ଝାରସୁଗୁଡ଼ା, ୨।୯(ଇମିସ): ସରକାର କହୁଛନ୍ତି ଆଣ୍ଟିଜେନ୍‌ ପରୀକ୍ଷା ହୋଇଥିବା ଡେଙ୍ଗୁ ରିପୋର୍ଟ ଭରସାଯୋଗ୍ୟ ନୁହେଁ। ଏଥିପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ କରାଯାଇ ରାପିଡ୍‌ ଡାଇଗ୍ନୋଷ୍ଟିକ୍‌ କିଟ୍‌ ବ୍ୟବହାର ନକରି ସରକାରୀ ଡାକ୍ତରଖାନା ଯିବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ଘରୋଇ ପାଥୋଲ୍ୟାବ୍‌ଗୁଡ଼ିକରେ ଆଣ୍ଟିଜେନ୍‌ ପରୀକ୍ଷା ଉପରେ କୌଣସି କଟକଣା ଜାରି କରାଯାଇନାହିଁ। ଯଦ୍ବାରା ସରକାରୀ ରିପୋର୍ଟରେ ଅଦ୍ୟାବଧି ଝାରସୁଗୁଡ଼ାର ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଘରୋଇ ପାଥୋଲ୍ୟାବ୍‌ଗୁଡ଼ିକରେ ନିତିଦିନ ମାଳ ମାଳ ଆକ୍ରାନ୍ତଙ୍କ ତାଲିକା ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ ବରଂ ଉକ୍ତ ରୋଗୀଙ୍କୁ ଔଷଧ ବି ସେହି ଅନୁସାରେ ଖାଇବାକୁ ଦିଆଯାଉଛି। ଫଳରେ ପ୍ରକୃତରେ କେତେ ଲୋକ ଡେଙ୍ଗୁ ଆକ୍ରାନ୍ତ ତାହା ସ୍ପଷ୍ଟ ହୋଇପାରୁନାହିଁ।

Advertisment

ଏନେଇ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଏମ୍‌.ଏମ୍‌. ପଣ୍ଡାଙ୍କୁ ପଚାରିବାରେ ରାପିଡ୍‌ ଟେଷ୍ଟରେ ଆସୁଥିବା ପ୍ରାୟତଃ ରିପୋର୍ଟ ଭୁଲ୍‌ ହୋଇଥିବାରୁ ସମସ୍ତ ସନ୍ଦିଗ୍ଧଙ୍କର ଏଲିସା ଟେଷ୍ଟ କରାଯାଇଥାଏ ବୋଲି କହିଛନ୍ତି। ମାତ୍ର ଘରୋଇ ପାଥୋଲ୍ୟାବ୍‌ରେ ଆଣ୍ଟିଜେନ୍‌ ପରୀକ୍ଷା ବନ୍ଦ କରିବା ନେଇ ସରକାରଙ୍କ ପକ୍ଷରୁ କୌଣସି ଗାଇଡ୍‌ଲାଇନ୍‌ ଆସିନଥିବା ଡା. ପଣ୍ଡା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତକାଲି ଯାଏ ଝାରସୁଗୁଡ଼ା ଜିଲ୍ଲାରେ ୬ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଝାରସୁଗୁଡ଼ା ସହରର ଜଣେ ୩୭ ବର୍ଷର ପୁରୁଷ ଓ ଜଣେ ୪୪ ବର୍ଷୀୟା ମହିଳା ରହିଛନ୍ତି।