ଲଇକେରା: ସବଡିଭିଜନ ମାନ୍ୟତା ଦାବିରେ ଆଜି ଝାରସୁଗୁଡ଼ା ଜିଲ୍ଲା ଲଇକେରାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଉପଖଣ୍ଡ ଦାବି କ୍ରିୟାନୁଷ୍ଠାନ କମିଟି, ଲଇକେରା ଗ୍ରାମବାସୀ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ବ୍ଲକ କୃଷକ ସଂଗଠନ, ବ୍ୟବସାୟୀ ସଂଘ, ଯୁବଗୋଷ୍ଠୀ, ଆଥଲେଟିକ ଆସୋସିଏସନ, ବ୍ଲକ କଳାକାର ସଂଘ ଏବଂ ସମ୍ବିଳିତ ଆଦିବାସୀ ସମାଜର ନେତୃତ୍ୱରେ ଆୟୋଜିତ ବନ୍ଦ ଯୋଗୁଁ ମୁଖ୍ୟାଳୟର ସମସ୍ତ ଦୋକାନବଜାର ବନ୍ଦ ଥିବା ବେଳେ, ଗାଡ଼ିମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବନ୍ଦରେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି।

Advertisment

ଜିଲ୍ଲା ମୁଖ୍ୟାଳୟର କୌଣସି ଉପଖଣ୍ଡ ନ ଥିବା ବେଳେ, ଯେ କୌଣସି କାମ ପାଇଁ ହେଲେ ଝାରସୁଗୁଡା ଜିଲ୍ଲା ସଦର ମହକୁମାକୁ ଯିବାକୁ ପଡ଼ିଥାଏ। ଜିଲ୍ଲା ମୁଖ୍ୟାଳୟରୁ ଲଇକେରା ବ୍ଲକ ୨୬ କିମି ଦୂରରେ ରହିଥିବା ବେଳେ, ବ୍ଲକ ର ଆଭ୍ୟନ୍ତରୀଣ ଅଞ୍ଚଳ ପ୍ରାୟ ୬୫ କିମିରୁ ଅଧିକ ଦୁରରେ। ସରକାର ହାତପାହାନ୍ତାରେ ସରକାରୀ ସେବା ଯୋଗାଇ ଦେବା ଲକ୍ଷ୍ୟ ରଖିଥିବା ବେଳେ, ସରକାରୀ ସେବା ପାଇବା ପାଇଁ ଢେର ଦୂରରେ ଗ୍ରାମାଞ୍ଚଳର ଜନସାଧାରଣ। ଅନ୍ୟ ପଟେ ସରକାର କ୍ଷମତାର ବିକେନ୍ଦ୍ରିକରଣ ପାଇଁ ଅନେକ ଯୋଜନା କରୁଥିବା ବେଳେ, ଏଠାରେ ତାହା ଅନୁମେୟ ହେଉ ନାହିଁ।

ଲଇକେରା ବ୍ଲକ ମୁଖ୍ୟାଳୟକୁ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଯିବା ଆସିବା କରୁଥିବା ବେଳେ, ବ୍ଲକ ଅଧୀନ ୧୧ଗୋଟି ପଞ୍ଚାୟତ ଓ କିର୍ମିରା ବ୍ଲକର ଅଧିକାଂଶ ଗାଁର ଲୋକ ନିର୍ଭର କରିଥାନ୍ତି। ସମସ୍ତ ସଂଗଠନର ଗୋଟିଏ ଦାବି ଲଇକେରା ବ୍ଲକକୁ ସବଡିଭିଜନ ମାନ୍ୟତା। ସବଡିଭିଜନ ମାନ୍ୟତା ପାଇଁ ୧୨ ଘଣ୍ଟିଆ ଲଇକେରାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ସରକାର ଲଇକେରାକୁ ଉପଖଣ୍ଡ ମାନ୍ୟତା ପ୍ରଦାନ ନ କଲେ ଆଗାମୀ ଦିନରେ ଭୋଟ ବର୍ଜନ କରିବା ସହିତ ଦୃଢ଼ ପ୍ରତିବାଦ କରି ନିଜର ଦାବି ହାସଲ କରିବେ ବୋଲି କୁହାଯାଇଛି। ବନ୍ଦକୁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ ସମର୍ଥନ କରିଛନ୍ତି।