ଝାରସୁଗୁଡ଼ା: ସହର ଭିତରେ ଦୁର୍ନୀତି ସୀମା ପାର କରିଛି। ଚୋରି ହୋଇଯାଇଛି ୨୦ ଲକ୍ଷର ରାସ୍ତା। ଫଳକ ଲାଗିଛି, ବିଲ୍‌ ବି ପାସ୍‌ ହୋଇଛି, କିନ୍ତୁ ରାସ୍ତା ଗାଏବ୍‌। କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ଝାରସୁଗୁଡ଼ା ସହରର ୧୩ ନମ୍ବର ୱାର୍ଡରେ ଥିବା ଦେବାଡିହିରେ ସାମ୍‌ନାକୁ ଆସିଛି ଏଭଳି ଏକ ଚିତ୍ର। ସରକାରୀ ତଥ୍ୟ ଅନୁସାରେ, ୨୦୨୧ ମସିହାରୁ ଏହି ସିମେଣ୍ଟ କଂକ୍ରିଟ୍‌ ରାସ୍ତା କାମ ଶେଷ ହୋଇଯାଇଛି। କିନ୍ତୁ ଆଜି ବି ଲୋକଙ୍କୁ କାଦୁଅ ପଚପଚ ରାସ୍ତାରେ ଯିବାକୁ ପଡ଼ୁଛି। ଏ ସଂକ୍ରାନ୍ତରେ ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ମନୋଜ ତାଣ୍ଡିଙ୍କୁ ପଚାରିବାରେ, ଏହାର ତଦନ୍ତ ହେବ ବୋଲି କହିଥିଲେ।
ପ୍ରାପ୍ତ ସୂଚନାନୁସାରେ ୨୦୧୭-୧୮ ଆର୍ଥିକ ବର୍ଷରେ ଦେବାଡିହି ଗାଁ ମୁଖ୍ୟ ରାସ୍ତାରୁ ତିହାରୀଡାଭ୍‌ ପର୍ଯ୍ୟନ୍ତ ୮୦୦ ମିଟର ରାସ୍ତାକୁ ମେଟାଲିଂ କରିବା ପାଇଁ ପ୍ରକଳ୍ପ ଆରମ୍ଭ ହୋଇଥିଲା। ସମ୍ପୂର୍ଣ୍ଣ ନ ହେଲେ ବି କିଛି ଅଞ୍ଚଳରେ ମେଟାଲିଂ କରାଯାଇ ମୋରୁମ୍‌ ବିଛା ଯାଇଥିଲା। ଏହି ପ୍ରକଳ୍ପ ପାଇଁ ୧୦ ଲକ୍ଷ ଟଙ୍କା ସେତେବେଳେ ଖର୍ଚ୍ଚ ହୋଇଥିଲା। ଏହାର ୩ ବର୍ଷ ପରେ ୨୦୨୧ ମସିହାରେ ତିହାରୀଡାଭ୍‌ରୁ ଦେବାଡିହି ମୁଖ୍ୟ ରାସ୍ତା ଯାଏ ସମଗ୍ର ରାସ୍ତାକୁ ସିମେଣ୍ଟ କଂକ୍ରିଟ୍‌ କରିବାକୁ ପ୍ରସ୍ତାବ ହୋଇଥିଲା। ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ମ୍ୟୁନିସିପାଲଟି ପକ୍ଷରୁ ରାସ୍ତାକାମ ଆରମ୍ଭ କରି ଶେଷ ବି ହେଲା। ପ୍ରକଳ୍ପ ପାଇଁ ଖର୍ଚ୍ଚ ହେଲା ୨୦ ଲକ୍ଷ। କିନ୍ତୁ ମୁଖ୍ୟ ରାସ୍ତାରୁ ତିହାରୀଡାଭ୍‌ ଆଡ଼କୁ ଗୋଟିଏ ପର୍ଯ୍ୟାୟ ୪୦୦ ମିଟରର ରାସ୍ତା କଂକ୍ରିଟ୍‌ କରି ଠିକାଦାର ପୂରା ବିଲ୍‌ କରିନେଲେ। ଆଉ ୫ ଶହ ମିଟର ରାସ୍ତା ଏବେ ବି କଚ୍ଚା ରହିଛି। ଖାଲ ଢିପରେ ରାସ୍ତାଟି ପରିପୂର୍ଣ୍ଣ ଥିବାରୁ ଲୋକେ ବହୁ କଷ୍ଟରେ ଯିବାଆସିବା କରୁଛନ୍ତି। ତେବେ କାହିଁକି ଏହି ରାସ୍ତା ଅଧାରେ ରହିଲା, ବାକି ଅଧା ରାସ୍ତାର ଟଙ୍କା କୁଆଡ଼େ ଗଲା ତା’ର ଉତ୍ତର ବିଭାଗ ପାଖରେ ନାହିଁ। ଏବେ ପୁଣି ଥରେ ଏହି ରାସ୍ତା ପାଇଁ ଆଉ ଏକ ନୂଆ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଥିବା ସୂଚନା ମିଳିଛି।