ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଚାଷୀ ଏବେ ସଂକଟରେ। ଅମଳ ଧାନକୁ ରଖିବାକୁ ଘରେ ଜାଗାନାହିଁ। ଘର, ଅଗଣା, ଖଳା ସବୁଠାରେ ପଡ଼ିଛି ବର୍ଷ ତମାମ କଷ୍ଟୋପାର୍ଜିତ ଫସଲ। ସରକାରୀ ବାବୁ ମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ମଣ୍ଡି ଖୋଲିବାର ୪ ଦିନ ବିତିଯାଇଥିଲେ ମଧ୍ୟ ଧାନ ବିକ୍ରି ହୋଇ ପାରୁନି। ଚଳିତ ବର୍ଷ ଜିଲ୍ଲାରେ ୬୦ ହଜାର ୨୯୪ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଧାନ କିଣିବା ପାଇଁ ମଣ୍ଡି ବ୍ୟବସ୍ଥା ସଂପୂର୍ଣ୍ଣ ଫେଲ୍ ମାରିଛି। ଧାନ କିଣାରେ ସଂପୃକ୍ତ ଥିବା ଯୋଗାଣ ବିଭାଗ, ସମବାୟ ବିଭାଗ ଓ ନିୟନ୍ତ୍ରିତ ବଜାର କମିଟି ଅଧିକାରୀଙ୍କ କଥାରେ କୌଣସି ତାଳମେଳ ରହୁନାହିଁ। ୨୦୧୬-୧୭ ଖରିଫ ଧାନ ସଂଗ୍ରହ ବେଳେ ଯୋଗାଣ ବିଭାଗକୁ ଚୂନ ଲଗାଇଥିବା ବଜରଙ୍ଗ ରାଇସ୍ ମିଲ ଯୋଗୁଁ ସିଏସ୍ଓ, ଏସିଏସ୍ଓଙ୍କ ଚାକିରି ଝୁଲି କରି ରହିଥିବାରୁ ଚଳିତ ବର୍ଷ ଧାନ କିଣା ବାଧାପ୍ରାପ୍ତ ହେଉଛି।
ଶୁକ୍ରବାର ବଡ଼ମାଳ, ଲହଣ୍ଡାବୁଡ଼, ଲଇକେରା, ସାହାସପୁର, କୋଲାବିରା, ଭରଖୋଲ, ରେମେଣ୍ଡା, ତମଡ଼ା, ଚାରପାଲି, ମାଚିଦା, ଭିକମ୍ପାଲି, ଏକତାଲି, ଦୁର୍ଲଗା ଅଞ୍ଚଳର ଚାଷୀଙ୍କ ଧାନ କିଣାଯିବାକୁ କୁହାଯାଇଥିଲେ ମଧ୍ୟ କାହାରିକୁ ଦିଆଯାଇନାହିଁ।
ଜିଲ୍ଲାରେ କାହିଁକି ଧାନ ମଣ୍ଡି ବ୍ୟବସ୍ଥା ଅଚଳ ହୋଇ ପଡ଼ିଛି, ଚାଷୀ ଧାନ ବିକ୍ରି କରିପାରୁ ନାହାନ୍ତି ଆଦି ପ୍ରଶ୍ନର ୩ଟି ଉତ୍ତର ମିଳୁଛି। ଏ ସଂପର୍କରେ ସିଏସ୍ଓ ପିଡ଼ିଏମ୍ ଖୋସଲା କହିଛନ୍ତି ଯେ ସବୁ ଠିକ୍ ଅଛି। ଚାଷୀଙ୍କୁ ଟୋକନ୍ ଇସୁ ହେଉଛି। ଏଥିପାଇଁ ମିଲର ମାନଙ୍କୁ ମଧ୍ୟ ଟେଗ୍ କରାଯାଇଛି। ଏଆର୍ସିଏସ୍ ଦୁଃଖିଆ ଟୁଡ଼ୁ କୁହନ୍ତି ଅନ୍ଲାଇନ୍ ବ୍ୟବସ୍ଥା ସଂପୂର୍ଣ୍ଣ ହୋଇନି। ତେଣୁ କୌଣସି ଚାଷୀଙ୍କୁ ଟୋକନ୍ ଦିଆଯାଇନାହିଁ। ବିନା ଅନ୍ଲାଇନ୍ରେ ଧାନ କିଣିଲେ ପରେ ଏହା ଅଡ଼ିଟ୍ରେ ଗୋଳମାଳ ହେବ। ତେବେ ସୋମବାର ସୁଦ୍ଧା ବ୍ୟବସ୍ଥାରେ ଉନ୍ନତି ଆସିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଶୁକ୍ରବାର ସରବାହାଲ ମାର୍କେଟ ୟାର୍ଡ଼ରେ ଦୁର୍ଲଗା ସମବାୟ ସମିତି ସଂପାଦକ କହିଛନ୍ତି ଯେ ଧାନ ବିକ୍ରି ପାଇଁ ଗୁରୁବାର ୩ ଜଣ ଚାଷୀ ଅନିରୁଦ୍ଧ ପଟେଲ, ରାମଚନ୍ଦ୍ର ପଟେଲ ଓ ଯାମିନୀ ପଟେଲଙ୍କୁ ଟୋକନ୍ ଦିଆଯାଇଥିଲେ ମଧ୍ୟ ତାଙ୍କୁ ଗାଡ଼ି ମିଳି ନଥିବାରୁ ସେମାନେ ଧାନ ଆଣିନାହାନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/jharsugda.jpg)