ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ କିରୋସିନି ମାଫିଆ ସକ୍ରିୟ ଥିବା ଜଣାଯାଇଛି। ସାଧାରଣ ବଣ୍ଟନ ଯୋଜନାରେ ଖାଉଟିଙ୍କୁ ଯୋଗାଇ ଦେବାପାଇଁ ଆସୁଥିବା କିରୋସିନି ଏବେ ବସ୍‌ ଟ୍ରକ ଓ ଅନ୍ୟାନ୍ୟ ଯାନବହାନରେ ବ୍ୟବହାର ହେଉଛି। ଖାଉଟି ମାନଙ୍କ ମଧ୍ୟରେ ପୂର୍ବାପେକ୍ଷା ଏବେ କିରୋସିନ ବ୍ୟବହାର କମିଯାଇଛି। ଫଳରେ ବହୁ ଖାଉଟି କାର୍ଡ଼ ପିଛା ମିଳୁଥିବା ଅଢ଼େଇ ଲିଟର କିରୋସିନ ଡ଼ିଲର ପାଖରୁ ନେଉ ନାହାନ୍ତି। ଅନେକ ଡ଼ିଲର ମଧ୍ୟ ଖାଉଟି ମାନଙ୍କୁ କିରୋସିନ ଦେଉନଥିବା ଅଭିଯୋଗ ହେଉଛି। କିରୋସିନ ସିଧାସଲଖ କଳାବଜାରକୁ ଚାଲି ଯାଉଛି। କିରୋସିନ ମୂଲ୍ୟ ପେଟ୍ରୋଲ ଓ ଡ଼ିଜେଲ ଠାରୁ ବହୁଗୁଣ କମ୍‌ ଥିବାରୁ ବହୁ ଅସାଧୁ ବ୍ୟବସାୟୀ ଡିଜେଲ ଓ ପେଟ୍ରୋଲରେ ଅପମିଶ୍ରଣ କରି ତାକୁ ବିକ୍ରୟ କରୁଥିବା ଜଣାଯାଇଛି। ଡିପୋରୁ ଯାଉଥିବା ଡ଼ିଜେଲ ଲରିରୁ କୌଶଳ କରି ସେଥିରୁ ଡ଼ିଜେଲ ବାହାର କରି ଏହି ମାଫିଆ ମାନେ କିରୋସିନ ମିଶ୍ରଣ କରି ଦେଉଥିବା ମଧ୍ୟ ଅଭିଯୋଗ ହେଉଛି। କିଛି ପେଟ୍ରୋଲ ପମ୍ପରେ ମଧ୍ୟ ପେଟ୍ରୋଲ ଡ଼ିଜେଲରେ କିରୋସିନ ଅପମିଶ୍ରଣ ହେଉଥିବା ନେଇ ଅଭିଯୋଗ ଆସୁଛି।

Advertisment

କିଛି ଦିନ ତଳେ ଲଇକେରା ବ୍ଲକ ସାହାସପୁର ଜିପିର ରାମଚିପିଡ଼ିହି ଠାରେ ଜଣେ ଡ଼ିଲର କିରୋସିନିରେ ପୋଡ଼ା ମୋବିଲ କିମ୍ବା ପିଚୁ ଭଳି ଜିନିଷ ମିଶ୍ରଣ କରି ଖାଉଟିଙ୍କୁ ବିକ୍ରୟ କରୁଥିବା ନେଇ ଅଭିଯୋଗ ହେବାପରେ ଏହାର ତଦନ୍ତ ଆରମ୍ଭ ହୋଇ ଅଧାରେ ଅଟକି ଯାଇଥିଲା। ଜିଲ୍ଲାର ୫ ଗୋଟି ବ୍ଲକ ଓ ୩ ଗୋଟି ସହରାଞ୍ଚଳକୁ ପ୍ରତିମାସରେ ମୋଟ ୧ ଲକ୍ଷ ୬ ହଜାର ୧୫୫ ଜଣ ଖାଉଟିଙ୍କୁ ୨ ଲକ୍ଷ ୫୦ ହଜାର ୨୨୫ ଲିଟର କିରୋସିନ ଯୋଗାଇ ଦିଆଯାଇଥାଏ। ଏଥିରେ ଝାରସୁଗୁଡ଼ା ପୌରାଞ୍ଚଳକୁ ୩୦୮୦୮.୭ ଲିଟର, ବ୍ରଜରାଜନଗର ପୌରାଞ୍ଚଳକୁ ୨୭୮୭୮.୫, ବେଲପାହାଡ଼ ପୌରାଞ୍ଚଳକୁ ୧୨୮୫୭, ଝାରସୁଗୁଡ଼ା ବ୍ଳକକୁ ୩୨୩୧୭.୩୫, ଲଖନପୁର ବ୍ଲକକୁ ୭୩୭୨୧.୦୫, କୋଲାବିରା ବ୍ଲକକୁ ୨୪୯୩୦.୧୦, ଲଇକେରା ବ୍ଳକକୁ ୨୬୨୯୧.୮୫, କିର୍ମିରା ବ୍ଲକକୁ ୨୧୩୮୫ ଲିଟର ଯୋଗାଇ ଦିଆଯାଉଛି। ଗତ ଏପ୍ରିଲ ମାସରୁ ୨ ମାସର ଥରେ ପିଡ଼ିଏସ୍‌ ସାମଗ୍ରୀ ଯୋଗାଣ ହେଉଛି। ଏପ୍ରିଲ ମାସରେ ଏପ୍ରିଲ ଓ ମଇ ମାସର ସାମଗ୍ରୀ ଯୋଗାଇ ଦିଆଯାଇଥିବା ବେଳେ ଜୁନ୍‌ ଓ ଜୁଲାଇର ଯୋଗାଇ ଦିଆଯାଇଛି। ଗୋଟିଏ ଖାଉଟି କାର୍ଡ଼ ପିଛା ଅଢ଼େଇ ଲିଟର ହିସାବରେ ୫ ଲିଟର ଦେବା ସ୍ଥାନରେ ଗୋଟିଏ ମାସର ଦିଆଯାଇଥିବା ଅନେକ ସ୍ଥାନରେ ଅଭିଯୋଗ ହୋଇଛି। ବାୟୋମେଟି୍ରକ୍‌ ସିଷ୍ଟମ ପ୍ରଚଳନ ପରେ ମଧ୍ୟ ଚଞ୍ଚକତା କରି କଣ୍ଟ୍ରୋଲ ସାମଗ୍ରୀରେ ହେରଫେର ହେଉଥିବା କିରୋସିନ କଳାବଜାର ଏହାର ଉଦାହରଣ ପାଲଟିଛି। ଯୋଗାଣ ବିଭାଗ ପକ୍ଷରୁ ପୂର୍ବରୁ ଯେପରି ଏନ୍‌ଫୋର୍ସମେଣ୍ଟ୍‌ ବିଭାଗ ଚଢ଼ଉ କରୁଥିଲା। ତାହା ଆଉ ହେଉନଥିବାରୁ ଏହି ଅନିୟମିତତା ବୃଦ୍ଧି ପାଉଛି।