ଝାରସୁଗୁଡ଼ା: ସଦର ଥାନା ଅନ୍ତର୍ଗତ ତେଲିଭଟା, କବରସ୍ଥାନପଡ଼ା ହନୁମାନ ମନ୍ଦିର ନିକଟରେ ଜଣେ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ବୁଲାବୁଲି କରୁଥିବା ସୂଚନା ପାଇ ପୁଲିସ୍ ଚଢ଼ାଉ କରିଥିଲା। ଯାଞ୍ଚ ସମୟରେ ପୁଲିସ୍ ଉକ୍ତ ସନ୍ଦିଗ୍ଧ ଯୁବକ ପିନ୍ଧିଥିବା ଜ୍ୟାକେଟ୍ରୁ ୧୮.୨୯ ଗ୍ରାମ ଓଜନର ବ୍ରାଉନ୍ସୁଗାର ଜବତ କରିଥିଲା। ଏହି ଘଟଣାରେ ପୁଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଛୋଟୁ ସେନ୍ଦ୍ରିଆକୁ ଗିରଫ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୧ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ଅତିରିକ୍ତ ଏସ୍ପି ଲମ୍ବୋଦର ବୁଡ଼ା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେପଟେ, ଅଭିଯୁକ୍ତ ଛୋଟୁ ବିରୋଧରେ ପୂର୍ବରୁ ବି ଅପରାଧିକ ମାମଲା ରହିଥିବା ବେଳେ ଗତକାଲି ତା' ସହିତ ଉପସ୍ଥିତ ଥିବା ସ୍ତ୍ରୀ ଓ ଝିଅର ସମ୍ପୃକ୍ତି ଦିଗରେ ମଧ୍ୟ ପୁଲିସ୍ ତଦନ୍ତ ଚଳାଇଛି।
ସୂଚନା ଅନୁସାରେ, ତେଲିଭଟା ଅଞ୍ଚଳକୁ ନିୟମିତ ରାଉରକେଲାରୁ ବ୍ରାଉନସୁଗାର ଆସୁଥିବା ନେଇ ପୁଲିସ୍ ସୂଚନା ପାଇଥିଲା। ବିଶ୍ବସ୍ଥ ସୂତ୍ରରୁ ଖବର ପାଇ ଗତକାଲି ସନ୍ଧ୍ୟାରେ ସଦର ଥାନାଧିକାରୀ ସ୍ବପ୍ନାରାଣୀ ଗୋଚ୍ଛାୟତ ଏକ ଟିମ୍ ସହ ତେଲିଭଟା ହନୁମାନ ମନ୍ଦିର ନିକଟରେ ଛକି ରହିଥିଲେ। ଏହି ସମୟରେ ଛୋଟୁ ନିଜର ସ୍ତ୍ରୀ ଓ ଝିଅ ସହିତ ଟ୍ରେନ୍ରୁ ଓହ୍ଲାଇ ଉକ୍ତ ବ୍ରାଉନ୍ସୁଗାରକୁ ଡେଲିଭରି ଦେବାକୁ ହନୁମାନ ମନ୍ଦିର ନିକଟରେ ଅପେକ୍ଷା କରିଥିବା ବେଳେ ପୁଲିସ୍ ଟିମ୍ ତାକୁ ମାଡ଼ି ବସିଥିଲା। ଯାଞ୍ଚ ସମୟରେ ଏକ ଛୋଟ ପଲିଥିନ୍ରୁ ୨୫୦ଟି ପ୍ୟାକେଟ୍ରେ ଭର୍ତ୍ତି ହୋଇଥିବା ବ୍ରାଉନ୍ସୁଗାର ଏବଂ ୫୨ଟି ଖାଲି ପ୍ୟାକେଟ୍ ମିଳିଥିଲା। ମାଜିଷ୍ଟ୍ରେଟ୍ ଭାବେ ଅତିରିକ୍ତ ତହସିଲଦାର କୌଶିକ ମେହେରଙ୍କ ଉପସ୍ଥିତିରେ ପୁଲିସ୍ ଉକ୍ତ ବ୍ରାଉନସୁଗାରର ଓଜନ କରିବା ପରେ ତାହା ୧୮.୨୯ଗ୍ରାମ ଥିବା ଜଣାପଡ଼ିଥିଲା। ଏହି ଚଢ଼ାଉରେ ଅନ୍ୟମାନଙ୍କ ମଧ୍ୟରେ ଏସ୍ଆଇ ପି. କୁଲ୍ଲୁ, ଏସ୍ଏସ୍ ଚୌଧୁରୀ, ଜି.ଆର. ସା, ଏସ୍ ପାନ୍ନା ପ୍ରମୁଖ ସାମିଲ୍ ରହିଥିଲେ। ଉଲ୍ଳେଖଯୋଗ୍ୟ, ପୂର୍ବରୁ ବି ଝାରସୁଗୁଡ଼ା ସହରକୁ ବ୍ରାଉନ୍ସୁଗାର ବିକ୍ରି ପାଇଁ ଅଣାଯାଇଥିବା ବେଳେ ପୁଲିସ୍ ୩ ବର୍ଷରେ ୪ଟି ମାମଲା ରୁଜୁ କରିଛି। ଗତ ସେପ୍ଟେମ୍ବର ୨୭ ତାରିଖରେ ଝାରସୁଗୁଡ଼ା ପୁଲିସ୍ ମଙ୍ଗଳବଜାର ଅଞ୍ଚଳରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିବା ସହ ୧୫ ଗ୍ରାମ୍ ଓଜନର ବ୍ରାଉନସୁଗାର ଓ ଗୋଟିଏ ସିଙ୍ଗଲ୍ ସଟ୍ ବନ୍ଧୁକ ଜବତ କରିଥିଲା।
ଲକ୍ଷେ ୭୦ ହଜାର ଟଙ୍କାର ବ୍ରାଉନ୍ ସୁଗାର ଜବତ, ଯୁବକ ଗିରଫ
/sambad/media/post_attachments/wp-content/uploads/2024/02/698f8f86-100c-4b90-9695-b53534bc7cca.jpeg)