ଝାରସୁଗୁଡ଼ା: ‘ବେଆଇନ୍ ପାଉଁଶ ଡମ୍ପିଂ ହେଉଛି, ଆମେ ଅନୁଧ୍ୟାନ କଲୁ, ପ୍ରମାଣ ପାଇଲୁ, ହେଡ୍ ଅଫିସ୍କୁ ରିପୋର୍ଟ ପଠାଯାଇଛି। ରାସ୍ତାସାରା ପାଉଁଶ ସ୍ପିଲେଜ୍ ହେବାର ପ୍ରମାଣ ପାଇଲୁ, ହେଡ୍ ଅଫିସକୁ ରିପୋର୍ଟ ପଠାଯାଇଛି। ସୋଲାର ଇଣ୍ଡଷ୍ଟ୍ରିଜ୍ ବର୍ଜ୍ୟ ଜଳ ପୋଖରୀକୁ ଛାଡ଼ିବାର ପ୍ରମାଣ ମିଳିଲା, ନମୁନା ସଂଗ୍ରହ ହେଲା, ଏସ୍ପିସିବିର ନିୟମ ମାନୁନଥିବାରୁ ତାଗିଦ୍ କରାଯାଇଛି, ହେଡ୍ ଅଫିସ୍କୁ ରିପୋର୍ଟ ଯାଇଛି।
ଓଡ଼ିଶା ମେଟାଲିକ୍ସରୁ ପାଉଁଶ ବାହାରି କ୍ଷେତରେ ପଡ଼ିଛି ଓ ବର୍ଜ୍ୟ ପାଣି ନିଷ୍କାସିତ ହୋଇ କହ୍ନେଇ ନାଳାରେ ମିଶିଛି, ପାଣି ନିଷ୍କାସନ ବନ୍ଦ ପାଇଁ କମ୍ପାନିକୁ ତାଗିଦ୍ ହୋଇଛି, ରିପୋର୍ଟ ହେଡ୍ ଅଫିସକୁ ପଠାଯାଇଛି।’ ଏହା ହେଉଛି ଶିଳ୍ପବହୁଳ ଝାରସୁଗୁଡ଼ା ଜିଲ୍ଲାରେ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟର କାର୍ଯ୍ୟଶୈଳୀ।
ଅଭିଯୋଗ ପରେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରନ୍ତି, ରିପୋର୍ଟ ବି ମୁଖ୍ୟାଳୟ ପଠାଇଦିଅନ୍ତି। କିନ୍ତୁ ମୁଖ୍ୟାଳୟରେ ଉକ୍ତ ରିପୋର୍ଟ ଡଷ୍ଟବିନ୍କୁ ଚାଲିଯାଏ। ନା କମ୍ପାନି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୁଏ, ନା ଅଭିଯୋଗ କରିଥିବା ଲୋକଙ୍କୁ ନ୍ୟାୟ ମିଳେ। ଯଦିବି କେବେ କାର୍ଯ୍ୟାନୁଷ୍ଠାନ ବା ଜରିମାନା ହୁଏ, ତେବେ ଉକ୍ତ ଜରିମାନା ରାଶି ସରକାରୀ ତହବିଲକୁ ଆସେନାହିଁ। ଏସ୍ପିସିବିର ଆଞ୍ଚଳିକ ଅଧିକାରୀଙ୍କ ନିକଟରେ କେବଳ ରିପୋର୍ଟ ପଠାଇବା ଯାଏ କ୍ଷମତା ରହୁଥିବାରୁ ସେମାନେ ଅଧିକ କିଛି କରିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ଅନେକ ସମୟରେ ଉତ୍ତର ମିଳୁଛି। ଯାହାକୁ ନେଇ ଏସ୍ପିସିବିର ଆଞ୍ଚଳିକ କାର୍ଯ୍ୟାଳୟ କେବଳ ଏକ ଦନ୍ତବିହୀନ ବାଘ ବୋଲି ଲୋକେ ଅଭିଯୋଗ କଲେଣି। ଏନେଇ ପ୍ରତିକ୍ରିୟା ପାଇଁ ଏସ୍ପିସିବିର ଆଞ୍ଚଳିକ ଅଧିକାରୀ ହିରଣ୍ୟ ନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇନଥିଲା।
ଝାରସୁଗୁଡ଼ା ଏକ ଶିଳ୍ପ ଓ ଖଣି ବହୁଳ ଜିଲ୍ଲା ହୋଇଥିବାରୁ ଏଠାରେ ପ୍ରଦୁଷଣ ହେବା ସ୍ବଭାବିକ କଥା। କିନ୍ତୁ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ଝାରସୁଗୁଡ଼ାରେ ଥିଲେ ସୁଦ୍ଧା ଉକ୍ତ ପ୍ରଦୁଷଣ ନିୟନ୍ତ୍ରିତ ହୋଇପାରୁନି କି ଲୋକଙ୍କୁ ଶୁଦ୍ଧ ମାଟି, ପାଣି, ପବନ ମିଳିପାରୁନି। ୫୦ରୁ ଅଧିକ ଶିଳ୍ପାନୁଷ୍ଠାନ ୧୦ରୁ ଅଧିକ ଖଣି ଥିବା ସତ୍ତ୍ବେ ଏହି କାର୍ଯ୍ୟାଳୟରେ ଅଧିକାରୀଙ୍କ ସଂଖ୍ୟା ହେଉଛି ୨। ଯେଉଁଠି ମାସର ଅର୍ଦ୍ଧାଧିକ ସମୟ ଏହି ଅଧିକାରୀଙ୍କୁ ବିଭିନ୍ନ ବୈଠକ, ଭିସିରେ ସାମିଲ୍ ହେବାକୁ ପଡ଼ୁଥିବା ବେଳେ ୧୫ ଦିନରୁ ୫ରୁ୬ ଦିନ ଛୁଟିଦିନ ରହୁଛି। ଏଭଳି ସ୍ଥିତିରେ ବଳକା ୮ ଦିନରେ ବିଭାଗର ୨ ଅଧିକାରୀ ସମସ୍ତ କାମ କରିବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ସପ୍ତହର ଏଭଳି କୌଣସି ଦିନ ନାହିଁ, ଯେବେ ପ୍ରଦୁଷଣକୁ ନେଇ ସରକାରୀ କାର୍ଯ୍ୟାଳୟରେ ଅଭିଯୋଗ ହେଉନି। କେବେ ବିଡିଓ ତ କେବେ ଉପ ଜିଲ୍ଲାପାଳ ତ କେବେ ଜିଲ୍ଲାପାଳଙ୍କ ନିକଟରେ ଲୋକେ ମାଳ ମାଳ ଅଭିଯୋଗ ନେଇ ପହଞ୍ଚୁଛନ୍ତି। ଅଭିଯୋଗ ଆଧାରରେ ଏସ୍ପିସିବିର ଆଞ୍ଚଳିକ କାର୍ଯ୍ୟାଳୟର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏସମ୍ପର୍କୀତ ରିପୋର୍ଟ ବି ପ୍ରସ୍ତୁତ କରିବା ସହ ମୁଖ୍ୟାଳୟକୁ ପଠାଇଦେଇ ନିଜର କାମ ସାରିଦେଉଛନ୍ତି। ସେପଟେ, କମ୍ପାନି କର୍ତ୍ତୃପକ୍ଷଙ୍କୁ ବି ଏକଥା ଅଛପା ନଥିବାରୁ ସେମାନେ ସିଧାସଳଖ ଏସ୍ପିସିବିର ମୁଖ୍ୟାଳୟରେ ପହଞ୍ଚି ସେଟିଂ କରି ଫାଇଲ୍କୁ ଡଷ୍ଟବିନ୍ରେ ଫିଙ୍ଗାଇ ଫେରି ଆସୁଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ବିଗତ ୨ ବର୍ଷ ମଧ୍ୟରେ ଝାରସୁଗୁଡ଼ାରେ ବିଭିନ୍ନ ସ୍ଥାନରେ ହେଉଥିବା ପ୍ରଦୁଷଣ ମାମଲାରେ କେନ୍ଦ୍ର ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ଝାରସୁଗୁଡ଼ାରେ ପହଞ୍ଚି ତଦନ୍ତ କରିଛି। ଉକ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏସ୍ପିସିବିକୁ ନିର୍ଦ୍ଦେଶ ଦେଇଛି। ମାତ୍ର ଫଳ ଶୂନ।