ଝାରସୁଗୁଡା: ବାରମ୍ବାର ବିଭିନ୍ନ ଖବର କାଗଜ ଓ ଗଣମାଧ୍ୟମରେ ସାଇବର ଲୁଟର ଖବର ପ୍ରକାଶ ପାଉଥିବା ସତ୍ତ୍ବେ ସଚେତନତାର ଅଭାବ ଯୋଗୁଁ ବାରମ୍ବାର ଲୋକେ ସାଇବର ଠକମାନଙ୍କ ଏକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ପଠାଇ ଦେଇ ପୁଲିସର ଦ୍ବାରସ୍ଥ ହେଉଥିବା ଦେଖା ଯାଉଛି। ଝାରସୁଗୁଡ଼ା ସହର ମୁଙ୍ଗାପଡ଼ାର ଜଣେ ବ୍ୟବସାୟୀ ଅନୁପ କୁମାର ଅଗ୍ରୱାଲ କେଏଫସି ଫ୍ରାଞ୍ଚାଇଜ ନେବା ପାଇଁ ସାଇବର ଠକଙ୍କ ଆକାଉଣ୍ଟରେ ୯ ଲକ୍ଷ ୩୧ ହଜାର ଟଙ୍କା ଜମା କରି ଏବେ ପୁଲିସର ଦ୍ବାରସ୍ଥ ହୋଇଥିବା ଜଣାଯାଇଛି।

Advertisment

କେଏଫସି ର ଫ୍ରାଞ୍ଚାଇଜ ନେବାକୁ ଏହି ବ୍ୟବସାୟୀଙ୍କୁ ଫୋନ କଲ ଆସିଥିଲା। ଏଥିପାଇଁ ତାଙ୍କୁ ପ୍ରଥମ‌େ ରେଜିଷ୍ଟ୍ରେସନ କରିବା ପାଇଁ ୧ ଲକ୍ଷ ୫୫ ହଜାର ୫ ଶହ ଟଙ୍କା ଜମା କରିବାକୁ କେଏଫସି ରେଷ୍ଟୁରାଣ୍ଟ ନାମରେ ଏକ ମେଲ ଆସିଥିଲା। ଫଳରେ ଏହି ଟଙ୍କା ସେ ନଭେମ୍ବର ୨୯ ତାରିଖ ଦିନ ବ୍ୟାଙ୍କ ବରୋଦାରେ ଚେକ୍‌ ମାଧ୍ୟମରେ ଡିପୋଜିଟ କରିଥିଲେ। ଏହାପରେ ତାଙ୍କ ପାଖକୁ ପ୍ରାପ୍ତି ସ୍ବୀକାର ମେଲ ମଧ୍ୟ ଆସିଥିଲା। ୩୦ ନଭେମ୍ବରରେ ପୁଣି ତାଙ୍କୁ ଏକ ମେଲ ଆସିଥିଲା।

ଏଥିରେ ଉଲ୍ଲେଖ ଥିଲା ଯେ, ତାଙ୍କର କେଏଫ୍‌ସି ଫ୍ରାଞ୍ଚାଇଜ ଏନ୍‌ଓସି ଦରଖାସ୍ତ ପାଇଁ ୭ ଲକ୍ଷ ୭୫ ହଜାର ୫ ଶହ ଟଙ୍କା ଜମା କରିବାକୁ ହେବ। ଏହାପରେ ମୁମ୍ବାଇ ଅଫିସରେ ମିଟିଂ ପାଇଁ ଦିନ ଧାର୍ଯ୍ୟ କରାଯିବ ବ‌ୋଲି କୁହାଯାଇଥିଲା ସେ ଏହି ଟଙ୍କା ମଧ୍ୟ ଜମା କରିଥିଲେ ଓ ପ୍ରାପ୍ତି ସ୍ବୀକାର ମେଲ ପାଇଥିଲେ। ଏହପରେ ଗତ ୭ ତାରିଖ ଦିନ ଆଉ ଏକ ମେଲ ଆସିଥିଲା ସେଥିରେ ଲେଖାଥିଲା ଯେ ଏକ ୧୧ ଜଣିଆ ଟିମ୍‌ ଝାରସୁଗୁଡ଼ା ଯାଇ କ୍ଷେତ୍ର ପରିଦର୍ଶନ କରିବେ। ଏହା ପୂର୍ବରୁ ତାଙ୍କୁ ୧୯ ଲକ୍ଷ ୭୫ ହଜାର ଟଙ୍କା ଜମା କଲେ ୧୦ ବର୍ଷିଆ ଚୁକ୍ତିନାମା ସ୍ବାକ୍ଷରିତ ହେବ। ଏହାପରେ ଅନୁପଙ୍କ ସଂଦେହ ହୋଇଥିଲା ଓ ସେ ଏହାର ତଦନ୍ତ କରିବା ପରେ ସେ ଠକେଇର ଶିକାର ହୋଇଥିବା ଜାଣିଥିଲେ। ପୁଲିସ ଅଭିଯୋଗ ପାଇ କେସ ନମ୍ବର ୭୨୦ରେ ଏକ ମାମଲା ରୁଜୁ କରି ଦଫା ୪୧୯,୪୨୦, ୬୬(ସି), ୬୬ (ଡି)ରେ ମାମଲା ରୁଜୁ କରିଛି।