ଇବଥର୍ମାଲ: ବିବାହ ଦୁଇ ପ୍ରାଣର ଆତ୍ମୀୟ ଓ ପବିତ୍ର ବନ୍ଧନ ବୋଲି ଜଣାଯାଏ। ସେଥିପାଇଁ ଯୁବକ ଯୁବତୀ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥାନ୍ତି। ହେଲେ, ଏଭଳି ଏକ ଘଟଣା ଘଟିଛି, ଯାହାକୁ ନେଇ ଏହି ବନ୍ଧନକୁ କୁଠାରଘାତ ଲାଗିଛି। ଦୁଇଟି କନ୍ୟା ସନ୍ତାନ ଜନ୍ମ ପରେ ବି ନିଜ ସ୍ତ୍ରୀଙ୍କୁ ପୁତ୍ର ସନ୍ତାନଟିଏ ପାଇଁ ଅନ୍ଧ ପାଲଟିଥିବା ସ୍ୱାମୀ ପର ପୁରୁଷ ସହ ସଂପର୍କ ରଖିବାକୁ ବାରମ୍ବାର ବାଧ୍ୟ କରିଥିବା ଭଳି ଘୃଣ୍ୟ ଓ କଳଂକିତ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ସେହି ସ୍ତ୍ରୀ ଜଣକ ମହିଳା ସଂଗଠନ ଓ ବାପ ଘର ଲୋକଙ୍କ ସହାୟତାରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ତିଲିଆ ଗାଁରେ ଘଟଣାଟି ଘଟିଛି। ସୁନୀତି ସାହୁ (୨୮) ୨୦୦୮ ଏପ୍ରିଲରେ ତିଲିଆ ଗାଁର ଗୋକୁଳାନନ୍ଦ ସାହୁ (୩୮)ଙ୍କୁ ବିବାହ କରିଥିଲେ। ବର୍ଷେ ପରେ ତାଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଝିଅଟିଏ ଜନ୍ମ ଦେଲେ ସୁନୀତି ବୋଲି ତାଙ୍କ ସ୍ୱାମୀ ନାନାଦି ନିର୍ଯାତନା ଦେବା ଆରମ୍ଭ କରିଥିଲା। ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲା। ସୁନୀତି ଲୋକନିନ୍ଦାକୁ ଭୟ କରି ସବୁକିଛି ସହି ଚାଲିଥିଲେ। ୨୦୧୪ରେ ତାଙ୍କ ଆଉ ଏକ କନ୍ୟା ସନ୍ତାନ ହେଲା। ପୁତ୍ର ସନ୍ତାନ ନହେବା ଫଳରେ ସ୍ୱାମୀ ଗୋକୁଳାନନ୍ଦ ସୁନୀତିଙ୍କୁ ସବୁବେଳେ ଭର୍ତ୍ସନା ସହିବାକୁ ପଡ଼ୁଥିଲା। ଏପରିକି ତାଙ୍କ ସାନ ଭାଇ ପୌଲସ୍ତି ସାହୁ (୩୬)ଙ୍କ ସହ ଶାରୀରିକ ସଂପର୍କ ରଖି ଏକ ପୁତ୍ର ସନ୍ତାନ ଜନ୍ମ ଦେବାକୁ ମଧ୍ୟ ବାଧ୍ୟ କରୁଥିଲେ। ହେଲେ, ଏଭଳି ଅନୀତିକୁ ସୁନୀତି ଗ୍ରହଣ କରି ନଥିଲେ। ଗତ ସୋବମାର ୨୭ ତାରିଖ ଗୋକୁଳାନନ୍ଦ ସାନ ଭାଇ ପୌଲସ୍ତିକୁ ଘରକୁ ଡାକିଥିଲା। ରାତିରେ ସୁନୀତି ଦୁଇ ଝିଅଙ୍କୁ ନେଇ ଶୋଇବା ଘରକୁ ଯିବା ପରେ ଗୋକୁଳାନନ୍ଦ ଭାଇ ପୌଲସ୍ତିକୁ ଘରେ ଛାଡ଼ି ବାହାର ପଟ କବାଟ ବନ୍ଦ କରି ଚାଲି ଯାଇଥିଲା। ପୌଲସ୍ତି ସୁନୀତିଙ୍କ ଶୋଇବା ଘରକୁ ପଶି ପାଣି ମାଗିବାରୁ ସୁନୀତି ରୋଷେଇ ଘରକୁ ପାଣି ଆଣିବାକୁ ଯାଇଥିଲେ। ସେଠାରେ ପୌଲସ୍ତି ତାଙ୍କୁ ଟଣାଓଟରା କରି ଅସଦାଚରଣ କରିବାର ପ୍ରୟାସ କରିଥିଲା। କୌଣସି ମତେ ସୁନୀତି ସେଠାରୁ ଖସି ଯାଇ ବାଡ଼ି ପଟକୁ ଯାଇଥିଲେ। ସେଠାରେ ସ୍ୱାମୀ ଛିଡ଼ା ହୋଇଥିବା ଦେଖିଥିଲେ। ସବୁ କଥା କହିଲା ପରେ ଗୋକୁଳାନନ୍ଦ ‘ଯା’ ପୁଅଟିଏ ପାଇଁ ସଂପର୍କ ରଖ’ ବୋଲି କୁଆଡ଼େ ବାଧ୍ୟ କରିଥିଲା।
ସୁନୀତି ଅନ୍ୟ ଉପାୟ ନ ପାଇ ବାପ ଘରକୁ ଜଣାଇଥିଲେ। ତାଙ୍କ ଭିଣୋଇ ଏହା ଜାଣିବା ପରେ ବନ୍ଧବାହାଲ ଦିଶା ମହିଳା ସଂଗଠନ ତଥା ମା’ ସମଲେଇ ମା’ ଘର ଅନୁଷ୍ଠାନ ଅଧ୍ୟକ୍ଷା ପଦ୍ମିନୀ ସିଂଙ୍କୁ ଯୋଗାଯୋଗ କରିଥିଲେ। ସୁନୀତିଙ୍କ ବାପ ଘର ସୁନ୍ଦରଗଡ଼ ଜିଲ୍ଲାରେ ହୋଇଥିବା ବେଳେ ବୁଧବାର ତାଙ୍କ ମା’ ୨ ଭଉଣୀ ଓ ଭିଣୋଇ ଏବଂ ପଦ୍ମିନୀ ସିଂ ପ୍ରମୁଖ ଘରକୁ ଆସି ସମସ୍ତ କଥା ପଚାରି ବୁଝିଥିଲେ। ପରେ ବନହରପାଲି ଥାନାରେ ଦୁଇ ଅଭିଯୁକ୍ତ ଗୋକୁଳାନନ୍ଦ ଓ ପୌଲସ୍ତି ବିରୋଧରେ କେସ୍ ନଂ ୩୬/୪୯୮-ଏ, ୧୧୪, ୩୫୪-ବି, ୪୫୨, ୯୪, ୫୦୬, ୩୪ ଆଇପିସି ଧାରା ଲଗାଇ ତଦନ୍ତ ଜାରି ରହିଛି। ଏବେ ଉଭୟ ଭାଇ ଫେରାର ଥିବା ଆଇଆଇସି ପୁରୁଷୋତ୍ତମ ଭୋଇଙ୍କଠାରୁ ପ୍ରକାଶ। ଦୋଷୀଙ୍କୁ ଶୀଘ୍ର ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବାକୁ ମହିଳା ସଂଗଠନ ପକ୍ଷରୁ ଦାବି କରାଯାଇଛି।
ଦାମ୍ପତ୍ୟ ସଂପର୍କରେ କଳଙ୍କ:ପୁଅଟିଏ ପାଇଁ ପର ପୁରୁଷ ଆଦରିବାକୁ ବାଧ୍ୟ କଲା ସ୍ୱାମୀ
ସ୍ତ୍ରୀ ଥାନାର ଦ୍ୱାରସ୍ଥ
/sambad/media/post_attachments/wp-content/uploads/2018/03/domestic_violence2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)