ଗୁଜାପାହାଡ଼ରେ ମାଘ ମେଳା ସଂପନ୍ନ: ୧୫ ହଜାର ଭକ୍ତଙ୍କ ସମାଗମ

ଇବଥର୍ମାଲ: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ର ତିଲିଆ ପଞ୍ଚାୟତରେ ଥିବା ଅନ୍ୟତମ କିମ୍ବଦନ୍ତୀ ପର୍ଯ୍ୟଟନସ୍ଥଳୀ ଗୁଜାପାହାଡ଼ରେ ବୁଧବାର ମାଘ ମେଳା ସଂପନ୍ନ ହୋଇଛି। ହୀରାକୁଦ ନଦୀବନ୍ଧ ଉପତ୍ୟକା ଅଂଚଳରେ ଅବସ୍ଥିତ ଏହି ଐତିହାସିକ ପାହାଡ଼ରେ ଚନ୍ଦ୍ରଗ୍ରହଣ ସତ୍ତ୍ୱେ ପ୍ରାୟ ୧୫ ହଜାର ଭକ୍ତ ମେଳା ଦେଖିବାକୁ ଆସିଥିବା ଆକଳନ କରାଯାଉଛି। ଚନ୍ଦ୍ରଗ୍ରହଣ ହେତୁ ଗତ ସଂଧ୍ୟାରେ ନାମଯଜ୍ଞ ବୈଦିକ ଯଜ୍ଞ ତଥା ଅଲେଖ ମହିମା ଧର୍ମଧୁନୀ ପ୍ରଜ୍ଜ୍ୱଳନ ଆଦି କରାଯାଇଥିଲା। ଭୋର ସକାଳେ ପୂଜାର୍ଚନା ସଂପନ୍ନ ହୋଇଥିଲା। ଗୁଜାପାହାଡ଼ ପର୍ଯ୍ୟଟନସ୍ଥଳୀ ହୋଇଥିଲେ ବି ଏହା ଏକ ଐତିହାସିକ ପାହାଡ଼ ବୋଲି କୁହାଯାଏ। ସବୁଠୁ ବିଶେଷ ପ୍ରସିଦ୍ଧି ହେଲା ଏଠାରେ ପୂଜିତ ହେଉଥିବା ଶିବଶକ୍ତି ମହିମା ସଂପନ୍ନ ସିଦ୍ଧ ବାବାଙ୍କ ମହିମା। ଲୋକ ବିଶ୍ୱାସ ଯେ ଏଠାରେ ସ୍ୱୟଂ ଶିବଙ୍କ ଶକ୍ତି ସିଦ୍ଧ ବାବା ନାମରେ ବିଖ୍ୟାତ ଓ ପୂଜିତ। ଜିଲ୍ଲା ତଥା ରାଜ୍ୟ ଓ ରାଜ୍ୟ ବାହାରୁ ମଧ୍ୟ ଭକ୍ତମାନେ ମନସ୍କାମନା ପୂର୍ଣ୍ଣ ସକାଶେ ଆଜିର ଦିନରେ ପହଞ୍ଚି ସିଦ୍ଧ ବାବାଙ୍କ ପୂଜାର୍ଚନା ସାଂଗକୁ ହୋମଯଜ୍ଞ ଆଦିରେ ନିଜକୁ ସାମିଲ କରିଥାନ୍ତି।

ତା’ଛଡ଼ା ପାହାଡ଼ର ଚତୁଃପାର୍ଶ୍ୱରେ ହୀରାକୁଦ ଜଳଭଣ୍ଡାରର ମନୋରମା ବିଶାଳ ଜଳରାଶି, ପାହାଡ଼ ବକ୍ଷରେ ଥିବା ଛୋଟବଡ଼ ୧୬ଟି ଗୁମ୍ଫା, ପାହାଡ଼ ଶିଖରରେ ଥିବା ଛୋଟିଆ ମନ୍ଦିର, ଗୁମ୍ଫାଗୁଡ଼ିକ ମଧ୍ୟରେ ଏକ ଐତିହାସିକ ବିରାଟ ଗୁମ୍ଫା, ଗୁମ୍ଫାରେ ଥିବା ସୁଡ଼ଙ୍ଗ ଦେଖିବାକୁ ଏବଂ ପର୍ବତ ଆରୋହଣର ମଜା ନେବାକୁ ଲୋକେ ବିଶେଷ ଭାବେ ଆକର୍ଷିତ ହୋଇ ଆସିଥାନ୍ତି। ପ୍ରତି ବର୍ଷ ଗୁଜା ପାହାଡ଼ ତେତନା କମିଟି ପକ୍ଷରୁ ଏହି ମେଳା ଆୟୋଜନ କରାଯାଇଥାଏ। ଏ ବର୍ଷ ବିଶେଷ ଅତିଥି ଭାବେ ବ୍ରଜରାଜନଗର ବିଧୟିକା ରାଧାରାଣୀ ପଣ୍ଡା ତାଙ୍କ ସହକର୍ମୀଙ୍କ ସହ ମେଳା ଦେଖଇବାକୁ ପହଞ୍ଚିଥିଲେ। ଚେତନା କମିଟି ପକ୍ଷରୁ ସମସ୍ତ ଭକ୍ତଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା।

ବନହରପାଲି ଥାନା ଆମ ପୁଲିସ୍‌ ସମିତି ପକ୍ଷରୁ ଲୋକଙ୍କୁ ପାନୀୟ ଜଳଯୋଗାଣ କରାଯାଇଥିବା ବେଳେ କୁମ୍ଭାରବନ୍ଧ ପି.ଏ କଲେଜ, ତିଲିଆ ତୁଳସୀ ସାହୁ ହାଇସ୍କୁଲ ସ୍କାଉଟ ଗାଇଡ ଛାତ୍ରଛାତ୍ରୀମାନେ ଭକ୍ତଙ୍କ ସେବାରେ ନିୟୋଜିତ ହୋଇଥିଲେ। ତିଲିଆ ସରପଞ୍ଚ ଠଣସୁନ୍ଦର ସାହୁ ସମେତ ପଞ୍ଚାୟତ ଅଂଚଳର ଅନେକ ଭଦ୍ର ବ୍ୟକ୍ତି ସ୍ୱତଃ ସହଯୋଗ କରିଥିଲେ। ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ଲଖନପୁର ତହସିଲ୍‌ ଅତିରିକ୍ତ ତହସିଲଦାର ପ୍ରେମାନନ୍ଦ ଉର୍ମା ଥିବା ବେଳେ ବନହରପାଲି ଆଇଆଇସି ପୁରୁଷୋତ୍ତମ ଭୋଇଙ୍କ ନେତୃତ୍ୱରେ ବିଭିନ୍ନ ଥାନା ଓ ଫାଣ୍ଡିରୁ ୫ ଜଣ ପୁଲିସ୍‌ ଅଦିକାରୀ, ୨ ଜଣ ସେକସନ ଫୋର୍ସ ମୁଦୟୟନ କରାଯାଇଥିଲା। ମେଳା ଶାନ୍ତିଶୃଙ୍ଖଳାରେ ସଂପନ୍ନ ହୋଇଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର