ଝାରସୁଗୁଡ଼ା: ସନ୍ଧ୍ୟା ହେଲେ ସହର ଭିତରେ ମଦୁଆଙ୍କ ଦୌରାତ୍ମ ଆରମ୍ଭ ହୋଇ ଯାଉଛି। ବିଭିନ୍ନ ସାହିରେ ଏବେ ମଦର ପସରା ମେଲିଛି। ମଦ ସହିତ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟ ଅନାୟାସରେ ଚାଲିଛି। ଝାରସୁଗୁଡ଼ା ଅପରାଧ ଓ ଅପରାଧିକ ପୃଷ୍ଠଭୂମିରେ ମଦ ଓ ମଦ୍ୟପଙ୍କ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଥିବା ବେଳେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ କୋହଳ ପଦକ୍ଷେପ ଯୋଗୁଁ ଖୋଲାଖୋଲି ଏହା ଗଳି-ଗଳିରେ ବ୍ୟାପି ଚାଲିଛି। ସହରର ମଙ୍ଗଳବଜାର ଓ ମନମୋହନ ପଡ଼ିଆ ନିକଟରେ ବେଆଇନ ମଦ କାରବାର ଦୀର୍ଘ ଦିନରୁ ଚାଲି ଆସୁଥିବା ବେଳେ ଏହାକୁ ରୋକାଯାଇ ପାରୁନାହିଁ। ମେଡ଼ିକାଲ ପଛପଟ ଓ ମନମୋହନ ପଡ଼ିଆ ଭିତରେ ସନ୍ଧ୍ୟାରୁ ବିଳମ୍ବିତ ରାତି ପଯ୍ୟର୍ନ୍ତ ମଦୁଆ ମାନେ ମଦ ପିଉଥିବା ଦେଖିବାକୁ ମିଳୁଛି। ସେହିପରି ରେଲେଓ୍ଵ କଲୋନି, ତେଲିଭଟା, ଚୌକିପଡ଼ା ଅଞ୍ଚଳରେ ମଧ୍ୟ ବେଆଇନ ମଦ କାରବାର ଚାଲିଛି।

Advertisment

ସହର ମଧ୍ୟରେ ଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନ ଗୁଡ଼ିକ ସମ୍ମୁଖରେ ସର୍ବସାଧାରଣ ସ୍ଥାନରେ ଖୋଲାଖୋଲି ଲୋକେ ମଦ ପିଉଥିବା ଦୃଶ୍ୟ ସାଧାରଣରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରୁଥିବା ଜଣାଯାଇଛି। ବାଇପାସ୍‌ ପ୍ରସନ୍ନ ପଣ୍ଡା ଛକ, ବିଟିଏମ୍‌ ଛକରେ ଅନେକ ଢ଼ାବା ଓ ହୋଟେଲରେ ବେଆଇନ ମଦ କାରବାର ଅଶାନ୍ତ ବାତାବରଣ ସୃଷ୍ଟି କରୁଛି। କେବଳ ସନ୍ଧ୍ୟା କି ରାତିରେ ନୁହେଁ ଦିନ ବେଳେ ମଧ୍ୟ ମଦୁଆଙ୍କ ଦୌରାତ୍ମ ଏବେ ଦେଖା ଦେଲାଣି। ବାଲିଯୋରି ନୂଆ ମେଡ଼ିକାଲ ରାସ୍ତା ହେଉ କି ସରବାହାଲ ରାସ୍ତା ହେଉ ଦଳ ଦଳ ମଦ୍ୟପ ମଦ ପିଇ ଗଡ଼ୁଛନ୍ତି। ଏହି ଅସାମାଜିକ ବ୍ୟକ୍ତିମାନେ ରାତ୍ରରେ ବିଭିନ୍ନ ଚୋରୀ କାମରେ ଲିପ୍ତ ରହୁଥିବା ବେଳେ ରାସ୍ତାଘାଟରେ ଏବେ ମହିଳା ମାନେ ନିରାପଦରେ ଯାତାୟତ କରିବା ଅସୁରକ୍ଷିତ ହୋଇ ପଡ଼ିଲାଣି। ପୁଲିସ ଓ ଅବକାରୀ ବିଭାଗ ବାରମ୍ବାର ଚଢ଼ଉ ନକଲେ ଏହି ବେଆଇନ କାଯ୍ୟର୍ ଉପରେ ଅଙ୍କୁଶ ଲାଗିବା ସମ୍ଭବ ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।