ଓଡ଼ିଶାରେ ନିର୍ମାଣ ହେଉଛି ଚାଇନା ଚୌକି: ମ୍ୟାଜିକ ଚେୟାର ନିର୍ମାଣରେ ଲାଗିପଡିଛନ୍ତି ଓଡ଼ିଆ ଯୁବକ

ଝାରସୁଗୁଡା: ଚୀନ ସହ ସମ୍ପର୍କରେ ତିକ୍ତତା ଆସିବା ପରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଆହ୍ୱାନ ଦେଇଛନ୍ତି । ଝାରସୁଗୁଡା ସହର ମଙ୍ଗଳବଜାର ବାସିନ୍ଦା ମହମ୍ମଦ ସମିମ ଏହି ଆହ୍ୱାନକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଆଗେଇ ଆସିଛନ୍ତି । ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଚେୟାର । ବଜାରରେ ବିକ୍ରି କରି ବେଶ ଲାଭବାନ ହେବା ସହ ଆଉ ଚାରି ଜଣଙ୍କୁ କାମ ଯୋଗାଇ ଦେଇଛନ୍ତି । ଆତ୍ମନିର୍ଭରଶୀଳ ଭାରତ ଗଠନରେ ଆଗଭର ହୋଇଛନ୍ତି ଝାରସୁଗୁଡା ମଙ୍ଗଳବଜାର ଅଂଚଳର ମହମ୍ମଦ ସମିମ । ନିଜ ପାଖରେ ବଡ ପୁଞ୍ଜି ନାହିଁ, କିନ୍ତୁ ରହିଛି ଗଭୀର ଆତ୍ମବିଶ୍ୱାସ । ନିଜ ଉଦ୍ୟମରେ ଆରମ୍ଭ କରିଛନ୍ତି କୁଟୀର ଶିଳ୍ପ ।

ମଙ୍ଗଳବଜାର ଅଂଚଳରେ ଏକ ଛୋଟିଆ ଘରେ ପରିବାର ସହ ରହୁଛନ୍ତି ସମିମ । ସେହି ଘରର ଅଗଣାରେ ଆରମ୍ଭ କରିଛନ୍ତି ନିଜର ଛୋଟ ଉଦ୍ୟୋଗ । ସମିମ ନିଜେ ପ୍ରସ୍ତୁତ କରୁଛନ୍ତି ଚୀନ ବଜାରରୁ ଆସୁଥିବା ମ୍ୟାଜିକ ଚେୟାର । ଏହି ଚେୟାର ଦେଖିବାକୁ ଗୋଟିଏ ବାକ୍ସ ଭଳି । କିନ୍ତୁ ତାହାକୁ ଖୋଲିଲେ ବାହାରୁଛି ୫ଟି ଚେୟାର । ଯାହା ଦେଖିବାକୁ ସୁନ୍ଦର ଓ ଘରେ ରଖିବାକୁ କମ୍ ସ୍ଥାନ ଆବଶ୍ୟକ । ଏଥିପାଇଁ ଲୁହା ପାଇପକୁ କାଟି ତାକୁ ୱେଲଡିଂ କରି ସେଥିରେ ପ୍ଲାଏ ରେଗ୍ଜିନ ସହ ଅନ୍ୟାନ୍ୟ ସାମଗ୍ରୀ ଦେଇ ପ୍ରସ୍ତୁତ ହୋଇଛି ଏହି ମ୍ୟାଜିକ ଚେୟାର ।

କୁଲର୍ ଏବଂ ଲୁହା ଆଲମାରି ତିଆରି କରିବାରେ ସିଦ୍ଧହସ୍ତ ସମିମ ଲକଡାଉନ ବେଳେ ରୋଜଗାର ହରାଇବା ପରେ ନିଜ ଘରେ ଏହି ଫୋଲ୍ଡିଂ ଚେୟାର ତିଆରି କରିବା ଆରମ୍ଭ କରିଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ତାଙ୍କୁ କାମରେ ସାହାଯ୍ୟ କରୁଥିବା ଅନ୍ୟ ୪ ଜଣ କର୍ମଚାରୀଙ୍କୁ ମଧ୍ୟ ରୋଜଗାର ପ୍ରଦାନ କରୁଛନ୍ତି । ଏହାଛଡା ତାଙ୍କ ଠାରୁ ଏହି ଫୋଲ୍ଡିଂ ଚେୟାର କିଣି ଖୁଚୁରା ବ୍ୟବସାୟୀମାନେ ବଜାରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଝାରସୁଗୁଡା ସହରବାସୀ ମଧ୍ୟ ଏଭଳି ନିଆରା ସାମଗ୍ରୀ କିଣିବାରେ ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି । କ୍ଷୁଦ୍ର ଶିଳ୍ପ ସୃଷ୍ଟି କରିବା ଲକ୍ଷ୍ୟରେ ଭାରତ ସରକାର ଆତ୍ମନିର୍ଭର ଭାରତ, ଷ୍ଟାର୍ଟଅପ୍ ଇଣ୍ଡିଆ ଭଳି ଯୋଜନା କରୁଛନ୍ତିି । ସମିମ୍ ଙ୍କ ଭଳି ଉଦ୍ୟୋଗୀମାନଙ୍କୁ ଯଦି ସରକାରଙ୍କ ତରଫରୁ ପ୍ରୋତ୍ସାହନ ଦିଆଯାଏ, ତେବେ କୁଟୀର ଶିଳ୍ପ କରି ବହୁ ଯୁବକ ରୋଜଗାରକ୍ଷମ ହେବା ସହ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିପାରିବେ ।

ସମ୍ବନ୍ଧିତ ଖବର