କନକତୋରା: ଝାରସୁଗୁଡ଼ା-ଛତିଶଗଡ଼ ସୀମାର ମାତ୍ର ୫ କିମି ପରିଧିରେ ନିର୍ମାଣାଧୀନ ଏନଟିପିିସି ବୃହତ୍ ତାପଜ ବିଦ୍ୟୁତ୍ ପ୍ରକଳ୍ପରୁ ଗୁରୁବାର ରାତିରେ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଛି। ପ୍ଲାଣ୍ଟର ପ୍ରଥମ ୟୁନିଟ ଟ୍ରାଏଲ ରନ ସଫଳ ହେଲା ପରେ ୮୦୦ ମେଗାଓ୍ଵାଟ ବିଦ୍ୟୁତ ସେହି ୟୁନିଟରୁ ଉତ୍ପାଦନ କରାଯାଇଛି। ନିର୍ମାଣାଧୀନ ପ୍ଲାଣ୍ଟ ଗୋଟିଏ ପ୍ରକାର କାର୍ଯ୍ୟକ୍ଷମ ହୋଇଛି। ଚିମନି ଧୂଅାଁ ଝାରସୁଗୁଡ଼ା ଜିଲ୍ଲା ପଟେ ପବନ ବେଗରେ ପ୍ରବାହିତ ହେଉଛି।
ଛତିଶଗଡ଼ ରାୟଗଡ଼ ଜିଲ୍ଲା ଲରା ଗାଁ ପାର୍ଶ୍ୱବର୍ତ୍ତୀ ଜୟବୁଡ଼ିଆଠାରେ ସ୍ଥାପିତ ଏହି ପ୍ରକଳ୍ପ ୪୦୦୦ ମେଗାଓ୍ଵାଟ ସଂପନ୍ନ ଅଟେ। ୮୦୦ ମେଗାଓ୍ଵାଟ ବିଜୁଳି ଉତ୍ପାଦନ ଦ୍ୱାରା ଅଂଚଳର ପରିବେଶ ପ୍ରଭାବ ଆକଳନକୁ ଏବେ ବି ଏନଟିପିସି କର୍ତୃପକ୍ଷ ସଂପୂର୍ଣ୍ଣ ଅଣଦେଖା କରୁଛନ୍ତି ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ପ୍ରକଳ୍ପ ମହାନଦୀ ଜଳଭଣ୍ଡାର ଓ ରାୟଗଡ଼ ଅଂଚଳରୁ ବହି ଆସି ଜଳଭଣ୍ଡାରରେ ମିଶିଥିବା କେଲୋ ନଦୀରୁ ବେଆଇନ ଭାବେ ପାଣି ନେଉଥିବା ଅଭିଯୋଗ ରହିଛି। ଝାରସୁଗୁଡ଼ା ଜିଲ୍ଲାର ୫ଟି ପଞ୍ଚାୟତ ସଂପୂର୍ଣ୍ଣ ଏବଂ ୧୨ ସୀମାବର୍ତ୍ତୀ ପଞ୍ଚାୟତ ଆଂଶିକ ପ୍ରଭାବିତ ହେଉଥିବା ନେଇ ଆଂଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ରିପୋର୍ଟ ଦିଆଯାଇଛି। ଏହାସତ୍ତ୍ୱେ ଏଯାଏ ରାଜ୍ୟ ସରକାର ପ୍ରକଳ୍ପ ପାଇଁ ଓଡ଼ିଶାରେ ଜନଶୁଣାଣି କରାଯିବା ନେଇ ସ୍ପଷ୍ଟ ଭାବେ ଆପୋଷ ଆଲୋଚନା କରି ନାହାନ୍ତି।
ତାପଜ କେନ୍ଦ୍ରରେ ଶହ ଶହ ଟନ କୋଇଲା ଦ୍ୱାରା ବିଜୁଳି ଉତ୍ପାଦନ ହେବ। ଅଂଚଳରେ ଉତ୍ତାପ ବୃଦ୍ଧି ପାଇବ। ଏହି ବୃହତ ତାପଜ ବିଦ୍ୟୁତ୍ ପ୍ରକଳ୍ପକୁ ବିଶେଷଜ୍ଞ ମହଲରେ ଏକ ପ୍ରଦୂଷଣ ଫ୍ୟାକ୍ଟି୍ର ବୋଲି ମଧ୍ୟ କୁହାଯାଉଛି। ଚିମନିରୁ ନିର୍ଗତ ଧୂଅାଁ ଏବଂ ପ୍ରକଳ୍ପର ବର୍ଜ୍ୟବସ୍ତୁ ଯେପରିକି ଫ୍ଲାଏ ଆସ ଗୁଣ୍ଡ ଯୋଗୁଁ ଅଂଚଳରେ ଚାଷ ଜମି ପ୍ରଭାବିତ ହେବା ସହ ଶହ ଶହ ମତ୍ସ୍ୟଜୀବୀ ମଧ୍ୟ ପ୍ରଭାବିତ ହେବେ ବୋଲି ଆକଳନ ରହିଛି। ମାନ୍ୟବର ସୁପ୍ରିମକୋର୍ଟ ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଗାଇଡଲାଇନକୁ ମଧ୍ୟ ଏହି ପ୍ରକଳ୍ପ ଉଲ୍ଲଂଘନ କରୁଛି। କୌଣସି ପ୍ରକଳ୍ପର ୧୫ କିମି ପରିଧି ମଧ୍ୟରେ ଜନଶୁଣାଣି କରାଯିବା ସହ ସିଏସଆର ବିନିିଯୋଗ ପାଇଁ ନିୟମ
ଥିବା ବେଳେ ଏହାକୁ ଅଣଦେଖା କରାଯାଇଛି। ଲରାଠାରେ ଏନଟିପିସି ବୃହତ୍ ତାପଜ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ଆଗାମୀ ଦିନରେ ଅନ୍ୟୁନ ୨୫ କିମି ପରିଧିରେ ସିଏସଆର ବିନିଯୋଗ ହେବାର ଆବଶ୍ୟକ ରହିଛି। ଝାରସୁଗୁଡ଼ା ଜିଲ୍ଲା ସୀମାବର୍ତ୍ତୀ ସୁନ୍ଦରଗଡ଼ ଜିଲ୍ଲା ଦର୍ଲିପାଲିଠାରେ ନିର୍ମାଣାଧୀନ ଏନଟିପିସି ତାପଜ ବିଦ୍ୟୁତ ପ୍ରକଳ୍ପ ମଧ୍ୟ ଏହି ପରିସ୍ଥିତିକୁ ଜଟିଳ କରିବ। ଆଗାମୀ ଦିନରେ ଏହି ଦୁଇଟି ପ୍ରକଳ୍ପ ଜିଲ୍ଲାରେ ଏକ ଉତ୍ତପ୍ତ ବଳୟ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଇଛି। ପ୍ରକାଶ ଥାଉ କି ୧୦ ବର୍ଷ ପୂର୍ବରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର୍ ବେଲପାହାଡ଼ ଖଣି ଅଂଚଳକୁ ଏକ ମରୁଦ୍ୱୀପ ବୋଲି ଆକଳନ କରିବା ସହ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଇଥିଲା। ଇତିମଧ୍ୟରେ ଝାରସୁଗୁଡ଼ା ସହ ସୀମାବର୍ତ୍ତୀ ଅଂଚଳରେ ଏହି ରିପୋର୍ଟକୁ ସଂପୂର୍ଣ୍ଣ ଅଣଦେଖା କରାଯାଇଛି। ସେହି ଗୋଟିଏ ଦଶନ୍ଧୀ ପୂର୍ବରୁ ବୋର୍ଡ ଏହି ଅଂଚଳକୁ ‘କ୍ରିଟିକାଲ ପଲ୍ୟୁଟେଡ୍ ଜୋନ’ ବୋଲି ଘୋଷଣା କରିଥିଲା। ଏହାସତ୍ତ୍ୱେ ପରିବେଶ ସୁରକ୍ଷା ଏବଂ ଆନୁଷଙ୍ଗିକ ପରିଚାଳନା ବିଧିକୁ ବେଖାତିର କରାଯାଇଛି।
ପ୍ରଦୂଷଣ ଓ ଜଳାଭାବ ଯୋଗୁଁ ପ୍ରାୟ ୩୦ ପ୍ରତିଶତ ମତ୍ସ୍ୟଜୀବୀ ପ୍ରଭାବିତ ହେବାର ଆଶଙ୍କା ରହିଛି। ଛତିଶଗଡ଼ରେ ସିଏସଆର ବିନିଯୋଗ ହେବାକୁ ଥିବା ବେଳେ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାବାସୀଙ୍କୁ କେବଳ ପ୍ରଦୂଷଣର ଶିକାର ହେବାକୁ ପଡ଼ିବ ବୋଲି ସଚେତନ ମହଲରେ ଚର୍ଚା ହେଉଛି। ଏପରିକି ଏହି ପ୍ରକଳ୍ପ ଯୋଗୁଁ ସୀମାବର୍ତ୍ତୀ ଝାରଗାଁ ସଂରକ୍ଷିତ ପାହାଡ଼ ଜଙ୍ଗଲ ଧ୍ୱଂସାଭିମୁଖୀ। ଏହି ଅଂଚଳରୁ ଶହ ଶହ ଶ୍ରମିକ ପ୍ରକଳ୍ପରେ କାମ କରୁଥିବା ବେଳେ ବହୁ ଓଡ଼ିଆ ଅଧିକାରୀ ମଧ୍ୟ ଏନଟିପିସି ଲରା ପ୍ଲାଣ୍ଟରେ କାର୍ଯ୍ୟରତ। ସେହି ଦୃଷ୍ଟିରୁ ଅନ୍ୟୁନ ପାର୍ଶ୍ୱବର୍ତ୍ତୀ ଅଂଚଳରେ ସିଏସଆର ବିନିଯୋଗର ଆବଶ୍ୟକ ରହିଛି। ଜଣେ ସରପଞ୍ଚ ପ୍ରଦୀପ ବିଶ୍ୱାଳ କହିଛନ୍ତି ଯେ ଦୁଇ ରାଜ୍ୟ ମଧ୍ୟରେ ସୀମା ଥାଇପାରେ। କିନ୍ତୁ, ଧୂଅାଁ, ପ୍ରଦୂଷିତ ବାୟୁମଣ୍ଡଳର ସୀମା ନାହିିଁ। ଏହି ଦୃଷ୍ଟିରୁ ଉଭୟ ରାଜ୍ୟର ସରକାର ଏନଟିପିସି ସହ ସୀମାବର୍ତ୍ତୀ ଅଂଚଳକୁ ପ୍ରଦୂଷଣମୁକ୍ତ କରିବା ତଥା ଆନୁଷଙ୍ଗିକ ଲୋକାଭିମୁଖୀ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଆପୋଷ ଆଲୋଚନା କରନ୍ତୁ ବୋଲି ଶ୍ରୀ ବିଶ୍ୱାଳ ନିବେଦନ କରିଛନ୍ତି।
ଏନଟିପିସି ଲରା ପ୍ରକଳ୍ପର ପ୍ରଥମ ୟୁନିଟ କାର୍ଯ୍ୟକ୍ଷମ:କ୍ରିଟିକାଲ ଜୋନରେ ଉତ୍ତପ୍ତ ବଳୟ
/sambad/media/post_attachments/wp-content/uploads/2018/03/jharsuguda-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)