ବ୍ରଜରାଜନଗର, : ଝାରସୁଗୁଡ଼ା ବ୍ଲକ୍‌ କୁଦୋପାଲି ପଞ୍ଚାୟତ କଣ୍ଟାଟିକ୍ରା ଗ୍ରାମ୍ୟ ଜଙ୍ଗଲରେ ବନ କର୍ମଚାରୀଙ୍କ ଉପସ୍ଥିତିରେ ଗଛକଟାକୁ ବିରୋଧ କରାଯାଇଛି। ଏମସିଏଲ କର୍ମଚାରୀମାନେ ମଂଗଳବାର ମଧ୍ୟାହ୍ନରେ ଏହି ଗଛ କାଟୁଥିବା ଅଭିଯୋଗ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉଭୟ ବନ ବିଭାଗ ଓ ଏମସିଏଲ କର୍ମଚାରୀଙ୍କୁ ଗାଁ ଭିିତରେ ଥିବା କ୍ଲବ୍‌ ଘର ନିକଟରେ ଅଟକ ରଖିଥିଲେ।
ଗ୍ରାମବାସୀ ଦାବି କରିଛନ୍ତି ଯେ ଜଙ୍ଗଲ କଟା ଯିବା ପୂର୍ବରୁ ପଲ୍ଲୀସଭା କିମ୍ବା ଗ୍ରାମ୍ୟ ସଭା ହେଉ। ଗ୍ରାମବାସୀଙ୍କ ଅଜାଣତରେ ହେଉଥିବାରୁ ଏହା ଆଇନସମ୍ମତ ନୁହେଁ। ବ୍ରଜରାଜନଗର ରେଂଜର ହେମନ୍ତ ସାହୁ, ଏମସିଏଲ ଅଧିକାରୀ ଏ. ପଣ୍ଡା ଘଟଣାସ୍ଥଳରେ ଏନେଇ ଆଲୋଚନା କରିଥିଲେ। ପରେ ବ୍ରଜରାଜନଗର ଆଇଆଇସି ବିଶ୍ୱାମିତ୍ର ହରିପାଲ ଗାଁରେ ପହଞ୍ଚି ବୁଝାସୁଝା କରିଥିଲେ। ବନ କର୍ମଚାରୀ ଓ ସଂପୃକ୍ତ ଏମସିଏଲ କର୍ମଚାରୀଙ୍କ ଗ୍ରାମବାସୀ ଛାଡ଼ି ଦେଇଥିଲେ।

Advertisment

ରେଂଜର ଶ୍ରୀ ସାହୁ କହିଛନ୍ତି ଯେ ଫରେଷ୍ଟର ତିଳୋତ୍ତମା ମରେଇ ବିଭାଗ ପକ୍ଷରୁ ଜିପିଏସ ପିଡିଏ ମେସିନ ଧରି ଜଙ୍ଗଲ ଭିତରେ ନିର୍ଦେଶ ଅନୁସାରେ କାର୍ଯ୍ୟ କରୁଥିଲେ। ଡିଏଫଓଙ୍କ ଚିଠି ଅନୁସାରେ, ଏମସିଏଲ ପକ୍ଷରୁ ସେହି କଣ୍ଟାଟିକ୍ରା ଜଙ୍ଗଲରେ ଥିବା ଗଛଗୁଡ଼ିକୁ ଗଣତି କରି ସଂଖ୍ୟା ଚିହ୍ନଟ କରୁଥିବା ବେଳେ ଗ୍ରାମବାସୀମାନେ ବିରୋଧ କରିଥିଲେ। ଗଛ କାଟିବା ଅଭିଯୋଗକୁ ରେଂଜର ଖଣ୍ଡନ କରିଛନ୍ତି। ପୁଲିସ୍‌ ଉପସ୍ଥିତିରେ ସମସ୍ୟାର ସମାଧାନ ହୋଇଥିବା ସେ ସ୍ୱୀକାର କରିଛନ୍ତି।