ଝାରସୁଗୁଡ଼ା: ଝାରସୁଗୁଡ଼ା ଗସ୍ତରେ ରାଜ୍ୟପାଳ ରଘୁବର ଦାସ ଆସିଥିବା ବେଳେ ସଦର ବ୍ଲକ୍ ତାଲପଟିଆ ଗାଁକୁ ଯାଇଥିଲେ। ଏହି ସମୟରେ ପ୍ରକ୍ସି ସରପଞ୍ଚକୁ ଦେଖି ରାଜ୍ୟପାଳ ଖପ୍ପା ହେବା ସହ ସରପଞ୍ଚଙ୍କ କାମରେ ହସ୍ତକ୍ଷେପ ନ କରିବାକୁ ତାଗିଦ୍ କରିଥିଲେ। ଆଜି ରାଜ୍ୟପାଳଙ୍କ ଗସ୍ତ ସମୟରେ ଜଣେ ଚାଷୀ ସାର ଓ ବିହନର କିଣା ମୂଲ୍ୟ କମ୍ ହେଲେ ଚାଷୀ ଉପକୃତ ହୋଇପାଇବେ ବୋଲି ରାଜ୍ୟପାଳଙ୍କୁ କହିଥିଲେ। ତେବେ ମୂଲ୍ୟ କାହିଁକି ଅଧିକ ରହିଛି ତାହାର ଉତ୍ତର ପାଇଁ ଉକ୍ତ ପଞ୍ଚାୟତର ମହିଳା ସରପଞ୍ଚ ବୈଜୟନ୍ତୀ ନାୟକଙ୍କୁ ରାଜ୍ୟପାଳ ଡାକରା ଦେଇଥିଲେ। ମାତ୍ର ସରପଞ୍ଚ ଅନୁପସ୍ଥିତ ଥିବାରୁ ତାଙ୍କ ସ୍ବାମୀ ରୋମାଞ୍ଚ ନାୟକ ରାଜ୍ୟପାଳଙ୍କ ସମ୍ମୁଖରେ ଆସିଥିଲେ। ଏହାକୁ ଦେଖି ରାଜ୍ୟପାଳ ରାଗିଯିବା ସହିତ ସରପଞ୍ଚଙ୍କ ସ୍ଥାନରେ ତାଙ୍କ ସ୍ବାମୀ କାହିଁକି ହସ୍ତକ୍ଷେପ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହି ଘଟଣା ପରେ ସରପଞ୍ଚଙ୍କ ସ୍ବାମୀ ଘଟଣାସ୍ଥଳରୁ ଚାଲି ଯାଇଥିଲେ। ଯାହା ଆଜି ଜିଲ୍ଲାବ୍ୟାପୀ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।
ହାଇକୋର୍ଟରେ ମହିଳା ସରପଞ୍ଚଙ୍କ ସ୍ଥାନରେ ତାଙ୍କ ସ୍ବାମୀ କାର୍ଯ୍ୟ କରିବା ମାମଲା ଏବେ ବିଚାରଧୀନ ରହିଛି। ମହିଳା ସରପଞ୍ଚଙ୍କ ସ୍ବାମୀ ସରପଞ୍ଚ ଭାବରେ କାର୍ଯ୍ୟ କରୁଛନ୍ତି। ଏହି ମାମଲାକୁ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି ହାଇକୋର୍ଟ। ଗତ ନଭେମ୍ବରରେ ମାମଲାର ଶୁଣାଣି କରି ଏ ପ୍ରସଙ୍ଗରେ କଡ଼ା ଟିପ୍ପଣୀ ରଖିଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ପ୍ରସଙ୍ଗରେ କହିଛନ୍ତି ଯେ, ଏହି କାରଣରୁ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣରେ ବାଧକ ସାଜିଛି। ସରପଞ୍ଚ ଭାବେ ଜିତିଥିବା ମହିଳାଙ୍କ ସ୍ବାମୀମାନେ ମହିଳାଙ୍କ ପାଇଁ କରାଯାଇଥିବା ସଂରକ୍ଷଣ ବ୍ୟବସ୍ଥାର ଉଦ୍ଦେଶ୍ୟକୁ ପ୍ରତିହତ କରୁଛନ୍ତି ବୋଲି ବି କୋର୍ଟ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/raghubar.jpg)