ଝାରସୁଗୁଡ଼ା: ବହୁଚର୍ଚ୍ଚିତ ଡବଲ ମର୍ଡର ମାମଲାରେ ବିଲାସପୁର ହାଇକୋର୍ଟରୁ ଗତ ୩ ତାରିଖ ଦିନ ସର୍ତ୍ତମୂଳନ ଜାମିନ ମିଳିବା ପରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଓଡ଼ିଶା ଫେରିଛନ୍ତି। ପୂର୍ବତନ ବିଧାୟକ ଶ୍ରୀ ସାଏ ଘରକୁ ଫେରିବା ଅବସରରେ ତାଙ୍କର ସମର୍ଥକ ଓ ପରିବାର ଲେକେ ଓଡ଼ିଶା-ଛତିଶଗଡ଼ ସୀମାର ଲଖନପୁର ବ୍ଲକର କନକତୋରା ଗାଁ ନିକଟରେ ତାଙ୍କ ସମ୍ପର୍କୀୟ ଓ ସମର୍ଥକମାନେ ପହଞ୍ଚି ସ୍ବାଗତ ଜଣାଇଛନ୍ତି। ଏହି ଅବସରରେ ମହିଳାମାନେ ମଧ୍ୟ ଉପସ୍ଥିତ ଥିଲେ। ସମର୍ଥକମାନେ ଶ୍ଲୋଗାନ ଦେବା ସହିତ ମୃଦଙ୍ଗ ଓ ଗିନି ବଜାଇ କୀର୍ତ୍ତନ ମଧ୍ୟ କରୁଥିଲେ। ସେହିପରି ବାଣ ଓ ଫୋଟକା ମଧ୍ୟ ଫୁଟାଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଅନୁପ ସାଏଙ୍କୁ ଗାଁ ଗାଁରେ ସ୍ବାଗତ କରାଯାଉଛି। ସେ ଆଜି ସନ୍ଧ୍ୟା ସୁଦ୍ଧା ବ୍ରଜରାଜନଗରସ୍ଥିତ ନିଜ ଘରକୁ ଫେରିବେ ବୋଲି ସୂଚନା ରହିଛି।
ଗତ ୩ ତାରିଖରେ ବିଳାସପୁର ହାଇକୋର୍ଟରେ ଅନୁପଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା। ଏଥିରେ ତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ସିହ୍ନା ମାମଲା ପରିଚାଳନା କରି ତଳ କୋର୍ଟର ବିଚାର ପ୍ରକ୍ରିୟା ଏବଂ କାରାଦଣ୍ଡାଦେଶ ବିରୋଧରେ ଅନେକ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ। ମାମଲାର କୌଣସି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନଥିବା ବେଳେ ରାସ୍ତା ଉପରେ ପଡ଼ିଥିବା ଦୁଇ ଶବକୁ ପ୍ରଥମ କରି ଦେଖିଥିବା ବ୍ୟକ୍ତିଙ୍କୁ ପୁଲିସ ଜାଣିଥିବା ଓ ନୋଟିସ କରିଥିବା ପରେ ବି ଦୀର୍ଘ ୪ ବର୍ଷ ପରେ ବୟାନ ରେକର୍ଡ କରିବା ତଦନ୍ତ ପ୍ରକ୍ରିୟାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ସିହ୍ନା ଯୁକ୍ତି କରିଥିଲେ।
/sambad/media/post_attachments/wp-content/uploads/2022/11/ଅନୁପ-ସାଏ୧.jpg)
୨୦୧୬ ମସିହା ମଇ ମାସରେ ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ସମ୍ବଲପୁରୀ ବଙ୍ଗୁରସିଆ ରାସ୍ତାର ଏକ ନିକାଞ୍ଚନ ସ୍ଥାନରେ ଦୁଇଟି ମହିଳାଙ୍କ ମୃତଦେହ ମିଳିଥିଲା। ଉଭୟ ମହିଳାଙ୍କୁ ନୃଶଂସ ଭାବରେ ହତ୍ୟା କରାଯାଇ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦିଆଯାଇଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ମୃତକମାନଙ୍କୁ ଚିହ୍ନଟ କରାଯାଇ ପାରିନଥିବା ବେଳେ ଏନେଇ ସଂପୃକ୍ତ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା।
୨୦୨୦ ମସିହା ଫେବ୍ରୁଆରି ୧୩ ତାରିଖ ଦିନ ଚକ୍ରଧରନଗର ଥାନା ପୁଲିସ ଏହି ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ବିଧାୟକ ଶ୍ରୀ ସାଏ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ କରିଥିଲା। ଗୋଟିଏ ଦିନ ପରେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ମଧ୍ୟ ପୁଲିସ ଏହି ମାମଲାରେ ସଂପୃକ୍ତ ଥିବା କହି ଗିରଫ କରିଥିଲା। ମୃତ ମହିଳା ବ୍ରଜରାଜନଗର ଅଞ୍ଚଳର କଳ୍ପନା ଦାସ ଓ ତାଙ୍କ ଝିଅ ବବ୍ଲି ବୋଲି ପୁଲିସ ତଦନ୍ତ କରି ଜାଣି ପାରିଥିଲା। ମୃତ କଳ୍ପନା ଦାସ (୩୨)ଙ୍କୁ ତାଙ୍କ ସ୍ବାମୀ ସୁନୀଲ ଶ୍ରୀବାସ୍ତବ ଛାଡ଼ପତ୍ର ଦେଇଥିବା ବେଳେ ମୃତ ବବ୍ଲି(୧୪) ସୁନୀଲର ଝିଅ ବୋଲି ପୁଲିସ ସୂଚନା ଦେଇଥିଲା। ଛାଡ଼ପତ୍ର ପରେ କଳ୍ପନାଙ୍କ ବାପା ତାଙ୍କୁ ଓ ତାଙ୍କ ଝିଅ ବବଲିକୁ ଅନୁପଙ୍କ ପାଖକୁ ସହାୟତା ପାଇଁ ନେଇଥିଲେ। ଅନୁପ ଏହି ଅସହାୟ ମାଁ ଓ ଝିଅକୁ ସହାୟତା ମଧ୍ୟ ଯୋଗାଇ ଦେଇଥିଲେ। ପରେ ଏମାନଙ୍କୁ ମୃତଦେହ ଉଦ୍ଧାର ହେବା ପରେ ପୁଲିସ ଅନୁପଙ୍କ ଏଥିରେ ସଂପୃକ୍ତି ଥିବା ଦର୍ଶାଇ ଗିରଫ କରି କୋର୍ଟ ଚାଲାଣ କରିଥିଲା। ରାୟଗଡ଼ କୋର୍ଟ ଗତ ୭.୧୦.୨୧ରେ ଡ୍ରାଇଭର ବର୍ଦ୍ଧନକୁ ମୁକ୍ତ କରିଥିବା ବେଳେ ୨.୪.୨୨ରେ କୋର୍ଟ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲା। ରାୟଗଡ଼ କୋର୍ଟର ରାୟ ବିରୋଧରେ ବିଲାସପୁର ହାଇକୋର୍ଟରେ ଅପିଲ କରାଯାଇଥିଲା। ଆଜି ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଦେଇଥିବା ଜଣାଯାଇଛି। ଓକିଲ ସମର୍ଥ ସିଂ ମାରହାସ ଓ ଡିଏଲ ଦେୱାଙ୍ଗ ମକଦ୍ଦମା ପରିଚାଳନା କରୁଥିବା ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/4d781a3a-5d1a-450b-aab4-ce3a653ad5bd.jpg)