ଝାରସୁଗୁଡ଼ା‌: କୌଣସି ସ୍ଥାନରେ ଚୋରି ହେଲେ, ଖୋଜିବା ଦାୟିତ୍ବ ପୁଲିସ୍‌ର। କିନ୍ତୁ ଯଦି ଥାନା ଭିତରୁ ଖୋଦ୍‌ ଥାନାଧିକାରୀଙ୍କ ଚାମ୍ବର ଭିତରୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍‌ ଚୋରି ହେବ ତେବେ ଲୋ‌କେ କାହା ଉପରେ ଆଉ ଭରସା କରିବେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଥାନା ସଦର ଥାନା ପରିସରରେ। ଖୋଦ୍‌ ଥାନାଧିକାରୀ ସ୍ବପ୍ନାରାଣୀ ‌ଗୋଚ୍ଛାୟତଙ୍କ ପ୍ଲେନ୍‌ ପେପର ଏଫ୍‌ଆଇଆର୍‌ ଆଧାରରେ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଚୋରି ହୋଇଥିବା ଦସ୍ତାବିଜ୍‌ ଏବେ ଖୋଜୁଛି। ସେପଟେ, ଚୋରି ହୋଇଥିବା ଦସ୍ତାବିଜ୍‌ଟି ମାମଲା ରୁଜୁ ପାଇଁ କୋର୍ଟ ଦେଇଥିବା ଏକ ନିର୍ଦ୍ଦେଶନାମା ହୋଇଥିବାରୁ ଏଥିପାଇଁ ପୁଲିସ୍‌ର ଚିନ୍ତା ଅଧିକ ବଢ଼ିଯାଇଛି।

Advertisment

ଅଭିଯୋଗ ଅନୁସାରେ, ଝାରସୁଗୁଡ଼ା ଥାନା ଲେକ୍‌ଚର୍‌ କଲୋନିର ପିଙ୍କୁ ମଣ୍ଡଳ ତାଙ୍କର କୌଣସି ମାମଲା ନେଇ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ୍‌ ଉକ୍ତ ଏତଲା ଗ୍ରହଣ କରିନଥିଲା। ଯାହାଫଳରେ ସେ ବାଧ୍ୟହୋଇ ଝାରସୁଗୁଡ଼ା ଏସ୍‌ଡିଜେଏମ୍‌ଙ୍କ ଦ୍ବାରସ୍ଥ ହୋଇଥିଲେ। ଏସ୍‌ଡିଜେଏମ୍‌ଙ୍କ କୋର୍ଟରୁ ଏ ସମ୍ପର୍କିତ ମାମଲା ରୁଜୁ ପାଇଁ ସଦର ଥାନାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ ୬ ତାରିଖରେ ଶ୍ରୀ ମଣ୍ଡଳ ତାଙ୍କ ଅଭିଯୋଗର ତଦନ୍ତ କେତେଦୂର ଗଲା ସେନେଇ ପଚାରିବାକୁ ଥାନାକୁ ବି ଯାଇଥିଲେ। ଗତକାଲି ସଦର ଥାନାଧିକାରୀ ଶ୍ରୀମତୀ ଗୋଚ୍ଛାୟତ ଉକ୍ତ ପିଟିସନ୍‌ର ତଦନ୍ତ ପାଇଁ ତାହା ଖୋଜିଥିଲେ। କିନ୍ତୁ ନିଜ ଚାମ୍ବରରୁ ନେଇ ଥାନାର ଅନ୍ୟାନ୍ୟ ସ୍ଥାନ ଖୋଜିବା ପରେ ବି ତାହା ମିଳିନଥିଲା। ଏହାପରେ ଥାନାର ସମସ୍ତ କର୍ମଚାରୀ ମିଶି ସିସିଟିଭି ଫୁଟେଜ୍‌ ଅଣ୍ଡାଳି ଥିଲେ। ଫୁଟେଜ୍‌ ଦେଖିବା ସମୟରେ ଗତ ୬ ତାରିଖରେ ଶ୍ରୀ ମଣ୍ଡଳ ଥାନାକୁ ଯାଇଥିବା ବେଳେ ରାତି ୯ଟାରୁ ୧୦ଟା ମଧ୍ୟରେ ଉକ୍ତ ପିଟିସନ୍‌ କାଗଜ ନିଜେ ନେଇଆସିଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। ଏହି ଘଟଣା ପରେ ସଦର ଥାନା ପୁଲିସ୍‌ ପିଙ୍କୁ ମଣ୍ଡଳ ବିରୋଧରେ ଏକ ଚୋରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।