ଜାମମାଲରେ କମଳା ଚାଷ କରି ଉଦାହରଣ ସୃଷ୍ଟି କଲେ ଚାଷୀ, ନାଗପୁର ପରି ଫଳୁଛି ପ୍ରଚୁର କମଳା

ଲଇକେରା : କମଳା ଚାଷ ଯେ କେବଳ ନାଗପୁରରେ ହୁଏ ତାହା ନୁହଁ କମଳା ଆମ ମାଟିରେ ବି ହୋଇପାରିବ। ତାହା କରି ଦେଖାଇଛନ୍ତି ଗ୍ରାମାଞ୍ଚଳରେ ଜଣେ ସାଧାରଣ ଚାଷୀ । କମଳା ଚାଷ କରିବା ପାଇଁ ସୁଭାର ନାମକ ଏହି ଚାଷୀ ନା ନେଇଛନ୍ତି କୌଣସି ତାଲିମ ନା ତାଙ୍କୁ ଜଣା ଅଛି କମଳା ଚାଷର ଉନ୍ନତମାନର ଜ୍ଞାନ କୌଶଳ ।

ଲଇକେରା ବ୍ଲକରୁ ପ୍ରାୟ ୨୫ କିମି ଦୂର ଜାମମାଲ ପଞ୍ଚାୟତ ଜାମମାଲ ଗ୍ରାମର ସୁଭାର ବୁଦୁଲା । ପିଲାଟି ଦିନରୁ ଚାଷ ପ୍ରତି ତାଙ୍କର ରହିଛି ଅନେକ ଦୁର୍ବଳତା । କିଛି ନୂଆ ଚାଷ କରିବା ଲକ୍ଷ ନେଇ ପାଞ୍ଚ ବର୍ଷ ପୂର୍ବରୁ ଲଇକେରା ଉଦ୍ୟାନବିଭାଗ ଦ୍ୱାରା ଅନୁପ୍ରାଣିତ ହୋଇ ଏକ ଏକର ଜମିରେ ପ୍ରାୟ ୫୦ଟି କମଳା ଲେମ୍ବୁ ଚାରା ବିଭାଗରୁ ଆଣି ଲଗାଇଥିଲେ । ତିନିବର୍ଷ ପରେ ଗଛରେ କିଛି ପରିମାଣରେ କମଳା ଫଳିଥିଲା । କିନ୍ତୁ ଚଳିତବର୍ଷ ସବୁ ଗଛରେ ଡାଳ ଭାଙ୍ଗିଲା ଭଳି କମଳା ଫଳିଛି ।

ଯଦିଓ ନାଗପୁର କମଳା ଭଳି ଜାମମାଲ କମଳା ମିଠା ନୁହଁ ତଥାପି ନାଗପୁର କମଳାଠାରୁ କୌଣସି ଗୁଣରେ କମ ନୁହଁ ଏହି କମଳା । ସୁଭାର କୁହନ୍ତି ସେ କମଳା ଚାଷ ପାଇଁ ସେ କୌଣସି ତାଲିମ ନେଇନାହାନ୍ତି । ଯଦି ତାଙ୍କୁ ଉଦ୍ୟାନ ବିଭାଗ ପକ୍ଷରୁ କିଛି ତାଲିମ ମିଳନ୍ତା ତାହେଲେ ତାଙ୍କ କମଳା ମଧ୍ୟ ବଜାରରେ ତାର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରନ୍ତା ।

ସମ୍ବନ୍ଧିତ ଖବର