କ୍ଷତିପୂରଣ ନ ଦେଇ ଲାଇନ୍‌ ତାର ଟଣା, ଚାଷୀଙ୍କ ଧମକ୍‌-କ୍ଷତିପୂରଣ ନ ଦେଇ ଲାଇନ୍‌ ତାର ଟଣା, ଚାଷୀଙ୍କ ଧମକ୍‌

ରେଢ଼ାଖୋଲ: ରେଢ଼ାଖୋଲ ଅଂଚଳରେ ପାଓ୍ଵାର ଗି୍ରଡ୍‌ କର୍ପୋରେସନ ଲିମିଟେଡ ପକ୍ଷରୁ ଝାରସୁଗୁଡ଼ା-ଅନୁଗୁଳ ଲାଇନ୍‌ ପାଇଁ ୬୬୫ କେଭି ବିଦ୍ୟୁତ୍‌ ତାର ଟଣା ଚାଲିଛି। ମୁଖ୍ୟ କାର୍ଯ୍ୟ ପିଜିସିଏଲ ପକ୍ଷରୁ ଠିକା ସଂସ୍ଥା ଜରିଆରେ ଏହି କାର୍ଯ୍ୟ କରାଯାଉଛି। ହେଲେ, ଅନେକ ସ୍ଥାନରେ ପ୍ରତିଶ୍ରୁତି ମୁତାବକ କ୍ଷତିପୂରଣ ନ ଦେଇ ତାର ଟଣା କାର୍ଯ୍ୟ ଚାଲୁ ରହିଛି। ପୁଲିସ୍‌ ଉପସ୍ଥିତିରେ ଜୋରଜବରଦସ୍ତ ଏହି କାର୍ଯ୍ୟ ଚାଲିଛି।
ରେଢ଼ାଖୋଲ ଥାନା ବଡ଼କଷିବାହାଳ ସାନନୂଆପଡ଼ା, ହାତୀବାହାଲ ଅଂଚଳରେ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗାଁର ଜଣେ ଛୋଟ ଚାଷୀ ସୁଦର୍ଶନ ସ୍ୱାଇଁ (୬୨)। ଜଣେ ଅକର୍ମଣ୍ୟ। ଦୁଇ ଗୋଡ଼ରୁ ଗୋଟିଏ ଗୋଡ଼ କାମ କରୁନାହିଁ। ସୁଦର୍ଶନଙ୍କ ଅଭିଯୋଗ ଯେ ତାଙ୍କୁ ପୁଲିସ୍‌ ଓ କଂପାନି ପ୍ରଶାସନ ମିଶି ଦୁର୍ବ୍ୟବହାର ପ୍ରଦର୍ଶନ ସହ ଧମକ୍‌ଚମକ୍‌ ଦେଇ କାମ କରୁଛନ୍ତି। ତାଙ୍କ ରୟତି ଜମିରେ ତାର ଟଣା ଚାଲିଛି। ଫଳରେ ଧାନ, ବିରି, ମୁଗ, ରାଶି ଫସଲ ନଷ୍ଟ ହୋଇଥିଲା। ବର୍ତ୍ତମାନ ତାଙ୍କ ରୟତି ଜମିରେ ମହୁଲ, ଜାମୁ, ଖଜୁରୀ, ତାଳ, ନିମ୍ବ ଗଛ କଟା ଚାଲିଛି। ତାହା ପୁଣି ବିନା କ୍ଷତିପୂରଣରେ। ସୁଦର୍ଶନ ପୂର୍ବରୁ କ୍ଷତି ବାବଦରେ ୪ ଲକ୍ଷ ଟଙ୍କା ଦାବି କରିଥିଲେ। କଂପାନି ରାଜି ନ ହେବାରୁ ଦଲାଲ ଜରିଆରେ ଧମକ୍‌ଚମକ୍‌ ଦେଇ ୧ ଲକ୍ଷ ଟଙ୍କାରେ ସମସ୍ତ ଗଛ ଓ ଧାନ ଚାଷର କ୍ଷତିପୂରଣ ପାଇଁ ରାଜି କରାଇଥିଲେ। ସୁଦର୍ଶନ ନିରୂପାୟ ହୋଇ ରାଜି ହୋଇଥିଲେ।

ହେଲେ ମାତ୍ର ୭୦ ହଜାର ଟଙ୍କା କ୍ଷତିପୂରଣରେ ଏବେ ପୁଣି କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ବିରୋଧ କରିବାରୁ ସୁଦର୍ଶନଙ୍କୁ ରେଢ଼ାଖୋଲ ଥାନାକୁ ଡକାଇ ଦୁର୍ବ୍ୟବହାର କରାଯାଇଥିବା କହିଛନ୍ତି ନିଜେ ସୁଦର୍ଶନ। ତାଙ୍କୁ ପୁଲିସ୍‌ ବଳ ଟେକି ନେଇ ଥାନାକୁ ନେଇ ଆସିଥିଲେ। ଗଛ କଟା ଶେଷ ହେଲା ପରେ ପୁଣି ଛାଡ଼ିଥିଲେ। ଏପରିକି ତାଙ୍କ ପୁତୁରା ଟେସନ ସ୍ୱାଇଁ ମୋବାଇଲରେ ଏହି ଦୃଶ୍ୟ ଭିଡିଓ କରୁଥିବା ବେଳେ ତାଙ୍କୁ ମଧ୍ୟ ମାଡ଼ ମରା ଯାଇଥିବା ଅଭିଯୋଗ ହୋଇଛି। ଏବେ ସୁଦର୍ଶନ ନ୍ୟାୟାଳୟ ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ଘଟଣା ସଂପର୍କରେ ରେଢ଼ାଖୋଲ ଥାନାଧିକାରୀ ରମେଶ ପ୍ରଧାନ କହିଛନ୍ତି ଯେ ସମସ୍ତ ଅଭିଯୁକ୍ତ ମିଥ୍ୟା। ଚୁକ୍ତି ଅନୁସାରେ ସୁଦର୍ଶନ ଟଙ୍କା ପାଇଛନ୍ତି। ଅଧିକ ଟଙ୍କା ଆଶାରେ ସୁଦର୍ଶନ ଝାମେଲା ସୃଷ୍ଟି କରୁଥିବା ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର