ଝାରସୁଗୁଡ଼ା, ୮।୧୦ (ଇମିସ): ଚଳିତ ମାସ ଶେଷରେ ଅର୍ଥାତ୍ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୱିଣ୍ଟର ସିଡ୍ୟୁଲ୍। କିନ୍ତୁ ଏହା ପୂର୍ବରୁ ଝାରସୁଗୁଡ଼ା ଭିଏସ୍ଏସ୍ ବିମାନବନ୍ଦରରୁ ହାଇଦ୍ରାବାଦ ରୁଟ୍କୁ ବନ୍ଦ କରିଦେବାକୁ ଯୋଜନା ଚାଲିଛି। ଗତ ମାସରେ ପ୍ରତି ୩-୪ ଦିନ ବ୍ୟବଧାନରେ ଏହି ରୁଟ୍ର ବିମାନ ବାତିଲ୍ ହେଉଥିଲା। ଅକ୍ଟୋବର ପହିଲାରୁ ୭ ତାରିଖ ଯାଏ ଲଗାତାର ଭାବେ ହାଇଦ୍ରାବାଦକୁ ଚଳାଚଳ କରୁଥିବା ସ୍ପାଇସଜେଟ୍ର ବିମାନ ଉଭୟ ଦିଗରୁ ବାତିଲ୍ ରହିଛି। ଏଭଳି ସ୍ଥିତିରେ ୱିଣ୍ଟର ସିଡ୍ୟୁଲ ଆରମ୍ଭ ନହେଉଣୁ ନିରାଶ ହୋଇଛନ୍ତି ଯାତ୍ରୀ। ଏନେଇ ସ୍ପାଇସ୍ଜେଟ୍ର ଆଞ୍ଚଳିକ ମ୍ୟାନେଜରଙ୍କୁ ଯୋଗାଯୋଗ କରିବାରେ, ବିମାନରେ ବୁକିଂ ପର୍ଯ୍ୟାପ୍ତ ହେଉ ନଥିବାରୁ ବାଧ୍ୟ ହୋଇ ବାତିଲ୍ କରାଯାଉଥିବା ଉତ୍ତର ଦେଇଛନ୍ତି। ସେପଟେ, ସ୍ପାଇସ୍ଜେଟ୍ ନିକଟରେ ବିମାନର ସଙ୍କଟ ଏହି ରୁଟ୍ରେ ବିମାନ ଚଳାଚଳ ବନ୍ଦ ହେବାର ଆଉ ଏକ ପ୍ରମୁଖ କାରଣ ବୋଲି ମଧ୍ୟ ଜଣାପଡ଼ିଛି।
ଲଗାତାର ଭାବେ ବିମାନ ବାତିଲ୍ ହେବା କାରଣରୁ ଝାରସୁଗୁଡ଼ା ବିମାନବନ୍ଦର ପ୍ରତି ଲୋକଙ୍କ ଆଗ୍ରହ କମିବାରେ ଲାଗିଛି। ଏପରିକି ପୂର୍ବରୁ ବୁକିଂ କରିଥିଲେ ହେଁ ଯାତ୍ରା ଦିନ ବିମାନ ଉଡ଼ିବ ନା ନାହିଁ ସେନେଇ ସଂଶୟ ଲାଗିରହୁଛି। ଯାହାର ସିଧାସଳଖ ପ୍ରତିଫଳନ ଯାତ୍ରୀଙ୍କ ସଂଖ୍ୟାରେ ଦେଖିବାକୁ ମିଳିଛି। ଗତ ୩ ମାସର ଚିତ୍ର ଆଖି ଆଗକୁ ନେଲେ ଝାରସୁଗୁଡ଼ା ବିମାନବନ୍ଦରରେ ଉଭୟ ପ୍ରସ୍ଥାନ ଓ ଆଗମନ ଯାତ୍ରୀଙ୍କ ସଂଖ୍ୟା ୬ଶହରୁ ହ୍ରାସ ପାଇ ଏବେ ୪ଶହରେ ପହଞ୍ଚିଲାଣି। ୭ ତାରିଖରେ ବିମାନ ବନ୍ଦରରେ ମୋଟ ଯାତ୍ରୀଙ୍କ ସଂଖ୍ୟା ୩୮୦ ଥିବା ବେଳେ ୬ ତାରିଖରେ ୪୧୪, ୫ ତାରିଖରେ ୪୩୨, ୪ ତାରିଖରେ ୩୯୯, ୩ ତାରିଖରେ ୪୪୪, ୨ ତାରିଖରେ ୪୩୯ ଓ ୧ ତାରିଖରେ ୩୯୧ ରହିଥିଲା। ଝାରସୁଗୁଡ଼ା ବିମାନବନ୍ଦରରୁ ଦୈନିକ ୪ଟି ରୁଟ୍ରେ ଅର୍ଥାତ୍ ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା ଓ ଭୁବନେଶ୍ବରକୁ ବିମାନ ଚଳାଚଳ କରୁଛି। ଏହି ୪ ରୁଟ୍ର ୮ ବିମାନର ମୋଟ୍ ଆସନ ସଂଖ୍ୟା ହେଉଛି ୭୩୮। ବିମାନ ବନ୍ଦର ଉପରେ ଲୋକଙ୍କ ଭରସା ପାଉନଥିବାରୁ ଏବେ ବିମାନର ପ୍ରାୟ ୫୦ ପ୍ରତିଶତ ଆସନ ଖାଲିପଡ଼ୁଛି।
ଗତ ଜୁନ୍ ୩୦ ତାରିଖରେ ବିମାନବନ୍ଦର କର୍ତ୍ତୃପକ୍ଷ ଟ୍ବିଟ୍ କରି ଜୁଲାଇ ୧୦ରୁ କୋଲାକାତା ଓ ବିଶାଖାପାଟଣାକୁ ସ୍ପାଇସଜେଟ୍ର ନୂଆ ବିମାନ ଉଡ଼ିବ ବୋଲି ଘୋଷଣା କରିଥିଲେ। ଏହାସହିତ ଗତବର୍ଷରୁ ବନ୍ଦ ହୋଇଥିବା ଚେନ୍ନାଇ ଓ ବେଙ୍ଗାଲୁରୁକୁ ମଧ୍ୟ ବିମାନ ଉଡ଼ିବ ବୋଲି ଘୋଷଣା କରିଥିଲେ। ଯଦିଓ ଜୁଲାଇରୁ ଏହି ସେବା ଆରମ୍ଭ ହୋଇନି ତଥାପି ୱିଣ୍ଟର ସିଡ୍ୟୁଲରେ ଏହାକୁ ସ୍ଥାନିତ କରାଯାଇଥିବାରୁ ଲୋକଙ୍କ ଆଶା ରହିଥିଲା। ଏହି ୪ଟି ଯାକ ରୁଟ୍ ପାଇଁ ସ୍ପାଇସଜେଟ୍କୁ ଅନୁମତି ମିଳିସାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ବୁକିଂ ଆରମ୍ଭ ହୋଇପାରିନି। ଏହାର କାରଣ ପଚରାଯିବାରେ, ସ୍ପାଇସ୍ଜେଟ୍ ନିକଟରେ ବିମାନ ନଥିବାରୁ ଏହି ରୁଟ୍ରେ କେବେଠାରୁ ବିମାନ ଚଳାଚଳ କରିବ ସେନେଇ କହି ହେବନି ବୋଲି ଖୋଦ୍ ସ୍ପାଇସଜେଟ୍ର ଆଞ୍ଚଳିକ ମ୍ୟାନେଜର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/jharsuguda-airport.jpg)