ବନ୍ଧବାହାଲ ଠାରେ ଏମ୍‌ସିଏଲ୍‌ ସହାୟତାରେ ସ୍ଥାପନ ହେବ କୋଭିଡ୍‌ ହେଲଥ କେୟାର ସେଣ୍ଟର

ଜିଲ୍ଲା ପ୍ରଶାସନ ସହିତ ବୁଝାମଣା ପତ୍ର ସ୍ବାକ୍ଷର 

ଝାରସୁଗୁଡ଼ା : ଲଖନପୁର ବ୍ଲକର ବନ୍ଧବାହାଲ ଠାରେ ଏକ ୭୦ଶଯ୍ୟା ବିଶିଷ୍ଟ କୋଭିଡ ହେଲଥ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ଆଜି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓ ଏମ୍ ସି ଏଲ ମଧ୍ୟରେ  ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ଜିଲ୍ଲା କାର୍ଯ୍ୟାଳୟର ଡି ଏମ୍ ଏଫ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସରୋଜ କୁମାର ସାମଲ ଓ ଏମ୍ ସି ଏଲର ଡାଇରେକ୍ଟର ( ପର୍ସନାଲ ) କେଶବ ରାଓ ବୁଝାମଣା ପତ୍ର ସ୍ବାକ୍ଷର କରିଥିଲେ ।

କୋଭିଡ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଏମ୍  ସି ଏଲ ପକ୍ଷରୁ ସମସ୍ତ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସହମତି ପ୍ରକାଶ କରିଥିବାରୁ ଜିଲ୍ଲାପାଳ ଏମ୍ ସି ଏଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ । ଡ଼ାଇରେକ୍ଟର ପର୍ସନାଲ ଶ୍ରୀ ରାଓ ଏହି ଅବସରରେ ମହାମାରୀ କରୋନାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ବନ୍ଧବାହାଲଠାରେ ପ୍ରତିଷ୍ଠା ହେବାକୁ ଯାଉଥିବା କୋଭିଡ ହସ୍ପିଟାଲ ପାଇଁ ଏମ୍ ସି ଏଲ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି କହିଥିଲେ । ଏମ୍ ସି ଏଲର ସି ଏସ ଆର ଫଣ୍ଡରୁ ସମସ୍ତ ଖର୍ଚ୍ଚ ବହନ କରାଯିବ ବୋଲି ଶ୍ରୀ ରାଓ କହିଥିଲେ । ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ପ୍ରଦୀପ କୁମାର ସାହୁ ବୈଠକର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଲିଲି କୁମାରୀ କୁଲୁ , ପ୍ରକଳ୍ପ ନିର୍ଦ୍ଦେଶକ ( ପୁନର୍ବାସ ଓ ଥଇଥାନ ) ଆଲୋମଣି ସେଠୀ , ଡେପୁଟି କଲେକ୍ଟର ଅଶ୍ୱିନୀ କୁମାର ପଣ୍ଡା , ସି ଡି ଏମ୍ ଓ ଜଗଦୀଶ ଚନ୍ଦ୍ର ବାରିକ , ଏମ୍ ସି ଏଲର ସି ଏସ ଆର ସାଧାରଣ ପରିଚାଳକ ବି . ସାଇରାମ  , ଚିଫ ଅଫ ମେଡିକାଲ ସର୍ଭିସେସ ଡ . ଡି ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର