ଝାରସୁଗୁଡ଼ା: ଝାରସୁଗୁଡ଼ା ବିମାନ ବନ୍ଦରରୁ ଆଜି ୪ ଜଣ ଯାତ୍ରୀ ଭୁବନେଶ୍ବର ଯାତ୍ରା କରିଥିବା ବେଳେ ୮ ଜଣ ଯାତ୍ରୀ ରାୟପୁର ଯାତ୍ରା କରିଛନ୍ତି। ସକାଳେ ଏୟାର ଓଡ଼ିଶାର ବିମାନ ଭୁବନେଶ୍ବରରୁ ୧୦ ଜଣ ଯାତ୍ରୀଙ୍କୁ ନେଇ ଝାରସୁଗୁଡ଼ାରେ ଅବତରଣ କରିଥିଲା। ବିମାନରୁ ୪ ଜଣ ଯାତ୍ରୀ ଝାରସୁଗୁଡ଼ାରେ ଓହ୍ଲାଇଥିବା ବେଳେ ୮ ଜଣ ଯାତ୍ରୀ ରାୟପୁର ଯିବା ପାଇଁ ବିମାନରେ ଚଢ଼ିଥିଲେ। ସନ୍ଧ୍ୟାରେ ରାୟପୁରରୁ ଖାଲି ବିମାନ ଝାରସୁଗୁଡ଼ାରେ ଅବତରଣ କଲାପରେ ସେଥିରେ ଝାରସୁଗୁଡ଼ାରେ ୪ ଜଣ ଯାତ୍ରୀ ଭୁବନେଶ୍ବର ଯାତ୍ରା କରିଥିବା ଜଣାଯାଇଛି। ଝାରସୁଗୁଡ଼ାରୁ ବହୁ ଯାତ୍ରୀ ବିମାନ ସେବାର ମଜା ଉଠାଇବା ପାଇଁ ଚାହୁଁଥିଲେ ମଧ୍ୟ ବିମାନ ଚଳାଚଳ ନେଇ କୌଣସି ସଠିକ୍ ସୂଚନା ପାଇ ପାରୁ ନାହାନ୍ତି। ଅନଲାଇନ୍ରେ ଟିକେଟ ବିକ୍ରୟ ହୋଇନଥିବା ବେଳେ ବିମାନ ଉଡ଼ାଣ ନେଇ ସୂଚନା କେହି ଦେଇ ପାରୁନଥିବାରୁ ଉତ୍ସାହୀ ଯାତ୍ରୀ ମାନେ ବିମାନରେ ଯିବାର ମଜା ନେଇ ପାରୁ ନାହାନ୍ତି।
ଅପରପକ୍ଷେ ବିମାନ ସନ୍ଧ୍ୟାରେ ଭୁବନେଶ୍ବର ଯାଉଥିବାରୁ ଏହା ଝାରସୁଗୁଡ଼ା ଜନସାଧାରଣଙ୍କୁ ସୁବିଧା ହେଉନାହିଁ। ଝାରସୁଗୁଡ଼ା ଠାରୁ ସକାଳେ ଯାଇ ଭୁବନେଶ୍ବରରୁ ସନ୍ଧ୍ୟାରେ ଫେରିଲେ ଝାରସୁଗୁଡ଼ା ସହିତ ଏହାର ଆଖପାଖ ଅଞ୍ଚଳର ଲୋକେ ଗୋଟିଏ ଦିନରେ ଭୁବନେଶ୍ବର ଯାଇ ବିଭିନ୍ନ କାର୍ଯ୍ୟ ସଂପାଦନରେ ସୁବିଧା ହୋଇ ପାରନ୍ତା। ତେଣୁ ଝାରସୁଗୁଡ଼ାରୁ ଭୁବନେଶ୍ବରକୁ ବିମାନ ସନ୍ଧ୍ୟା ପରିବର୍ତ୍ତେ ସକାଳେ ଯିବାପାଇଁ କାଉନସିଲର ରାଜୁ ପାଣିଗ୍ରାହୀ, ସମାଜସେବୀ ପିଣ୍ଟୁ ପାଢ଼ୀ, ସୁବ୍ରତ ତ୍ରିପାଠୀ, ରମେଶ ଗାନ୍ଧି, କାଉନସିଲର ପ୍ରତାପ ନନ୍ଦ ପ୍ରମୁଖ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/jet_airways-770x433-2.jpg)