ଝାରସୁଗୁଡ଼ା : ପୂର୍ବରୁ ରାଉରକେଲା ଓ ଏବେ ବଲାଙ୍ଗୀରରେ ଘଟିଥିବା ଜିଏସ୍ଟି ଘୋଟାଲାର ତଦନ୍ତ ସରି ନଥିବା ବେଳେ ଏବେ ସମାନ ଧରଣର ଘୋଟାଲା ଝାରସୁଗୁଡ଼ାରେ ବି ସାମ୍ନାକୁ ଆସିଛି। ବର୍ଷ ବର୍ଷ ଧରି ଏଠାରେ ଅନାୟାସରେ ଘୋଟାଲା ଚାଲିଥିବା ନେଇ ଜିଏସ୍ଟି ଅଧିକାରୀମାନଙ୍କ ପାଖରେ ତଥ୍ୟ ପହଞ୍ଚି ସାରିଥିଲେ ହେଁ କେହି ବି ଏହା ଉପରେ ଲଗାମ ଲଗାଇ ପାରୁନାହାନ୍ତି।
ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ା, ବେଲପାହାଡ଼ ଓ ବ୍ରଜରାଜନଗର ମୁଖ୍ୟ ବ୍ୟବସାୟିକ ପେଣ୍ଠ ସ୍ଥଳ ହୋଇଥିବା ବେଳେ ଜିଲ୍ଲାରେ ବିଭିନ୍ନ ଆଇରନ୍, ସିମେଣ୍ଟ ତଥା ଅନ୍ୟାନ୍ୟ ସାମଗ୍ରୀ ଉତ୍ପାଦନ କରୁଥିବା କାରଖାନାଗୁଡ଼ିକ ଯୋଗୁଁ ଏଠାରୁ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନକୁ ବ୍ୟବସାୟିକ ଯୋଗାଯୋଗ ରହିଛି। କେନ୍ଦ୍ର ସରକାର ଜିଏସ୍ଟି ଲାଗୁ କରିବା ପରେ କର ଫାଙ୍କୁଥିବା ଅସାଧୁ ବ୍ୟବସାୟୀ ସାବାଡ଼ ହେବେ ବୋଲି ଯେଉଁ ଆଶା କରାଯାଉଥିଲା ଏବେ ତା’ର ଫଳ ଓଲଟା ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲାରେ ଦେଶର ପ୍ରାୟ ସବୁ ରାଜ୍ୟର ବ୍ୟବସାୟୀ ତାଙ୍କର ବ୍ୟବସାୟ କରି ଆସୁଥିବାରୁ ଟିକସ ଫାଙ୍କିବା ପାଇଁ କିଛି ଅସାଧୁ ବ୍ୟବସାୟୀ ଏଠାରେ ତାଙ୍କର ଜାଲ ବହୁ ବର୍ଷରୁ ବିଛାଇ ସାରିଛନ୍ତି। ବିନା ଫାର୍ମ ଓ ବିନା ବ୍ୟବସାୟରେ ନକଲି ଆକାଉଣ୍ଟ ଖୋଲାଯାଇ କୋଟି କୋଟି ଟଙ୍କାର ବ୍ୟବସାୟ ଚାଲିଥିବା ନେଇ ଜଣେ ବରିଷ୍ଠ ଜିଏସ୍ଟି ଅଧିକାରୀ ସୂଚନା ଦେଇଥିବା ବେଳେ ପୂର୍ବରୁ ଏ ନେଇ ‘ସମ୍ବାଦ’ରେ ଖବର ମଧ୍ୟ ପ୍ରକାଶ ପାଇଥିଲା। କେବଳ କାଗଜ କଲମରେ ବ୍ୟବସାୟ କରି ସଂପୃକ୍ତ ବ୍ୟବସାୟୀମାନେ କୋଟି କୋଟି ଟଙ୍କାର ଜିଏସ୍ଟି ହଡ଼ପ କରୁଥିବା ଜଣାଯାଇଛି। ନାମକୁ ମାତ୍ର କୋଟି କୋଟି ଟଙ୍କାର ଲେଣଦେଣ କରୁଥିବା ବେଳେ କଳା କାରବାରକୁ ଧଳା କରିବାରେ ଏହି ବ୍ୟବସାୟୀମାନେ ସିଦ୍ଧହସ୍ତ। ଝାରସୁଗୁଡ଼ାରେ କାଗଜ କଲମରେ ଶହ ଶହ ବ୍ୟବସାୟ କେନ୍ଦ୍ର ଚାଲିଥିବା ବେଳେ ଟ୍ୟାକ୍ସ ଅଧିକାରୀମାନେ ଏହାର ଟେର ବି ପାଉନାହାନ୍ତି। ଟେର୍ ପାଇଲେ ବି ଜାଲ ପରି ଥିବା ଏହି ଘୋଟାଲାର ଖିଅ ବାହାର କରିବା କାଠିକର ପାଠ ହୋଇପଡୁଛି। ବିନା ଦ୍ରବ୍ୟରେ ଜଣେ ବ୍ୟବସାୟୀଠାରୁ ଅନ୍ୟ ଜଣେ ବ୍ୟବସାୟୀ ଜିନିଷ କ୍ରୟ କରି କର ବାବଦ ଅର୍ଥ ଆତ୍ମସାତ କରୁଥିବା ବେଳେ ଜିନିଷ ନ ଦେଇ କେବଳ ଏକ ଇନ୍ଭଏସ୍ ଦେଇ କୌଶଳରେ ବ୍ୟାପକ ଅର୍ଥ କାରବାର ହେଉଥିବା ଜଣାଯାଇଛି। ଏବେ ସିମେଣ୍ଟ ଓ ଲୁହାରଡ଼୍ରେ ବ୍ୟାପକ ଟିକସ ଠକେଇ ହେଉଥିବା ଜଣାଯାଇଛି। ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ସିମେଣ୍ଟ ଓ ଲୁହାରଡ଼୍ ଓଡ଼ିଶାଠାରୁ ୪ରୁ ୫ ଟଙ୍କା କମ୍ ଥିବାରୁ ଏବେ ବ୍ୟବସାୟୀମାନେ ଉପରୋକ୍ତ ସାମଗ୍ରୀ ବିପୁଳ ପରିମାଣରେ ଛତିଶଗଡ଼ରୁ ବିଭିନ୍ନ ସଡ଼କ ପଥ ଦେଇ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଚୋରାରେ ଚାଲାଣ କରି କୋଟି କୋଟି ଟଙ୍କା ଟିକସ ଫାଙ୍କୁଥିବା ଜଣାଯାଇଛି। ଜିଲ୍ଲାରେ କୌଣସି ବ୍ୟବସାୟ ପ୍ରତିଷ୍ଠାନ ଗ୍ରାହକମାନଙ୍କୁ ଜିଏସ୍ଟି ବିଲ୍ ଦେଉନଥିବାରୁ କୋଟି କୋଟି ଟଙ୍କା ଜିଏସ୍ଟି ଚୋରି ପଥ ସୁଗମ ହୋଇଯାଉଛି। କିଛି ବ୍ୟବସାୟୀ ତାଙ୍କ ପାଖରେ କାମ କରୁଥିବା ଚାକରମାନଙ୍କ ଠାରୁ କୌଶଳ କରି ଆଧାରକାର୍ଡ ନେଇ ଯାଉଥିବା ବେଳେ ତାଙ୍କ ନାମରେ ପାନ୍ କାର୍ଡ଼ ପ୍ରସ୍ତୁତ କରି ଗୋଟିଏ ଗୋଟିଏ ଜିଏସ୍ଟି ଆକାଉଣ୍ଟ ଖୋଲି ସେଥିରେ କୋଟି କୋଟି ଟଙ୍କା ଦେଣନେଣ କରୁଥିବା ଜଣାଯାଇଛି। ସହରରେ କିଛି ପାନ ଦୋକାନୀ, ସାଇକେଲ ମେକାନିକ୍ଙ୍କ ନାମରେ ବି ଜିଏସ୍ଟି ଆକାଉଣ୍ଟ ଥିବା ଜଣାଯାଇଛି। ବିଭାଗୀୟ ଅଧିକାରୀମାନେ ଜିଏସ୍ଟି ଠକେଇ ସଂପର୍କରେ ସଂପୂର୍ଣ୍ଣ ଅବଗତ ଥିଲେ ବି ନକଲି ଆକାଉଣ୍ଟ ଯାଞ୍ଚ ପାଇଁ ଇଚ୍ଛା ପ୍ରକାଶ କରୁନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଝାରସୁଗୁଡ଼ାରେ ବଡ଼ ଧରଣର ଜିଏସ୍ଟି ଠକେଇ ରାକେଟ ସୁରୁଖୁରରେ ଚାଲି ଆସୁଥିବା ବେଳେ ଅଧିକାରୀ ଓ ବ୍ୟବସାୟୀଙ୍କ ମଧ୍ୟରେ ଥିବା ସୁସଂପର୍କ ଯୋଗୁଁ ଏହା ପଦାକୁ ଆସିବା ସମ୍ଭବ ହେଉ ନଥିବା ଜଣାଯାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ କୋଟି କୋଟି ଟଙ୍କାର ଠକେଇ ଧରାପଡ଼ିବା ସହିତ ଏଥିରେ ସଂପୃକ୍ତ ବହୁ ଅସାଧୁ ଅଧିକାରୀଙ୍କ ମୁଖା ବି ଖୋଲିପାରନ୍ତା ବୋଲି ସାଧାରଣରେ ଦାବି ହୋଇଛି।