ବ୍ରଜରାଜନଗର: ନାବାଳକର ଛୁରା ମାଡ଼ରେ ଯୁବକ ଗୁରୁତର 

ବ୍ରଜରାଜନଗର: ଗତ କାଲି ରାତି ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ପୁରୁଣା ଚୁନାଭଟ୍ଟା ଅଂଚଳରେ ଛୁରା ମାଡ଼ରେ ଯୁବକ ପିଙ୍କୁ ଗଣ୍ଡ (୨୨) ଗୁରୁତର ଆହତ ହୋଇଛନ୍ତି। ଆହତ ପିଙ୍କୁଙ୍କ ଘର ପୁରୁଣା ଚୁନାଭଟାରେ। ଖବର ପାଇବା ପରେ ପୁଲିସ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଗୁରୁତର ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମଣ୍ଡଳିଆ କେନ୍ଦ୍ରୀୟ ଚିକିତ୍ସାଳୟକୁ ନେଇଥିଲେ।

ପିଙ୍କୁଙ୍କ ପିଠିରେ ଛୁରା ମାଡ଼ ହୋଇଥିବା ବେଳେ ୫ଟି ସିଲେଇ ପଡ଼ିଛି। ବର୍ତ୍ତମାନ ଆହତ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ସେପଟେ ଆକ୍ରମଣ ଅଭିଯୋଗରେ ସେହି ପଡ଼ାର  ରାହୁଲ ବାରିକ (୨୧) କୁ ଗିରଫ କରିଥିବା ବେଳେ ଜଣେ ନାବାଳକ (୧୬)କୁ ପୁଲିସ ଅଟକ ରଖିଛି। ଆକ୍ରମଣରେ ବ୍ୟବହୃତ ଛୁରୀକୁ ପୁଲିସ ଜବତ କରିଛି।  ପୂର୍ବ ଶତ୍ରୁତାରୁ ଏଭଳି ଛୁରାମାଡ଼ ହୋଇଥିବା ପୁଲିସି କହିଛି।

କିଛି ଦିନ ଧରି  ଆହତ ପିଙ୍କୁ ଗଣ୍ଡ ଓ  ରାହୁଲ ବାରିକ ମଧ୍ୟରେ  ଶତ୍ରୁତା ଲାଗୁ ରହିଥିଲା। ରାହୁଲ ପ୍ରତିଶୋଧ ନେବା ଉଦେଶ୍ୟରେ  ଉକ୍ତ ନାବାଳକର ସାହାଯ୍ୟ ନେଇଥିଲା ବୋଲି ବ୍ରଜରାଜନଗର ଆଇଆଇସି ବୈକୁଣ୍ଠ ସେଠ ସୂଚନା ଦେଇଛନ୍ତି।

ଘଟଣାଟି ଗତକାଲି ରାତି ୧୦ଟାରେ ଘଟିଥିବା  ଏସଡିପିଓ  ଦିଲ୍ଲୀପ ଦାସ ସୂଚନା ଦେଇଛନ୍ତି। ଅଭିଯୁକ୍ତ  ରାହୁଲ ବାରିକକୁ କୋର୍ଟ ଚାଲାଣ କରାଯାଇଥିବା ସମୟରେ  ନାବାଳକକୁ  ଜୁଭେନାଇଲ ବୋର୍ଡ ସମ୍ମୁଖରେ ଉପସ୍ଥାପିତ କରାଯାଇଛି। ରାହୁଲ ୧୫ ଦିନ ତଳେ ଏହି ନାବାଳକର ସଂସ୍ପର୍ଶରେ ଆସିଥିଲା ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର