ଝାରସୁଗୁଡ଼ା : ପ୍ରେମ ପାଇଁରେ ଦୁନିଆକୁ ଭୁଲି ପଛରେ ପକେଇ ଦେଇଥିଲେ। ମା’-ବାପା, ଭାଇ ଭଉଣୀଙ୍କ ସ୍ନେହ ବନ୍ଧନ ତୁଟାଇ ସମସ୍ତଙ୍କୁ ଛାଡ଼ି ପ୍ରେମିକ ସହ ଘର ଛାଡ଼ି ଚାଲି ଯାଇଥିଲେ। ମାତ୍ର ପ୍ରେମିକ ତାକୁ ଜୀବନରେ ମାରି ଦେବାକୁ ଉଦ୍ୟମ କରି ଫେରାର ହୋଇଯାଇଥିବା ଆଲୋଡ଼ନ ସୃଷ୍ଟି କରିଛି। ଝାରସୁଗୁଡ଼ା ରେଳ ଷ୍ଟେସନରେ ଘଟିଛି ଏଭଳି ଏକ ଅମାନବୀୟ ଘଟଣା।
ଛତିଶଗଡ଼ ରାଜ୍ୟ ଜାଙ୍ଗିର ଚାମ୍ପା ଜିଲ୍ଲାର ପୂଜେରିପାଲି-ଚନ୍ଦରପୁରର ଅଂଚଳର ଜଣେ ନାବାଳିକା ବନିତା (ଛଦ୍ମନାମ)କୁ ସେହି ଗ୍ରାମ ନିକଟସ୍ଥ ସର୍ବାନୀ ଗ୍ରାମର ଦିଲୀପ ଦାସ ମହନ୍ତ ପ୍ରେମ କରୁଥିଲେ। ବିବାହର ପ୍ରତିଶ୍ରୁତି ପାଇ ଘର ଛାଡ଼ି ବନିତା ପ୍ରେମିକ ସହ ପଳାଇ ଯାଇଥିଲେ। ପ୍ରେମୀଯୁଗଳ ଘର ଛାଡ଼ି ଜମ୍ମୁକୁ ଚାଲି ଯାଇଥିଲେ। ସେଠାରେ ଦିଲୀପ କୌଣସି ଏକ ସଂସ୍ଥାରେ ଶ୍ରମିକ ଭାବରେ କାମ କରି ୧୦ ମାସ ହେଲା ଉଭୟେ ରହୁଥିଲେ। ତେବେ ଆର୍ଥିକ ପରିସ୍ଥିତି ଜଟିଳ ହେବାରୁ ଉଭୟେ ସେଠାରୁ ଝାରସୁଗୁଡ଼ା ଠାରେ ଆସି ରହିବାକୁ ମନସ୍ଥ କରିଥିଲେ ବୋଲି ବନିତା କହିିଛନ୍ତି।
ବୁଧବାର ଉଭୟେ ଟ୍ରେନରେ ରାୟଗଡ଼ାରୁ ବସି ରାତିରେ ଝାରସୁଗୁଡ଼ା ଷ୍ଟେସନରେ ପହଞ୍ଚିଥିଲେ। ଝାରସୁଗୁଡ଼ା ଷ୍ଟେସନରେ ପହଞ୍ଚିବା ପରେ ଦିଲୀପ ଓ ବନିତା ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଦିଲୀପ ଉତ୍କ୍ଷିପ୍ତ ହୋଇ ବନିତାଙ୍କୁ ଜବରଦସ୍ତ ଏକ ତରଳ ପଦାର୍ଥ ପିଆଇବାକୁ ଚେଷ୍ଟା କରିଥିଲା। ଏଥିରେ ବନିତା ରାଜି ନହେବାରୁ ଏକ ଧାରୁଆ ଅସ୍ତ୍ରରେ ତାର ତଣ୍ଟିକୁ କାଟି ଦେଇ ଫେରାର ହୋଇ ଯାଇଥିଲା। ପରେ ସ୍ଥାନୀୟ ଲୋକେ ବନିତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବନିତା ୬ ମାସର ଗର୍ଭବତୀ ଥିବା ଡାକ୍ତରଙ୍କୁ କହିଛନ୍ତି।
ଏ ସଂପର୍କରେ ସ୍ଥାନୀୟ ଜିଆର୍ପିରେ ଖବର ଦିଆଯାଇଥିଲେ ମଧ୍ୟ ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଆହତ ନାବାଳିକା ଜଣକ ଝାରସୁଗୁଡ଼ା ଡାକ୍ତରଖାନାରେ ଏକୁଟିଆ ଥିଲେ ମଧ୍ୟ ତାଙ୍କ ନିକଟରେ ଜିଆର୍ପି ପକ୍ଷରୁ କୌଣସି ମହିଳା ପୁଲିସ ସୁରକ୍ଷା ପାଇଁ ଦେଇନଥିବା ପ୍ରକାଶ। ଡାକ୍ତରଖାନାରେ ଶଯ୍ୟାଭାବ ଯୋଗୁଁ ବାରଣ୍ଡାରେ ପଡ଼ି ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଘଟଣା ସଂପର୍କରେ ଝାରସୁଗୁଡ଼ା ଚାଇଲଡ୍ ଲାଇନକୁ ଅବଗତ କରାଯିବା ପରେ ତଦନ୍ତ ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/Minar_girl.jpg-f.jpg)