ଝାରସୁଗୁଡ଼ାରେ ଚାଷୀଙ୍କ ଚେତାବନୀ: ୨୪ ଘଣ୍ଟାରେ କାର୍ଯ୍ୟାନୁଷ୍ଠାନ ନହେଲେ କ୍ଷେତରେ ପୁଣି ଲାଗିବ ନିଆଁ

ଧାନ କ୍ଷେତରେ ନିଆଁ ଲଗାଇବା ଘଟଣା ୪ର୍ଥ ଦିନରେ ଜାରି

ଝାରସୁଗୁଡ଼ା: ଗତ ୪ ଦିନ ଭିତରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅନେକ ଚାଷୀ ସେମାନଙ୍କର ଧାନ କ୍ଷେତରେ ନିଆଁ ଲଗାଇଥିବା ବେଳେ ଶୁକ୍ରବାର ମଧ୍ୟ ଏହା ଜାରି ରହିଛି। ଝାରସୁଗୁଡ଼ା ଜିଲ୍ଲା ସିରିଆପାଲିରେ ୩ଜଣ ଚାଷୀ ୧୩ ଏକର ଜମିରେ ନିଆଁ ଲଗାଇଛନ୍ତି। କ୍ଷମାଶୀଳ ନାୟକ ୪ଏକର, ସାବିତ୍ରୀ ପଟେଲ ୫ଏକର ଓ ପବିତ୍ର ପଟେଲ ୪.୩ଏକର ଜମିରେ ନିଆଁ ଲଗାଇଥିବା ଜଣାପଡ଼ିଛି। ଚକଡ଼ା ପୋକରେ ସେମାନଙ୍କର ଧାନ କ୍ଷେତ ପ୍ରଭାବିତ ହେବା ପରେ ଫସଲ ଉଜୁଡ଼ି ଯାଇଛି।

ସମବାୟ ବ୍ୟାଙ୍କରୁ ଋଣ ଆଣି ଚାଷ କରିଥିବାରୁ କେମିତି ପରିଶୋଧ କରିବେ ସେ ନେଇ ଚାଷୀମାନେ ଚିନ୍ତିତ ଅଛନ୍ତି। ପ୍ରଶାସନ ତରଫରୁ ସହାୟତା ଯୋଗାଇବା ପାଇଁ ଚାଷୀମାନେ ଜିଲ୍ଲାପାଳ ବିଭୂତି ପଟ୍ଟନାୟକଙ୍କୁ ଭେଟି ସ୍ମାରକ ପତ୍ର ଦେଇଛନ୍ତି। ଆଗାମୀ ୨୪ ଘଣ୍ଟାରେ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ କ୍ଷେତରେ ପୁଣି ଥରେ ନିଆଁ ଲଗାଇବେ ବୋଲି ଚେତାବନୀ ଦେଇଛନ୍ତି।

ସେହିପରି ଜିଲ୍ଲାର ସମାସିଙ୍ଗା, କୁଲିହାମାଳ ଓ ସୋଢ଼ାମାଳ ଗ୍ରାମରୁ ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ଭେଟି ଫସଲ ନଷ୍ଟ ବାବାଦରେ କ୍ଷତିପୂରଣ ଯୋଗାଇବା ପାଇଁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାପାଳ ଶ୍ରୀ ପଟ୍ଟନାୟକ ଫସଲରେ ନିଆଁ ନଲଗାଇବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ପ୍ରଶାସନ ଦ୍ୱାରା ଚାଷ କ୍ଷୟକ୍ଷତିର ଆକଳନ କରାଯାଉଛି।

ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଟୁମଡୁଲା ଗ୍ରାମରେ ୨ଜଣ ଚାଷୀ ନିଜ ଫସଲରେ ନିଆଁ ଲଗାଇଥିବା ବେଳେ ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳରେ ଚାଷୀ ଆତ୍ମହୁତୀ ଦେବା ପାଇଁ ଚେତାବନୀ ଦେଇଛନ୍ତି। ଧାନ କ୍ଷେତରେ ପୋକ ଲାଗିଥିଲେ ମଧ୍ୟ ପ୍ରତିକାର ପାଇଁ ସରକାରଙ୍କ ପାଖରୁ କୌଣସି ସହାୟତା ମିଳି ନଥିବାରୁ ଚାଷୀମାନେ ବାଧ୍ୟ ହୋଇ ଏମିତି କରୁଥିବା ଜଣାପଡ଼ିଛି।

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ରଂପା ଗ୍ରାମବାସୀ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧରୀଙ୍କୁ ଭେଟି ଆବେଦନ କରିଛନ୍ତି। ରଂପା ଗ୍ରାମବାସୀ ୫୦ରୁ ୧୦୦ ଏକର ଜମିରେ ଧାନ ଚାଷ କରନ୍ତି। ଧାନ ହେଉଛି ସେମାନଙ୍କର ମୁଖ୍ୟ ଫସଲ ଓ ସେଥିରେ ସେମାନେ ପରିବାର ପୋଷନ୍ତି। ଏହି ଫସଲ ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯିବାରୁ ଚାଷୀ କୂଳ ହତାଶ ହୋଇଛନ୍ତି। ସେମାନେ ଋଣ କରି ଚାଷ କରିଥିବାରୁ କେମିତି ଏହା ପ୍ରତିଶୋଧ କରିବେ ସେ ନେଇ ଚିନ୍ତାରେ ବୁଡ଼ି ରହିଛନ୍ତି। ବର୍ତମାନ ପରିସ୍ଥିତିରେ ଋଣ ପରିଶୋଧ କରିବା ଅସମ୍ଭବ ବୋଲି ଚାଷିମାନେ ଜିଲ୍ଲାପାଳଙ୍କୁ କହିଥିବା ବେଳେ କ୍ଷତିପୂରଣ ନମିଳିଲେ ବାଧ୍ୟ ହୋଇ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର