ବ୍ରଜରାଜନଗର କଲେଜ ପରିସରରେ ବରିଷ୍ଠ ସାମ୍ବାଦିକ ଦଣ୍ଡପାଣି ନାୟକଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଦାବି

ବ୍ରଜରାଜନଗର:ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବିକାଶରେ ଯେଉଁ ଜନନେତା, ଶିକ୍ଷାବିତ ଓ ସମାଜସେବୀମାନଙ୍କର ବଳିଷ୍ଠ ଅବଦାନ ରହିଛି,  ସେମାନଙ୍କ ମଧ୍ୟରେ ଦଣ୍ଡପାଣି ନାୟକ ଥିଲେ ଅନ୍ୟତମ। କିନ୍ତୁ ଆଜିଯାଏ ବ୍ରଜରାଜନଗରରେ ତାଙ୍କର ପ୍ରତିମୂର୍ତ୍ତି ପ୍ରତିଷ୍ଠା ହୋଇପାରି ନଥିବା ହେତୁ ସ୍ଥାନୀୟ ଅଞ୍ଚଳରେ କ୍ଷୋଭ ପ୍ରକାଶ ପାଇଛି। ବ୍ରଜରାଜନଗର କଲେଜ ପରିସରରେ ଦଣ୍ଡପାଣି ନାୟକଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବା ଲାଗି ଦାବି ହେଉଛି। ‌

ସ୍ୱର୍ଗତ ଦଣ୍ଡପାଣି ନାୟକ,  ଯାହାଙ୍କୁ ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ମାଉସ କିମ୍ବା ଅଜା ଡାକିଥାନ୍ତି। ଶ୍ରଦ୍ଧାରେ  ହରେକୃଷ୍ଣ ମହତାବ ଡାକୁଥିଲେ  ଦଣ୍ଡପାଣି ବାବୁ। ସେ ଏକାଧାରରେ ଥିଲେ ଜଣେ କାଗଜ କାଳର  କର୍ମଚାରୀ, ସମାଜ ସେବୀ, ବରିଷ୍ଠ ସାମ୍ବାଦିକ ସର୍ବୋପରି  ବ୍ରଜରାଜନଗର ବିକାଶର ସୂତ୍ରଧର କହିଲେ ଠିକ ହେବ।

ଦଣ୍ଡପଣି ବାବୁ ପାରଳାଖେମୁଣ୍ଡି ଗୁରାଣ୍ଡିର ମୂଳ ବାସିନ୍ଦା ଥିଲେ ମଧ୍ୟ ତାଙ୍କର କର୍ମଭୂମି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥିଲା। ମାଟ୍ରିକ ପାସ ପରେ  କର୍ମସଂସ୍ଥାନ ପାଇଁ ପ୍ରଥମେ କଲିକତା ଯାଇଥିଲେ।  ତାଙ୍କ ଅଞ୍ଚଳର   ଭୀମସେନ ପାତ୍ର  ବ୍ରଜରାଜନଗର କାଗଜ କଳରେ କାର୍ଯ୍ୟ କରୁଥିବାରୁ  ତାଙ୍କ ଡାକରାରେ  ଦଣ୍ଡପାଣି ବାବୁ  ବ୍ରଜରାଜନଗର  ଆସି ଓରିଏଣ୍ଟ କାଗଜ କାଳରେ କର୍ମଚାରୀ ଭାବରେ ଯୋଗଦେଇଥିଲେ।

ଦଣ୍ଡପାଣି ବାବୁ  ସ୍ୱାଧୀନଚେତା  ମଣିଷ ଥିଲେ। ସେ  ହରେକୃଷ୍ଣ ମହତାବଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କ ପରାମର୍ଶ କ୍ରମେ ସାମ୍ବାଦିକତା ପାଇଁ   ପ୍ରଜାତନ୍ତ୍ରରେ ଯୋଗଦେଇଥିଲେ। ରାତିରେ କାଗଜକଳରେ ଡିୟୁଟି ଓ ଦିନରେ ସାମ୍ବାଦିକତାରେ ସମୟ ଦେଉଥିଲେ। ତାଙ୍କର ବଳିଷ୍ଠ ଲେଖା ଯୋଗୁ ଅଞ୍ଚଳର ବିକାଶରେ ସହାୟକ ହେଉଥିଲା। ସେତେବେଳର  ଯାତାୟତର ମୁଖ୍ୟ ମାର୍ଗ  ଟ୍ରେନ। ଇବ ନଦୀରେ  ପୋଲ ନଥିଲା।

ଏକଦା ଦଣ୍ଡପାଣି ବାବୁ   କଟକ ଯାଇ  ବ୍ରଜରାଜନଗର  ଅଞ୍ଚଳର ସମସ୍ୟା ଉପରେ କଥା ପ୍ରସଙ୍ଗରେ ହରେକୃଷ୍ଣ ମହତାବ ଙ୍କୁ ଅବଗତ କରିଥିଲେ। ଇବ ନଦୀ ଉପରେ ସେତୁ ନିର୍ମାଣର ଆବଶ୍ୟକତା ଉପରେ ମହତାବ ବାବୁଙ୍କ ନଜରକୁ ଆଣିଥିଲେ। ସେତୁ ନଥିବାରୁ ଅଞ୍ଚଳର ବିକାଶ ସମ୍ଭବ ନୁହେଁ ବୋଲି ଅବଗତ କରିଥିଲେ। ହରେକୃଷ୍ଣ ମହତାବ ଏନେଇ ତତକାଳୀନ ମୁଖ୍ୟ ଯନ୍ତ୍ରୀ ଙ୍କ ନିକଟକୁ ଫୋନ କରିବା ସହିତ ଦଣ୍ଡପାଣି ବାବୁଙ୍କୁ ପଠାଇ ଥିଲେ। ଦଣ୍ଡପାଣି ବାବୁ ସେଠାରେ ପହଞ୍ଚିବା  ପରେ ସମସ୍ତ କଥା  ଚିଫ୍ ଇଞ୍ଜିନିୟରିଂଙ୍କୁ ଅବଗତ କରି ବ୍ରଜରାଜନଗର ଫେରିଆସିଥିଲେ। ୧୫ ଦିନ ପରେ  ବ୍ରିଜର ଶୁଭ  ଦିଆଯାଇଥିଲା ଓ ଦଣ୍ଡପାଣି  ବାବୁ ସେଠାରେ ଉପସ୍ଥିତ ରହି ସେମାନଙ୍କ ସହିତ ନଡ଼ିଆ ଭାଙ୍ଗିଥିଲେ।  ପରବର୍ତ୍ତୀ ଅବସ୍ତାରେ ସେତୁ ନିର୍ମାଣ ହୋଇଥିଲା। ଝାରସୁଗୁଡ଼ାରୁ  ଗମନାଗମନ କନକତୁରା ପର୍ଯ୍ୟନ୍ତ  ହୋଇଥିଲା। ଫଳରେ ଏକ ସରକାରୀ ବସ କନକତୁରା ପର୍ଯ୍ୟନ୍ତ ଚାଲିଲା। ଅନ୍ୟ ପକ୍ଷରେ ଓରିଏଣ୍ଟ କାଗଜ କଳ ଯୋଗୁ ସରକାର ପ୍ରଚୁର ରାଜସ୍ୱ ପାଉଥିଲେ ମଧ୍ୟ  ଅଞ୍ଚଳର ବିକାଶ ସେଭଳି ହେଉନଥିଲା।

ଦଣ୍ଡପାଣି ବାବୁଙ୍କ ପ୍ରଚେଷ୍ଟା ଯୋଗୁଁ   ପ୍ରଥମ ବିଜ୍ଞାପିତ ଅଞ୍ଚଳ ପରିଷଦ ରୂପେ ବ୍ରଜରାଜନଗର ମାନ୍ୟତା ପାଇଥିଲା ୧୯୬୮ମସିହାରେ। ଶିକ୍ଷା ବ୍ୟବସ୍ଥା ନେଇ ସେ ଚିନ୍ତିତ ଥିଲେ। ଶିକ୍ଷାର ଉନ୍ନତି ପାଇଁ ଏକ କଲେଜର ଆବଶ୍ୟକତା ଅନୁଭବ କରି  ଏହାର ନେତୃତ୍ୱ ନେଇଥିଲେ।ତାଙ୍କ ସହିତ ଅଞ୍ଚଳର ବରିଷ୍ଠ ବ୍ୟକ୍ତି ବିଶେଷମାନେ ଯୋଗ ଦେଇଥିଲେ। କଲେଜ ପ୍ରତିଷ୍ଠା ହୋଇଥିଲା ଓ ପିଲା ମାନେ ପାଠ ପଢ଼ିବାର ସୁଯୋଗ ପାଇଲେ। ବ୍ରଜରାଜନଗର କଲେଜ କୁ ମାନ୍ୟତା ପାଇଁ  ୫୦ ହଜାର ଟଙ୍କା ଡ଼ି ପି ଆଇ ଅଫିସ ରେ ଜମା କରିବାର ଆବଶ୍ୟକ ଥିଲା। ଏତେ ଟଙ୍କା ଯୋଗଡ଼ କରିବା ସମ୍ଭବ ନଥିଲା। ଶେଷରେ ଦଣ୍ଡପାଣି ବାବୁ ତାଙ୍କର  ଘନିଷ୍ଠ ବନ୍ଧୁ ତ୍ରିବେଣୀ  ବର୍ମାଙ୍କ ସହଯୋଗ ନେଇଥିଲେ। ସେସମୟର   ଏନ ଏ ସି ର ଚେୟାରମ୍ୟାନ  ତ୍ରିବେଣୀ ବାବୁଙ୍କ ପୁଅ  ମାଧବ ବର୍ମା ଥିଲେ।  କାଉନସିଲରମାନଙ୍କ ମତାମତ ନେଇ  ଶ୍ରୀ ବର୍ମା ୫୦ହଜାର  ଟଙ୍କା  ଦଣ୍ଡପାଣି ବାବୁ କଥାରେ ଜମା କରିଥିଲେ।  ବ୍ରଜରାଜନଗର କଲେଜ ର ପ୍ରଥମ  ସେକ୍ରେଟାରୀ ରୂପେ ଦଣ୍ଡପାଣି ବାବୁ ଅପସ୍ଥାପିତ କରାଯାଇଥିଲା।

ସେ ଅଞ୍ଚଳର ବିକାଶ ଓ ଲୋକଙ୍କ ଅଧିକାର ପାଇଁ ସବୁସମୟରେ ସଂଗ୍ରାମ ନିଜ ଲେଖନୀ ମୁନରେ କରୁଥିଲେ। ଯାହାର ସୁଫଳ ଏବେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀବାସୀ ,ବିଶେଷ କରି ୧୯ଖଣ୍ଡ ମୌଜା ବାସୀ ଙ୍କୁ ମିଳୁଛି। ସେ ସବୁସମୟରେ ୧୯ ଖଣ୍ଡ ମୌଜାରେ ସ୍ୱାସ୍ଥ୍ୟ,ଶିକ୍ଷା,ଗମନା ଗମନ ସମସ୍ୟାକୁ ନେଇ  ସ୍ୱର ଖବରକାଗଜ ମାଧ୍ୟମରେ ପ୍ରକାଶ କରିଥିଲେ।  ୧୯ ଖଣ୍ଡ ମୌଜା ବାସୀ  ଛତିଶଗଡ଼ ରେ ମିଶିବା  ଦାବିରେ ସ୍ୱର କୁ ନେଇ ବିଧାନସଭା ପର୍ଯ୍ୟନ୍ତ ପହଞ୍ଚିବାରେ ସକ୍ଷମ ହେଉଥିଲେ। ସେ ସାମ୍ୱାଦିକତାର ଏକ ମାଇଲ ଖୁଣ୍ଟ ଥିଲେ। କାମଳ ସାମ୍ବାଦିକତାରୁ ଦୂରେଇ ରହି ଅଞ୍ଚଳର ବିକାଶ ପାଇଁ ସାମ୍ବାଦିକଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି ଯୁବ ସାମ୍ବାଦିକମାନଙ୍କୁ ଉପଦେଶ ଦେଉଥିଲେ।

ସମ୍ବନ୍ଧିତ ଖବର