ଝାରସୁଗୁଡ଼ା: ଶନିବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଝାରସୁଗୁଡ଼ା ରେଳ ଷ୍ଟେସନ ପରିସରରେ ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଥିଲା। ରେଳବାଇର ଅବହେଳା ଯୋଗୁ ଟ୍ରେନ୍‌ରେ ଯାତ୍ରା କରୁଥିବା ଜଣେ ପୁରୁଷ ଯାତ୍ରୀ(୩୦)ଙ୍କ ଶବ ଟ୍ରେନ୍‌ର ଶୌଚାଳୟ ମଧ୍ୟରୁ ଠାବ କରାଯାଇଥିଲା। ଝାରସୁଗୁଡ଼ା ଜିଆର୍‌ପି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଖବର ଲେଖାହେବା ଯାଏ ମୃତକକଙ୍କର କୌଣସି ପରିଚୟ ମିଳିପାରିନାହିଁ। ତେବେ ସହଯାତ୍ରୀଙ୍କ କହିବାନୁସାରେ, ଯାତ୍ରୀଜଣଙ୍କ ବଙ୍ଗଳା ଭାଷାରେ କଥା ହେଉଥିବାରୁ ସେ ପଶ୍ଚିମବଙ୍ଗର ହୋଇଥିବା ସନ୍ଦେ​ହ କରାଯାଉଛି।
ସୂଚନ‌ା ଅନୁସାରେ, ଟ୍ରେନ୍‌ ସଂଖ୍ୟା ୧୨୧୦୧ ‌ଲୋକମାନ୍ୟ ତିଲକ-ସାଲିମାର ଜ୍ଞାନେଶ୍ବରୀ ଏକ୍ସପ୍ରେସ ଯୋଗେ  ଜଣେ ଯାତ୍ରୀ ଜେନେରାଲ ବଗିରେ ମୁମ୍ବାଇରୁ ଯାତ୍ରା ଆରମ୍ଭ କରିଥିଲେ। ବିଳାସପୁର ଷ୍ଟେସନ ପହଞ୍ଚିବା ପୂର୍ବରୁ ଯାତ୍ରୀଜଣଙ୍କ ପ୍ରବଳ ବାନ୍ତି କରି ନୟାନ୍ତ ହୋଇଯାଇଥିଲେ। ଏପରିକି ଯାତ୍ରୀଜଣଙ୍କ ତଳେ ଶୋଇ ପଡ଼ୁଥିଲେ। ଏହାର କିଛି ସମୟ ପରେ ଯାତ୍ରୀ ଜଣଙ୍କ ଶୌଚାଳୟ ଯାଇ ଆଉ ଫେରି ନ ଥିଲେ। ତେବେ ବିଳାସପୁର ଷ୍ଟେସନରେ ସହଯାତ୍ରୀମାନେ ଏସମ୍ପର୍କରେ ଟିଟିଇଙ୍କୁ ଅବଗତ କରିଥିଲେ। କିନ୍ତୁ ଟିଟିଇ ଘଟଣା ଜାଣିବା ବେଳକୁ ଟ୍ରେନ୍‌ଟି ଷ୍ଟେସନ ଛାଡ଼ି ସାରିଥିଲା। ଏହାପରେ ଟିଟିଇ ଏ ସମ୍ପର୍କରେ କମର୍ସିଆଲ କ‌ଣ୍ଟ୍ରୋଲକୁ ଅବଗତ କରାଇଥିଲେ। ତେବେ କମର୍ସିଆଲ କର୍ତ୍ତୃପକ୍ଷ ନିକଟସ୍ଥ କୌଣସି ଷ୍ଟେସନକୁ ଏ ସମ୍ପର୍କରେ ଅବଗତ କରିବା ପରିବର୍ତ୍ତେ ସିକ୍ୟୁରିଟି ‌ସେଲ୍‌କୁ କହିଥିଲେ। ସିକ୍ୟୁରିଟି ସେଲ୍‌ ମଧ୍ୟ ନିକଟସ୍ଥ ଷ୍ଟେସନକୁ ଅବଗତ ନକରି ୨୨୦ କିମି ଦୂରରେ ଥିବା ଝାରସୁଗୁଡ଼ା ଷ୍ଟେସନକୁ ଅବଗତ କରିବା ସହିତ ଶୌଚାଳୟରୁ ଯାତ୍ରୀଙ୍କୁ ବାହାର କରି ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ।

Advertisment

ତେବେ ଟ୍ରେନ୍‌ଟି ଝାରସୁଗୁଡ଼ା ରେଳ ଷ୍ଟେସନରେ ସନ୍ଧ୍ୟା ୭ଟା ୧୫ରେ ପହଞ୍ଚିବା ପରିବର୍ତ୍ତେ ୯ଟା୪୫ରେ ପହଞ୍ଚିଥିଲା। ଏହାରି ଭିତରେ ଅସୁସ୍ଥ ଯାତ୍ରୀଜଣଙ୍କ ଦୀର୍ଘ ୫ ଘଣ୍ଟା ଧରି ଉକ୍ତ ଶୌଚାଳୟ ମଧ୍ୟରେ ହିଁ ବନ୍ଦ ହୋଇ ରହିଯାଇଥିଲେ। ଝାରସୁଗୁଡ଼ା ରେଳ ଷ୍ଟେସନରେ ଟ୍ରେନ୍‌ ପହଞ୍ଚିବା ପରେ ଶୌଚାଳୟରୁ ଯାତ୍ରୀଙ୍କୁ କାଢିବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ଷ୍ଟେସନ କର୍ତ୍ତୃପକ୍ଷ ସାହସ ଜୁଟାଇ ପାରିନଥିଲେ। ଏହି ପ୍ରକ୍ରିୟାରେ ପ୍ରା‌ୟ ୪୫ ମିନିଟ୍‌ ଗଡ଼ି ଯାଇଥିବା ବେଳେ ଜିଆର୍‌ପି ପୁଲିସ୍‌ର ଉପସ୍ଥିତିରେ ଜଣେ ସୁଇପର କବାଟ ଭାଙ୍ଗି ଭିତରେ ପଶିବା ସହିତ ଉକ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ତେବେ କାଳେ ସେ ବଞ୍ଚିଥିବେ ଆଶଙ୍କା କରି ପୁଲିସ୍‌ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଗ୍ରହଣ ଘୋଷଣା କରିଥିଲେ।