଟା ଭିଡ଼ିଛନ୍ତି। କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିବା ପରେ ଶ୍ରୀ ସାଏ ଏଠାରେ ବିଜେଡ଼ିକୁ ସଂଗଠିତ କରିଛନ୍ତି। ନିର୍ବାଚନ ମଣ୍ଡଳୀରେ ଘନଘନ ଗସ୍ତ କରୁଛନ୍ତି।
ତେବେ ବିଜେପି ଓ ବିଜେଡ଼ି ତୁଳନାରେ କଂଗ୍ରେସ ସଂଗଠନ ଏଠାରେ ଦୁର୍ବଳ ହୋଇ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି। ବିଜେପିରେ ପ୍ରଥମ ଥର ବିଧାୟିକା ହୋଇ ଶ୍ରୀମତୀ ପଣ୍ଡା ବିଧାନସଭାରେ ମଧ୍ୟ ସରକାରଙ୍କୁ ବାରମ୍ବାର ଅସୁବିଧାରେ ପକାଇ ନିଜର ସ୍ଥିତି ସୁଦୃଢ଼ କରିପାରିଛନ୍ତି। ତେବେ ବିଧାୟିକା ଶ୍ରୀମତୀ ପଣ୍ଡା ଓ ପୂର୍ବତନ ବିଧାୟକ ଶ୍ରୀ ସାଏ ଏବେ କିଛି ବିରୋଧୀ ଗୋଷ୍ଠୀଙ୍କ ଦ୍ବାରା ଅଡ଼ୁଆରେ ପଡ଼ୁଥିବା ଦେଖା ଯାଇଛି। ଉଭୟଙ୍କ ବିରୁଦ୍ଧରେ ଏବେ ପୋଷ୍ଟର ୱାର ଉଗ୍ରରୂପ ନେଇଥିବା ବେଳେ ଆଗକୁ ଏହି ଅସନ୍ତୋଷ ବୃଦ୍ଧି ପାଇବା ନେଇ ଅନୁମାନ କରାଯାଉଛି। ଆଗାମୀ ନିର୍ବାଚନରେ ଶ୍ରୀମତୀ ପଣ୍ଡାଙ୍କୁ ବିଜେପି ଟିକେଟ ମିଳିବାରେ ସେପରି କୌଣସି ଅସୁବିଧା ନାହିଁ। ବିଜେଡ଼ି ଟିକେଟ ନେଇ ପୂର୍ବ ବିଧାୟକ ଶ୍ରୀ ସାଏ ଆଶାବାଦୀ ଥିବା ବେଳେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତିଙ୍କୁ ମଧ୍ୟ ଏଠାରେ ଟିକେଟ ମିଳିବା ନେଇ ଆଲୋଚନା ହେଉଛି। କଂଗ୍ରେସ ଟିକେଟ ପାଇବା ପାଇଁ ପୂର୍ବତନ ବାଚସ୍ପତି କିଶୋର ପଟେଲ ନିଶ୍ଚିତ ଥିବା ବେଳେ ଗଣ୍ଡୱାନା ଗୋଣ୍ଡ ସମାଜର ନେତା ମହେନ୍ଦ୍ର ନାୟକ ଏଠାରୁ କଂଗ୍ରେସ ଟିକେଟ ପାଇବା ପାଇଁ ଆବେଦନ କରିଥିବା ଜଣାଯାଇଛି। ତିନି ଦଳର ହେବିୱେଟ୍ ଆଗାମୀ ନିର୍ବାଚନକୁ ବେଶ ପ୍ରଭାବିତ କରିବେ ଏଥିରେ ସଂଦେହ ନାହିଁ।
୨୦୧୪ ନିର୍ବାଚନ ଫଳାଫଳ
ବିଜେପି ଶ୍ରୀମତୀ ରାଧାରାଣୀ ପଣ୍ଡା ୫୦,୭୩୬
ବିଜେଡ଼ି ଅନୁପ କୁମାର ସାଏ ୪୩,୯୪୬
କଂଗ୍ରେସ କିଶୋର ପଟେଲ ୩୮,୧୭୫
ସିପିଆଇ ଗଜାନନ ସାହୁ ୬,୪୩୬