ଝାରସୁଗୁଡ଼ା/ଲଇକେରା: ସରକାର ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି। ପିଲାମାନେ ନିର୍ଭୟରେ ପାଠପଢ଼ିବେ ବୋଲି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। କିନ୍ତୁ ଅନେକ ସ୍ଥାନରେ ଏହାର ବ୍ରତୀକ୍ରମ ଦେଖାଯାଉଛି। ଘରୋଇ ସ୍କୁଲରେ ପୁଣି ଜଣେ ଛାତ୍ରୀକୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଶିକ୍ଷକଙ୍କ ଡଷ୍ଟର ମାଡ଼ରେ ଛାତ୍ରୀ ଗୁରୁତର ହୋଇଛନ୍ତି। ଲଇକେରା ଥାନା ଅନ୍ତର୍ଗତ ବାଗଡିହି ସେଣ୍ଟ ଆରଲନୋଲ୍ଡ ସ୍କୁଲରେ ଘଟିଥିବା ଏହି ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି।
ଏନେଇ ଛାତ୍ରୀଙ୍କ ବାପା ମହେଶ ଅଗ୍ରୱାଲଙ୍କ ଏତଲା ଆଧାରରେ ଲଇକେରା ଥାନା ପୁଲିସ୍ ଏକ ମାମଲା ରୁଜୁ କରିଥିବା ଅଭିଯୁକ୍ତ ଶିକ୍ଷକ ପୁଷ୍କର ବରୱାକୁ ଅଟକ ରଖି ପଚରାଉଚରା କରୁଛି। ସେପଟେ, ଛାତ୍ରୀଙ୍କୁ ପ୍ରଥମେ ବାଗଡିହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରୁ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଛାତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗି ମୁଣ୍ଡ ଫାଟି ଯାଇଥିବା ଜଣାପଡ଼ିଛି।
ଅଭିଯୋଗ ଅନୁସାରେ, ଆଜି ଦିନ ପ୍ରାୟ ୧୨ଟା ବେଳେ ସ୍କୁଲରେ କ୍ଲାସ୍ ଚାଲୁଥିଲା। ପିରିୟଡ୍ ଚେଞ୍ଜ ସମୟରେ ଦ୍ବିତୀୟ ଶ୍ରେଣୀର ଛାତ୍ରଛାତ୍ରୀ ପାଟିତୁଣ୍ଡ କରିଥିଲେ। ସେହି ସମୟରେ ପିଇଟି ଶିକ୍ଷକ ଶ୍ରୀ ବରୱା କ୍ଲାସ୍ ଭିତରକୁ ପ୍ରବେଶ କରିଥିଲେ। ଆହତ ହୋଇଥିବା ଛାତ୍ରୀ ଅନିକା ଅଗ୍ରୱାଲ(୭) ଓ ଅନ୍ୟମାନେ ପାଟିତୁଣ୍ଡ କରୁଥିବା ଦେଖି ଶିକ୍ଷକ ଶ୍ରୀ ବର୍ୱା ଉତ୍କ୍ଷିପ୍ତ ହୋଇଉଠିଥିଲେ। ଏହାପରେ କ୍ଲାସରୁମ୍ ଟେବଲରେ ଥିବା ଏକ ଡଷ୍ଟରକୁ ଶ୍ରୀ ବର୍ୱା ଉଠାଇ ଅନିକାଙ୍କୁ ଲକ୍ଷ୍ୟ କରି ଫିଙ୍ଗି ଦେଇଥିଲେ। ଅନିକାଙ୍କ ମୁଣ୍ଡରେ ଡଷ୍ଟର ବାଜିବା କ୍ଷଣି ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା।
ଏହି ଘଟଣା ପରେ ସ୍କୁଲ କର୍ତ୍ତୃପକ୍ଷ ଅନିକାଙ୍କ ଅଭିଭାବକଙ୍କୁ ଡାକି ଛାତ୍ରୀଙ୍କୁ ନେଇଯିବାକୁ କହିଥିଲେ। ଅନିକାଙ୍କ ବାପା ଶ୍ରୀ ଅଗ୍ରୱାଲ ସ୍କୁଲରେ ପହଞ୍ଚି ଝିଅର ଅବସ୍ଥା ଦେଖି ଚିନ୍ତିତ ହୋଇଯିବା ପରେ ତାଙ୍କୁ ନେଇ ବାଗଡିହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଝାରସୁଗୁଡ଼ା ଅଣାଯାଇଥିବା ବେଳେ ପରିବାରର ଅନ୍ୟ ସଦସ୍ୟ ଥାନାକୁ ଯାଇ ସ୍କୁଲ ଶିକ୍ଷକଙ୍କ ବିରୋଧରେ ଏତଲା ଦେଇଥିଲେ।
Jharsuguda