ଲଇକେରା: ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ଭୋଟ ପାଇଁ ମାତ୍ର ୧୭ ଦିନ ବାକି ଥିବା ବେଳେ ଏହା ଅନ୍ତର୍ଗତ ଲଇକେରା ବ୍ଲକ ଅଞ୍ଚଳରେ ପ୍ରଚାର ତାତି ଏପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ। ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେଡି, ବିଜେପିର ପ୍ରାର୍ଥୀ ଘୋଷଣା ସରିଥିଲେ ବି ପ୍ରଚାର ମାନ୍ଦା ରହିଛି। ବିଭିନ୍ନ ରାଜନୈତିକ ଦଳ ଓ ନେତା ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ କରୁଥିଲେ ମଧ୍ୟ ନେପଥ୍ୟରେ ବେଶି କାର୍ଯ୍ୟ ଚାଲିଥିବା ଜଣାପଡୁଛି।
ଏକଦା ଲଇକେରା ଓ କିର୍ମିରା ଅଞ୍ଚଳ କଂଗ୍ରେସର ଅଭେଦ୍ୟ ଗଡ଼ ଥିଲା। ପୂର୍ବରୁ କଂଗ୍ରେସରୁ ପ୍ରାର୍ଥୀ ହୋଇ ନବ ଦାସ ଏହି ନିର୍ବାଚନମଣ୍ଡଳୀରୁ ଦୁଇ ଥର ନିର୍ବାଚିତ ହୋଇଥିଲେ। ଏ ଥର ବିଜେଡିରେ ଯୋଗ ଦେଇ ସେ କଂଗ୍ରେସର ଚିରାଚିରତ ଭୋଟ୍ବ୍ୟାଙ୍କକୁ ଅସ୍ଥିର କରି ଦେଇଥିବା ସହ ଭୋଟରଙ୍କୁ ଦ୍ବନ୍ଦ୍ବରେ ପକାଇ ଦେଇଛନ୍ତି। କଂଗ୍ରେସ ଭୋଟରମାନେ ତାଙ୍କ ସହ ଯିବେ କି କଂଗ୍ରେସର ପ୍ରାର୍ଥୀ ମହେନ୍ଦ୍ର ନାଏକଙ୍କ ସହ ରହିବେ ତାହା ସମୟ କହିବ। ଗୋଁଡ଼ ସମାଜର ନେତା ହୋଇଥିବାରୁ ଶ୍ରୀ ନାଏକ ଏଥର କଂଗ୍ରେସ ଭୋଟ ସହିତ ନିଜ ସମାଜର ଭୋଟ ନିଜ ସପକ୍ଷକୁ ଆଣିବାକୁ ଆଶା ରଖିଛନ୍ତି। କିନ୍ତୁ ଜିଲ୍ଲାରେ ଗୋଣ୍ଡ ସମାଜର ସବୁ ଭୋଟ ଯେ ତାଙ୍କ ପଟକୁ ଯିବ ତାହାର ଗ୍ୟାରେଣ୍ଟି ନାହିଁ। କାରଣ କିଛି ଦିନ ତଳେ ସମାଜର ଏକ ଭାଗ ନବଙ୍କ ସପକ୍ଷବାଦୀ ହୋଇ ସାରିଛନ୍ତି।
ବିଭିନ୍ନ ଦୃଷ୍ଟିରୁ ପଛୁଆ ବିବେଚିତ ଏହି ଅଞ୍ଚଳର ଭୋଟରମାନେ ଏଥର ଆଞ୍ଚଳିକ ବିକାଶ ଓ ପ୍ରାର୍ଥିତ୍ୱକୁ ଗୁରୁତ୍ୱ ଦେଉଥିବା ବେଳେ ନିର୍ବାଚନ ଦଳ ଅପେକ୍ଷା ନବକୈନ୍ଦ୍ରିକ ରହିବ ବୋଲି ସୂଚନା ମିଳୁଛି। ପୂର୍ବ ନିର୍ବାଚନଗୁଡ଼ିକରେ ଏଠାରେ ଦ୍ବିପାକ୍ଷିକ ଲଢ଼େଇ ବିଜେଡି-କଂଗ୍ରେସ ମଧ୍ୟରେ ଦେଖାଯାଇଥିଲା। ଏଥର ବିଜେପିର ଅଭ୍ୟୁଦୟ ହୋଇ ତ୍ରିମୁଖୀ ଲଢ଼େଇ ଆଶା କରାଯାଉଥିଲା। ହେଲେ, ଟିକଟ କନ୍ଦଳ ଯୋଗୁଁ ଏହି ଦଳରେ ବେଶ୍ ଅସନ୍ତୋଷ। ସୁବାସ ଚୌହାନଙ୍କୁ ବରଗଡ଼ ଲୋକସଭା ଆସନରୁ ବିଜେପି ଟିକଟ ନ ମିଳିବାରୁ ଲଇକେରା ଅଞ୍ଚଳର କିଛି ବିଜେପି ନେତା ଓ କର୍ମୀ ଅସନ୍ତୁଷ୍ଟ ହୋଇଥିବା ଜଣାପଡ଼ିଛି। ସେମାନେ ଏବେ ସୁନ୍ଦରଗଡ଼ ଯାଇ ଜୁଏଲ ଓରାମଙ୍କ ପାଇଁ କାମ କରିବେ ବୋଲି ଜଣାପଡ଼ିଲାଣି। ଏହା ବିଜେପି ପ୍ରାର୍ଥୀ ଦୀନେଶ ଜୈନଙ୍କ ପାର୍ଇ ଅସୁବିଧା ସୃଷ୍ଟି କରିପାରେ ବୋଲି ଆଲୋଚନା ହେଉଛି।
ଲଇକେରାରେ ପ୍ରଚାର ମାନ୍ଦା:ନେପଥ୍ୟରେ ବେଶି କୋଳାହଳ
/sambad/media/post_attachments/wp-content/uploads/2019/04/vote-machine-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)