ବନ୍ଧବାହାଲ ବିଦ୍ୟୁତ୍ ବିଭାଗ ସବଷ୍ଟେସନରୁ ବନ୍ଧୁକମୁନରେ ଲୁଟ୍

ଇବଥର୍ମାଲ: ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ବନ୍ଧବାହାଲ ଫାଣ୍ଡି ନାକତଳେ ଥିବା ବନ୍ଧବାହାଲ ବିଦ୍ୟୁତ୍ ସବଷ୍ଟେସନରୁ ଶନିବାର ବିଳମ୍ବିତ ରାତିରେ ବନ୍ଧୁକ ମୁନରେ ବଡ଼ ଧରଣର ଲୁଟ୍ ହୋଇଛି। ଲୁଟ ସାମଗ୍ରୀ ମଧ୍ୟରେ ରହିଛି ୫୦ କେଭି ଟ୍ରାନସଫରମରରୁ ୮୦ରୁ ୧ କ୍ବିଣ୍ଟାଲ୍ ତମ୍ବା କଏଲ୍ ତାର। ଏହାର ଆନୁମାନିକ ମୂଲ୍ୟ ୭୦ ହଜାର ହେବ ବୋଲି ଆକଳନ କରାଯାଇଛି।

ଏହାଛଡ଼ା ଜଣେ କର୍ମଚାରୀଙ୍କ ମୋଟର ସାଇକେଲ, ୧୧ ଟା ମୋବାଇଲ, କଲେକସନ ହୋଇଥିବା ୭ ହଜାର ଟଂକା , ବ୍ୟବହୃତ ୫ଟା ଟର୍ଚ ଲାଇଟ  ଡିଙ୍ଗ ମେସିନ୍ , କଟର ମେସିନ୍ ,ଏକ ଏମ୍ଲିଫାଏର୍ ଲୁଟି ନେଇଥିବା କୁହାଯାଇଛି। ରାତିରେ ସବଷ୍ଟେସନରେ ଡ୍ୟୁଟି କରୁଥିବା ଜ୍ୟୋତିରଞ୍ଜନ ପ୍ରହରାଜ, ଚିତ୍ତରଞ୍ଜନ ସାହୁ , ପ୍ରିୟରଞ୍ଜନ ମଲ୍ଲିକ ଓ ଶୁଭମ ସାଗର ପ୍ରଧାନଙ୍କ କହିବା କଥା ଯେ ଦୁର୍ବୃତ୍ତ ରାତି ପ୍ରାୟ ୧୨ଟା ୩୦ରେ ଗେଟ ଓ ପାଚେରି ଡେଇଁ ଆସିଥିଲେ।

ସେମାନଙ୍କ ହାତରେ ବନ୍ଧୁକ ସହ ଛୁରି ରଡ ଭଳି ମାରଣାସ୍ତ୍ର ଆଦି ଥିଲା। ସମସ୍ତେ ମୁହଁ ଢାଙ୍କି ଥିଲେ । ଆସୁଆସୁ ଡ୍ୟୁଟିରେ ଥିବା ଚାରିଜଣକୁ ନିସ୍ତୁକ ମାଡ଼ମାରି ଗୋଟିଏ ରୁମ ଭିତରେ ବନ୍ଦ କରିଥିଲେ। ବନ୍ଧୁକ ପଛପଟେ ଜ୍ୟୋତିରଞ୍ଜନଙ୍କ ମୁଣ୍ଡରେ ବାଡେଇବାରୁ ମୁଣ୍ଡ ଫାଟି ଯାଇଛି। ପ୍ରାୟ ୨ ଘଣ୍ଟା ତାଣ୍ଡବ ରଚେଇ ସେମାନେ ଜିନିଷ ଲୁଟକରି ଫେରାର ହୋଇ ଯାଇଥିଲେ। ସମସ୍ତେ ପ୍ରାୟତଃ ଓଡ଼ିଆରେ କଥାବାର୍ତ୍ତା କରୁଥିବାର କୁହାଯାଇଛି। ବନହରପାଲି ପୁଲିସ ଘଟଣାର ଖବର ପାଇବା ପରେ ତନାଘନା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର