ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରେ ଆଜି ପର୍ଯ୍ୟନ୍ତ ଏକ ବସଷ୍ଟାଣ୍ଡ ହୋଇ ପାରିନାହିଁ। ଏବେବି ରେଲୱେ ବିଭାଗର ଏକ ଅଣ ଓସାରିଆ ଦଦରା ସ୍ଥାନରେ ଚାଲିଛି ଅସ୍ଥାୟୀ ବସଷ୍ଟାଣ୍ଡ । ଝାରସୁଗୁଡ଼ା ଜିଲ୍ଲା ମାନ୍ୟତା ପାଇବାର ୨୮ ବର୍ଷ ବିତିଯାଇଥିଲେ ମଧ୍ୟ ଏଠାକାର ଜନସାଧାରଣ ଭଲ ବସଷ୍ଟାଣ୍ଡ ଟିଏର ସୁବିଧା ପାଇ ପାରିଲେ ନାହିଁ। ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଶିଳ୍ପ ପ୍ରତିଷ୍ଠା ହେବା ପରେ ଜିଲ୍ଲାର ଗୁରୁତ୍ବ କାହିଁରୁ କାହିଁ ବୃଦ୍ଧି ପାଇଥିଲା । ଝାରସୁଗୁଡ଼ା ରେଳଷ୍ଟେସନ ଓ ବସ୍ଷ୍ଟାଣ୍ତର ମଧୢ ସେହି ଅନୁପାତରେ ଗୁରୁତ୍ବ ବୃଦ୍ଧି ପାଇଥିଲା ।
ଝାରସୁଗୁଡ଼ା ରେଳ ଷ୍ଟେସନ ରାଜ୍ୟ ସର୍ବପୂରାତନ ରେଳଷ୍ଟେସନ ହୋଇଥିବା ବେଳେ ଏହାକୁ ‘ଗେଟ୍ ୱେ ଅଫ୍ ୱେଷ୍ଟର୍ଣ୍ଣ ଓଡ଼ିଶା’ ବୋଲି ମଧୢ କୁହାଯାଇଥାଏ। ଏହା ଏକ ଜଙ୍କସନ୍ ହୋଇଥିବା ବେଳେ ଏଠାରୁ ଦେଶର ବିଭିନ୍ନ ସ୍ଥାନକୁ ଟ୍ରେନ ଯାତାୟତ କରିଥାଏ। ଫଳରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯାତ୍ରୀମାନେ ଝାରସୁଗୁଡ଼ାକୁ ଆସି ରେଳରେ ଯାତ୍ରା କରିଥାନ୍ତି। ମାତ୍ର ଏଠାରେ ଯାତ୍ରୀଙ୍କ ପାଇଁ ବସ୍ଷ୍ଟାଣ୍ଡ ନାହିଁ। ଝାରସୁଗୁଡ଼ା ରେଳ ଷ୍ଟେସନ ଏକ ପ୍ରମୁଖ ରେଳଷ୍ଟେସନର ମାନ୍ୟତା ପାଇଥିବା ବେଳେ ଗତ ୪ ବର୍ଷ ହେଲା ଏଠାରେ ଏକ ବିମାନ ବନ୍ଦର ନିର୍ମାଣ ହୋଇ ଏହା ରାଜ୍ୟର ଦ୍ବିତୀୟ ଓ ପଶ୍ଚିମ ଓଡ଼ିଶାର ପ୍ରଥମ ବିମାନ ବନ୍ଦରର ମାନ୍ୟତା ପାଇଛି। ପୂର୍ବରୁ ରେଳଷ୍ଟେସନ ନିକଟରୁ ବସ୍ ଗୁଡ଼ିକ ଯାତାୟତ କରୁଥିଲା । ପରେ ରେଳଷ୍ଟେସନର ଅଳ୍ପ ଦୂରରେ ରେଲୱେର ଏକ ଜମିରେ ବସ୍ଷ୍ଟାଣ୍ତ କରାଗଲା । କ୍ରମବର୍ଦ୍ଧିଷ୍ଣୁ ଏହି ସହରକୁ ଦେଖିଲେ ଅଳ୍ପ ସ୍ଥାନରେ ଥିବା ଏହି ବସଷ୍ଟାଣ୍ତ ଲୋକଙ୍କ ଅବଶ୍ୟକତାକୁ ପୂରଣ କରି ପାରୁନଥିବାରୁ ସହରରେ ଏକ ନୂତନ ବସଷ୍ଟାଣ୍ତ ନିମାର୍ଣର ପରିକଳ୍ପନା କରାଯାଇଥିଲା । ଏଥିପାଇଁ ୨୦୧୦ ମସିହାରେ ବାଲିଜୋରି ଠାରେ ଏକ ସରକାରୀ ଜମିରେ ବସ୍ଷ୍ଟାଣ୍ତ ନିମାର୍ଣ ପାଇଁ ମୋଟ ୧୦ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳର ଯୋଜନା କରାଯାଇଥିଲା । ନୂତନ ବସ୍ଷ୍ଟାଣ୍ତ ପାଇଁ ବେଦାନ୍ତ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ୨ କୋଟି ଏବ˚ ଏମ୍ସିଏଲ୍ ଦୁଇଟି ପର୍ଯ୍ୟାୟରେ ୫ କୋଟି ଟଙ୍କା ପ୍ରଦାନ ପରେ ମୋଟ ୭ କୋଟି ଟଙ୍କା ବ୍ୟୟରେ ୨୦୧୪ରୁ ବସ୍ଷ୍ଟାଣ୍ତ ନିମାର୍ଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେତେବେଳେ ପ୍ରଶାସନ ଏହି ନିମାର୍ଣ କାର୍ଯ୍ୟକୁ କୌଣସି ସରକାରୀ ସ˚ସ୍ଥା ଜରିଆରେ ନକରି କନ୍କାଷ୍ଟ ଷ୍ଟିଲ ନାମକ ଏକ ଶିଳ୍ପ ସ˚ସ୍ଥାକୁ ଦେଇଥିଲେ। ଏହି ଶିଳ୍ପ ସ˚ସ୍ଥା ନିମାର୍ଣ ପାଇଁ ବାଲାଜୀ କନଷ୍ଟ୍ରକସନ୍ ନାମକ ଅନ୍ୟ ଏକ ଠିକାସ˚ସ୍ଥାକୁ ପ୍ରଦାନ କରିଥିଲା।
ବାଲାଜୀ କନଷ୍ଟ୍ରକସନ୍ ୭ କୋଟି ଟଙ୍କାରେ ବସଷ୍ଟାଣ୍ଡ ନିର୍ମାଣ କାମ ଆରମ୍ଭ କରିଥିଲା । ତେବେ ଅଳ୍ପକାମ ହୋଇଥିବା ବେଳେ ଟଙ୍କା ସରିଯାଇଥିବା କହି କାମ ବନ୍ଦ କରି ଦିଆଯାଇଥିଲା। ୭ କୋଟି ଟଙ୍କାରେ ଏତେ କମ୍ କାମ କିଭଳି ହେଲା ସେ ନେଇ ପ୍ରଶାସନ ପକ୍ଷରୁ କୌଣସି ତଦନ୍ତ କରାଯାଇ ନଥିଲା। ୭ କୋଟି ପରେ ଅବଶିଷ୍ଟ ସାଢେ଼ ୩ କୋଟି ଟଙ୍କା ଯୋଗାଡ଼ ନହେବାରୁ ଏହି ପ୍ରକଳ୍ପ ଆଉ ଆଗେଇ ପାରିନଥିଲା । ଏହାର କିଛି ଦିନ ପରେ କନ୍କାଷ୍ଟ ଷ୍ଟିଲ ବନ୍ଦ ହୋଇଯାଇଥିଲା। ଫଳରେ ସେହି ଦିନରୁ ଅଧପନ୍ତରିଆ ହୋଇ ନୂତନ ବସ୍ଷ୍ଟାଣ୍ତ ଦୀର୍ଘ ବର୍ଷ ହେଲା ପଡ଼ି ରହିଥିଲା । ୨୦୧୮ରେ ଏହି କାର୍ଯ୍ୟକୁ ସ˚ପୂର୍ଣ୍ଣ କରିବା ପାଇଁ ସାଢେ଼ ୩ କୋଟି ସ୍ଥାନରେ ୫ କୋଟି ୯୦ ଲକ୍ଷର ଆବଶ୍ୟକତା ଦର୍ଶାଯାଇ ବିଭିନ୍ନ ଫୋରମରେ ପ୍ରସ୍ତାବ ଆଗତ କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଅବଶିଷ୍ଟ ଅର୍ଥ ଯୋଗାଇ ଦେବା ପାଇଁ ଏମ୍ସିଏଲ୍କୁ ୨୦୧୬ରେ ଅନୁରୋଧ କରାଯାଇଥିବା ବେଳେ ଆର୍ପିଡ଼ିଏସି ବୈଠକରେ ମଧ୍ୟ ଏ ସ˚ପର୍କରେ ଅନେକ ଥର ଆଲୋଚନା ହୋଇଥିଲା । ମାତ୍ର ଏହି ଅଧୁରା କାମ ସ˚ପୂର୍ଣ୍ଣ ହେବା ନେଇ ପ୍ରଶାସନିକ ସ୍ତରରେ କୌଣସି ନିଷ୍ପତ୍ତି ନିଆଯାଇ ପାରିନଥିଲା । ଜିଲ୍ଲାରେ ଅନେକ ସରକାରୀ ନିମାର୍ଣକାରୀ ସ˚ସ୍ଥା ଥିବା ସତ୍ବେ କେଉଁ କାରଣରୁ ଏକ ଘରୋଇ ସ˚ସ୍ଥା ହାତରେ ୭ କୋଟି ଟଙ୍କା ଟେକି ଦିଆଗଲା ସେ ନେଇ ମଧୢ କେହି ସ୍ବର ଉଠାଇ ନଥିଲେ। ପରେ ପୁଣି ଜିଲ୍ଲା ଖଣିଜ ପାଣ୍ଠିରୁ ୭ କୋଟି ୮୮ ଲକ୍ଷ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ତେବେ ଏହି କାମ ସଂପୂର୍ଣ୍ଣ ହୋଇ ସାରିଛି। ଏହି ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ ଗତ ୨୦୨୧ ମସିହା ନଭେମ୍ବର ୧୫ ତାରିଖ ଦିନ ଉଦ୍ଘାଟନ ମଧ୍ୟ କରି ସାରିଛନ୍ତି। ତେବେ ଏହି ବସଷ୍ଟାଣ୍ଡ କିଏ ପରିଚାଳନା କରିବ ତାହା ନିଷ୍ପତ୍ତି ହୋଇ ପାରିନାହିଁ।
ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଦୁଇଥର ଟେଣ୍ଡର କାର୍ଯ୍ୟ ସରିଛି। ଟେଣ୍ଡରକୁ ନେଇ ହାଇକୋର୍ଟ ମଧ୍ୟ ହୋଇ ସାରିଛି। ହାଇକୋର୍ଟ ନିର୍ଦ୍ଦେଶକ୍ରମେ ଆବେଦନ କରିଥିବା ଜଣେ ଟେଣ୍ଡର ପ୍ରଦାନକାରୀଙ୍କୁ ଦାୟିତ୍ବ ଅର୍ପଣ ମଧ୍ୟ କରାଯାଇଛି ମାତ୍ର ବସଷ୍ଟାଣ୍ଡ ହସ୍ତାନ୍ତର ହୋଇ ପାରିନାହିଁ। ୨୦୨୨ ମସିହାରେ ମଧ୍ୟ ଝାରସୁଗୁଡ଼ାବାସୀ ବସ୍ଷ୍ଟାଣ୍ଡ ସୁବିଧା ପାଇ ପାରିବେ ନାହିଁ। ବସ୍ଷ୍ଟାଣ୍ଡ କେବେ କାର୍ଯ୍ୟକ୍ଷମ ହେବ ସେ ନେଇ ଆର୍ଟିଓ ଦୀନବନ୍ଧୁ ସୁଣ୍ଢି କହିଛନ୍ତି ଯେ, ପାଟନାର ଜଣେ ବ୍ୟକ୍ତି ଟେଣ୍ଡର ପାଇଥିବା ବେଳେ ତାକୁ ହସ୍ତାନ୍ତର କରାଯାଇ ନାହିଁ। ଅନ୍ୟପକ୍ଷରେ ବସ୍ ମାଲିକମାନେ ଉଭୟ ବସଷ୍ଟାଣ୍ଡ ଦେଇ ବସ ଚଳାଚଳ କରିବାକୁ କହୁଥିବାରୁ ଏହି ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନେଇ ଆଗକୁ ପୁଣି ବିବାଦ ଦେଖା ଦେବାର ଆଶଙ୍କା ରହିଛି।