ପରିବେଶ ପ୍ରତି ବିପଦ କନ୍ଦାକୁଡ଼ା ପଥର ଖାଦାନ: ରାଜସ୍ବ ସଂଗ୍ରହ ଆଳରେ ଭୁଲୁଣ୍ଠିତ ହେବ ଜଙ୍ଗଲ

ଝାରସୁଗୁଡ଼ା: ଗୋଟିଏ ପଟେ ଜଙ୍ଗଲ ସଂରକ୍ଷଣ ପାଇଁ ପଦକ୍ଷେପ କଥା କୁହାଯାଉଥିବା ବେଳେ ଆଉ ଗୋଟେ ପଟେ ଘଞ୍ଚ ବନାନୀକୁ ନଷ୍ଟ କରିବା ପାଇଁ ବାଟ ଫିଟାଇ ଦିଆଯାଉଛି। ଜଙ୍ଗଲ ନୀତି ଅନୁଯାୟୀ ଜିଲ୍ଲାର କ୍ଷେତ୍ରଫଳର ୩୩ ପ୍ରତିଶତ ଜଙ୍ଗଲ ରହିବା କଥା ମାତ୍ର ଝାରସୁଗୁଡ଼ା ଜିଲ୍ଲାରେ ରହିଛଇ ମାତ୍ର ୧୫ ପ୍ରତିଶତ ଜଙ୍ଗଲ। ଯାହାକି ଅଧାରୁ ମଧ୍ୟ କମ୍ ଅଟେ। ଜିଲ୍ଲାରେ ଥିବା ଖଣି, ଖାଦାନ, କାରଖାନା ଏବଂ ବଢ଼ୁଥିବା ସହର ଯୋଗୁଁ ଜଙ୍ଗଲ ଜମି କମି ଯାଉଥିବା ବେଳେ ଜିଲ୍ଲାରେ ଜୈବବିବିଧତା ତାର ସତ୍ତା ହରାଇ ସାରିଛି। ପରିବେଶ ଅସନ୍ତୁଳିତ ହୋଇ ପ୍ରତିବର୍ଷ ଜିଲ୍ଲାରେ ଅନାବୃଷ୍ଟି ଓ ଅନିୟମିତ ବୃଷ୍ଟିପାତ ଏବେ ଚିନ୍ତାର କାରଣ ପାଲଟିଛି। ବୃଷ୍ଟିପାତରେ ଅନିୟମିତତା ଜିଲ୍ଲାର କୃଷି କ୍ଷେତ୍ରକୁ ବିପର୍ଯ୍ୟୟ ଆଡ଼କୁ ଟାଣି ନେଉଛି। ଫଳରେ କୃଷି ଓ କୃଷକଙ୍କ ଆର୍ଥିକ ସଂକଟ ବଜାର ଉପରେ ଗୁରୁତର ପ୍ରଭାବ ପକାଇ ଚାଲିଛି। ତଥାପି ଜିଲ୍ଲାରେ ଖଣିଖାଦାନ ସଂଖ୍ୟା ବଢ଼ିବାକୁ ଲାଗିଥିବା ବେଳେ କୋଇଲା ପରିବହନ ପାଇଁ ବ୍ୟାପକ ରେଳ ଲାଇନ ବିଭିନ୍ନ ଜଙ୍ଗଲ ଦେଇ ବିଛା ଯାଇଛି। ବାକି ଯାହା କିଛି ଜଙ୍ଗଲ ରହିଛି ସେହି ଜଙ୍ଗଲ ଭିତରେ ଏବେ ପଥର ଉତ୍ତୋଳନ କରାଯାଇ ଜଙ୍ଗଲକୁ ନଷ୍ଟଭ୍ରଷ୍ଟ କରି ଦିଆଯାଉଥିବା ଅଭିଯୋଗ ହେଉଛି।

ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ କନ୍ଦାକୁଡ଼ା ଠାରେ ରହିଥିବା ଜଙ୍ଗଲ ଭିତରେ ଏବେ ପଥର ଖାଦାନ ଲିଜ ଦେବା ପାଇଁ ଝାରସୁଗୁଡ଼ା ତହସିଲ ପକ୍ଷରୁ ଲିଜ ଆହ୍ବାନ କରାଯାଇଛି। କନ୍ଦାକୁଡ଼ା ଗ୍ରାମ ଏକ ଆଦିବାସୀ ବହୁଳ ଗ୍ରାମ ହୋଇଥିବା ବେଳେ ଏଠାରେ ବ୍ୟାପକ ଜଙ୍ଗଲ ରହିଛି। କନ୍ଦାକୁଡ଼ା ଖାଦାନକୁ ଲାଗି ଡିମାରକେଟେଡ ପ୍ରୋଟେକ୍ଟଟେଡ ଫରେଷ୍ଟ ମଧ୍ୟ ରହିଛି। ଏହି ଜଙ୍ଗଲ ପଡ଼ୋଶୀ ସୁନ୍ଦରଗଡ଼ ଜିଲ୍ଲାକୁ ପରିବ୍ୟାପ୍ତ ହୋଇଛି। କନ୍ଦାକୁଡ଼ା ଜଙ୍ଗଲ ଦେଇ ହାତୀ ମାନଙ୍କ ଚଳାପଥ ଥିବାରୁ ଏହି ଜଙ୍ଗଲ ଦେଇ ପ୍ରତିବର୍ଷ ହାତୀ ମାନେ ଯାତାୟତ କରିଥାନ୍ତି। ହାତୀ ମାନଙ୍କ ପାଇଁ ଏହି ଜଙ୍ଗଲ ଏକ ନିରାପଦ ଓ ଉତ୍କୃଷ୍ଟ ଜଙ୍ଗଲ ହୋଇଥିବାରୁ ଏହି ଜଙ୍ଗଲରେ ଜଙ୍ଗଲ ବିଭାଗ ଦ୍ବାରା ପୋଖରୀ ଖନନ ଓ ଟ୍ରେଞ୍ଜ ଖୋଳ କାମ ମଧ୍ୟ କରାଯାଇଛି। ପ୍ରତିବର୍ଷ ହାତୀ ମାନେ ୩୫/ ୪୦ ଟିକିଆ ପଲ ହୋଇ ସୁନ୍ଦରଗଡ଼ ଜିଲ୍ଲାର ହେମଗିର ପଟରୁ କନ୍ଦାକୁଡ଼ା, ନାଏକଡିହି, ଚାନ୍ଦିନିମାଲ, ବରପାଲି ଦେଇ ପୁଣି ସୁନ୍ଦରଗଡ଼ ପଟେ ନିରାପଦରେ ଫେରିଯାଇଥାନ୍ତି। ହାତୀଙ୍କ ବ୍ୟତୀତ ଏଠାରେ ଅନ୍ୟାନ୍ୟ ବନ୍ୟଜନ୍ତୁ ମଧ୍ୟ ବାସ କରୁଥିବା ଦେଖା ଯାଇଛି।

ସରକାର ଏଠାରେ ପଥର ଖାଦାନ ଲିଜ ଦେଲେ ଜଙ୍ଗଲ ଭିତରେ ବିସ୍ଫୋରଣର ଓ ମେସିନ ଶବ୍ଦ ଜଙ୍ଗଲ ପରିବେଶକୁ ନଷ୍ଟ କରିବାର ସମ୍ଭାବନା ରହିଛି। ସେହିପରି ଜଙ୍ଗଲ ଭିତରେ ପରିବହନ ପାଇଁ ମଧ୍ୟ ଭାରିଯାନ ଚଳାଚଳ ହେବ ଯାହା ବନ୍ୟଜନ୍ତୁ ଓ ପରିବେଶକୁ କ୍ଷତି ପହଞ୍ଚାଇବ ବୋଲି ବହୁ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି। କନ୍ଦାକୁଡ଼ା ପଥର ଖାଦାନକୁ ଲିଜ ଦେବାକୁ ତହସିଲ ପକ୍ଷରୁ ଗତ ମାସ ୧୩ ତାରିଖରେ ନୋଟିସ ପ୍ରକାଶିତ ହୋଇଥିବା ବେଳେ ଏହାର ଶେଷ ତାରିଖ ଚଳିତ ମାସ ୧୧ ତାରିଖ ରଖା ଯାଇଛି। ଏଠାରେ ପଥର ଉତ୍ତୋଳନ ହେଲେ ବ୍ୟାପକ ଜଙ୍ଗଲ ନଷ୍ଟ ହେବା ସୁନିଶ୍ଚିତ ବୋଲି ପରିବେଶବିତ ମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର