ତେଜୁଛି ହାର୍ଟ ହସ୍ପିଟାଲ ନାମକରଣ ବିବାଦ: ନବ ଦାସ ଓ କିଶୋର ମହାନ୍ତିଙ୍କ ନାମରେ ନାମିତ କରିବାକୁ ଦାବି କରୁଛନ୍ତି ଦୁଇ ଗୋଷ୍ଠୀ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ପଶ୍ଚିମ ଓଡ଼ିଶାର ପ୍ରଥମ ଶହେ ଶଯ୍ୟା ବିଶିଷ୍ଟ ସରକାରୀ ସୁପର ସ୍ପେସାଲିଟି ହାର୍ଟ ହସ୍ପିଟାଲ୍‌ ନିର୍ମାଣ ଶେଷ ହେବାର ପ୍ରାୟ ୨୩ ମାସ ପରେ ଗତ ୧ ତାରିଖ ରାଜ୍ୟ ସରକାରଙ୍କ ପକ୍ଷରୁ ଆହୂତ ‌ଟେଣ୍ଡରରେ କୋଲକାତାର ବିଏମ୍‌ଆର୍‌ସି ହସ୍ପିଟାଲ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଏହାର ପରିଚାଳନା ଦା‌ୟିତ୍ବ ମିଳିଛି। ଏହି ହସ୍ପିଟାଲର ନାମକରଣ ହେବା ପରେ ଯାଇ ପରିଚାଳନା ପାଇଁ ବିଏମ୍‌ଆର୍‌ସି ହସ୍ପିଟାଲ ସହ ଏମ୍‌ଓୟୁ ହେବ। କିନ୍ତୁ ହସ୍ପିଟାଲ କାହା ନାମରେ ହେବ ତା’କୁ ନେଇ ବିବାଦ ଲାଗି ରହିଥିବାରୁ ବର୍ତ୍ତମାନ ସୁଦ୍ଧା ଏମ୍‌ଓୟୁ କଥା ଚିନ୍ତା କରାଯାଇ ନାହିଁ। ୮ ଜଣ ଜିଲ୍ଲାପରିଷଦ ସଭ୍ୟ, ବେଲପାହାଡ଼ ମ୍ୟୁନିସିପାଲିଟି ଓ ଝାରସୁଗୁଡ଼ା‌ ମ୍ୟୁନିସିପାଲିଟିର ନିର୍ବାଚିତ ପ୍ରତିନିଧିମାନେ ସ୍ବର୍ଗତ ନବ ଦାସଙ୍କ ନାମରେ ହସ୍ପିଟାଲର ନାମକରଣ ପ୍ରସ୍ତାବ ଦେଇଥିବା ବେଳେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କ ଗୋଷ୍ଠୀ କିଶୋର ମହାନ୍ତିଙ୍କ ନାମରେ ଏହାକୁ ନାମିତ କରିବାକୁ ଦାବି କରୁଛନ୍ତି। ଏହି ଘଟଣାରେ ମଧ୍ୟ ଜିଲ୍ଲା ପ୍ରଶାସନ ନିଜକୁ ସୁରକ୍ଷିତ ପାର୍ଶ୍ବରେ ରଖି, ସମସ୍ତ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ଦେଇଥିବା ବେଳେ ନିର୍ଦ୍ଦିଷ୍ଟ କେଉଁ ନାମରେ ନାମକରଣ ହେବ ସ୍ପଷ୍ଟ କରିନାହିଁ। ଫଳରେ ହାର୍ଟ ହସ୍ପିଟାଲର ନାଁ’ କ’ଣ ରହିବ, ଏବେ ତାହା ରାଜ୍ୟ ସରକାର ହିଁ ନିଷ୍ପତ୍ତି ନେବେ।


୨୫ ଡିସେମ୍ବର ୨୦୧୬ରେ ଏହି ହସ୍ପିଟାଲ ପାଇଁ କେୟାର ହସ୍ପିଟାଲ ସହ ରାଜ୍ୟ ସରକାର ଚୁକ୍ତି ସ୍ବାକ୍ଷର କରିଥିଲେ। ୭୫ କୋଟି ଟଙ୍କା ବ୍ୟୟରେ ୨୦୨୧ ମସିହାରେ ହସ୍ପିଟାଲର ନିର୍ମାଣ କାମ ମଧ୍ୟ ଶେଷ ହୋଇଥିଲା। ଇତିମଧ୍ୟରେ ହସ୍ପିଟାଲ ପାଇଁ ଆସିଥିବା ଯନ୍ତ୍ରାଂଶଗୁଡ଼ିକ ମଧ୍ୟରୁ ପ୍ରାୟ ୮୦ %ଏକାଧିକ ପର୍ଯ୍ୟାୟରେ ରାଜ୍ୟ ସରକାର ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରି ସାରିଲେଣି। ଏବେ ନୂଆ ସଂସ୍ଥା ସହ ଚୁକ୍ତି ହେବାପରେ ପୁଣିଥରେ ଯନ୍ତ୍ରାଂଶ ଫେରିଆସିବ ବୋଲି ସୂଚନା ମିଳିଛି। ଗତ ୧ ତାରିଖ ଏହି ହସ୍ପିଟାଲ ପରିଚାଳନା ସମ୍ପର୍କିତ ଟେଣ୍ଡର ବାହାରିବା ପରେ ଜିଲ୍ଲା ପ୍ରଶାସନ, ସିଭିଲ ସୋସାଇଟି ଓ ରାଜନୈତିକ ଦଳଙ୍କ ବୈଠକ ପରେ କେଉଁ ନାମରେ ନାମକରଣ କରାଯିବ ଆଲୋଚନା ହୋଇଥିଲା। କିନ୍ତୁ ଏକାଧିକ ପ୍ରସ୍ତାବ ଯୋଗୁ କୌଣସି ନିଷ୍କର୍ଷ ବାହାରି ନ ଥିଲା। ବୁଧବାର ପ୍ରଶାସନ ପୁଣି ଏକ ବୈଠକ ଡାକିଥିଲା। ଏହାପରେ ମଧ୍ୟ ନାମକୁ ନେଇ ନିଷ୍ପତ୍ତି ହୋଇନି। ଗତମାସରେ ଝାରସୁଗୁଡ଼ାରେ ରାବଣପୋଡ଼ିକୁ ନେଇ ହୋଇଥିବା ନବ-କିଶୋର ଗୋଷ୍ଠୀଙ୍କ ବିବାଦରେ ପ୍ରଶାସନ ରାଜ୍ୟ ସରକାରଙ୍କ କୋର୍ଟକୁ ବଲ୍‌ ଫିଙ୍ଗି ବିବାଦର ଅବସାନ ଘଟାଇବାରେ ସଫଳ ହୋଇଥିବା ବେଳେ ହାର୍ଟ ହସ୍ପିଟାଲ ନାମକରଣ ପ୍ରସଙ୍ଗରେ ମଧ୍ୟ ଅନୁରୂପ ଗୋଟିଚାଳନା କରିଛି।
ଦୀପାଳି-ଜିଲ୍ଲାପାଳଙ୍କ ମଧ୍ୟରେ ଶୀତଳ ଯୁଦ୍ଧ! 
ସ୍ବର୍ଗତ ବିଧାୟକ ନବ ଦାସଙ୍କ ଉଦ୍ୟମ କ୍ରମେ ଝାରସୁଗୁଡ଼ାରେ ହାର୍ଟ ହସ୍ପିଟାଲର ନିର୍ମାଣ ହୋଇଥିଲା। ତେଣୁ ଏହି ହସ୍ପିଟାଲକୁ ନବ ଦାସ ମେମୋରିଆଲ ହାର୍ଟ ହସ୍ପିଟାଲ କରିବାକୁ ଦୀପାଳିଙ୍କ ଗୋଷ୍ଠୀ ପକ୍ଷରୁ ଦାବି ହୋଇଆସୁଛି। ଖାଲି ବିଜେଡି ନୁହେଁ, କଂଗ୍ରେସ ପକ୍ଷରୁ ମଧ୍ୟ ନବ ଦାସଙ୍କ ନାମକୁ ସ୍ବୀକୃତି ଦେବାକୁ ଦାବି ହେଲାଣି। କିନ୍ତୁ ଜିଲ୍ଲା ପ୍ରଶାସନ ପ୍ରଥମ ଓ ଦ୍ବିତୀୟ ବୈଠକରେ ସମାନ ନାମ ପରେ ବି ନବ ଦାସଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ପଠାଉ ନ ଥିବା ବିଧାୟିକାଙ୍କ ଗୋଷ୍ଠୀ ପକ୍ଷରୁ ଅଭିଯୋଗ ହେଉଛି। କେବଳ ଏହି ଗୋଟିଏ ଘଟଣା ନୁହେଁ, ଝାରସୁଗୁଡ଼ାରେ ହେଉଥିବା ଅନେକ କାର୍ଯ୍ୟରେ ବିଧାୟିକା ଦୀପାଳି ଦାସ ଦେଉଥିବା ପ୍ରସ୍ତାବକୁ ଖୋଦ୍‌ ଜିଲ୍ଲାପାଳ ଅଗ୍ରାହ୍ୟ କରି ଦେଉଥିବା ନେଇ ଗତମାସରେ ତୃତୀୟ ମହଲାରେ ଅଭିଯୋଗ ବି ହୋଇଛି। ଯାହାକୁ ନେଇ ବିଧାୟିକା ଓ ଜିଲ୍ଲାପାଳଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ଚର୍ଚ୍ଚା ହେଉଛି।
‘ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ହେଉ’
ପୂର୍ବରୁ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସଙ୍କ ଗୋଷ୍ଠୀକୁ ବିରୋଧ କରିବାକୁ ଯାଇ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କ ଗୋଷ୍ଠୀ ହସ୍ପିଟାଲକୁ କିଶୋର ମହାନ୍ତିଙ୍କ ନାମରେ ନାମିତ କରିବାକୁ ଦାବି କରୁଥିଲେ। କିନ୍ତୁ ଏବେ ବିବାଦ ଘନେଇବା ପରେ ଅଳକା ଗୋଷ୍ଠୀ ପୁଣି ଝାରସୁଗୁଡ଼ା ଜିଲ୍ଲା ଗଠନ କରିଥିବା ବିଜୁ ପଟ୍ଟନାୟକଙ୍କ ନାମରେ ଏହାକୁ ନାମିତ କରିବାକୁ ଦାବି କରିଛନ୍ତି। ଗୁରୁବାର ଅଳକାଙ୍କ ଶତାଧିକ ସମର୍ଥକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାରାବାଜି କରିବା ସହ ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର