ଝାରସୁଗୁଡ଼ା: ଝାରସୁଗୁଡ଼ା ସହର ଉପକଣ୍ଠସ୍ଥ ବେହେରାପାଲିଠାରେ ଥିବା ସୋଲାର୍ ଇଣ୍ଡଷ୍ଟ୍ରିଜ୍ ଇଣ୍ଡିଆ ଲିମିଟେଡ୍ ସ୍ଥାନୀୟ ଲୋକଙ୍କୁ କଲବଲ କରିସାରିଲାଣି। ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହେବା ପରେ ବି କେହି ଏଦିଗରେ କର୍ଣ୍ଣପାତ ନକରିବାରୁ ଅଞ୍ଚଳବାସୀ ବେହେରାପାଲି ମୁଖ୍ୟ ରାସ୍ତା ଅବରୋଧ କରିଥିବା ବେଳେ କମ୍ପାନି ଭିତରକୁ କଞ୍ଚାମାଲ୍ ପରିବହନ ଏକପ୍ରକାର ଠପ୍ ହୋଇଯାଇଥିଲା। ତେବେ ଗତ ୧୬ ତାରିଖ  ସନ୍ଧ୍ୟାରେ କମ୍ପାନି କର୍ତ୍ତୃପକ୍ଷ ଅଞ୍ଚଳବାସୀଙ୍କ ସହ ଏନେଇ ବୈଠକ କରିଥିବା ବେଳେ ବୈଠକରେ କୌଣସି ନିଷ୍କର୍ସ ବାହାରିପାରିନଥିବା ଜଣାପଡ଼ିଛି। ଏସମ୍ପର୍କରେ କମ୍ପାନିର ବିଜୟ କୁମାର ଦୁବେଙ୍କୁ ପଚାରିବାରେ, ଲୋକଙ୍କ ଦାବି ପୂରଣ ହୋଇନଥିବା କଥା ସତ ବୋଲି କହିଥିଲେ। ତେବେ ଆଗକୁ ଉକ୍ତ ଦାବି ପୂରଣ କରାଯିବା ନେଇ ଲୋକଙ୍କୁ ପ୍ରତିଶ୍ରୁତି ଦିଆଯାଇଥିବା ଶ୍ରୀ ଦୁବେ କହିଛନ୍ତି। 

Advertisment

ଲୋକଙ୍କ ଅଭିଯୋଗ ଅନୁସାରେ, ୨୦ ବର୍ଷ ହେବ ଏହି କମ୍ପାନି ବେହେରାପାଲିରେ କାର୍ଯ୍ୟକ୍ଷମ ଥିବା ବେଳେ ଅଞ୍ଚଳବାସୀଙ୍କ ପାଇଁ କିନ୍ତୁ କିଛି କରିନି। ଓଲଟା କମ୍ପାନି ନିଜର ପ୍ରଦୁଷିତ କେମିକାଲ ମିଶା ପାଣି ସିଧାସଳଖ ପୋଖରୀକୁ ଛାଡ଼ି ଦେଉଥିବା ବେଳେ ଲୋକେ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି। କମ୍ପାନିର ଭାରୀଯାନଗୁଡ଼ିକ ଚଳାଚଳ କରିବା ଯୋଗୁ ବେହେରାପାଲି ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ମାତ୍ର କମ୍ପାନି ନିଜର ବରିଷ୍ଠ ଅଧିକାରୀ ଆସିବାର ଥିଲେ ଉକ୍ତ ରାସ୍ତାରେ ଗୋଟିଏ କି ଦୁଇଟି ଟ୍ରିପ୍ ପାଉଁଶ ପକାଇ ଖାଲ ପୋତି ଦେଉଥିବା ବେଳେ ପାଉଁଶ ବୋହିଗଲେ ରାସ୍ତାର ଅବସ୍ଥା ପୂର୍ବବତ୍ ହୋଇଯାଉଛି।

ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ତିଆରି ହୋଇଥିବା ରାସ୍ତାରେ ସର୍ବାଧିକ ୧୦ ଟନ୍ କ୍ଷମତା ବିଶିଷ୍ଠ ଗାଡ଼ି ଯାତାୟତ କରିପାରିବ। କିନ୍ତୁ ଏଠାରେ କମ୍ପାନି ନିଜର ଫାଇଦା ପାଇଁ ଏହି ଗାଁ ରାସ୍ତାରେ ୫୦ ଟନ୍ରୁ ଅଧିକ ଓଜନର ଗାଡ଼ି ଚଳାଚଳ କରୁଛି। ଫଳସ୍ବରୂପ ରାସ୍ତା ଅବସ୍ଥା ଶୋଚନୀୟ ହୋଇଯାଉଛି ଓ ଗ୍ରାମବାସୀଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି।

ପ୍ରଥମତଃ ଜନବସତିକୁ ଲାଗି ବାରୁଦ କାରଖାନା ନିର୍ମାଣ ହେବାର ନିୟମ ନଥିବା ବେଳେ ସୋଲାର କମ୍ପାନି ସବୁ ନିୟମକୁ ଜଳାଞ୍ଜଳି ଦେଇ ଏଠାରେ କମ୍ପାନି ଚଳାଉଛି। ଏଠାରୁ ହେଉଥିବା ପ୍ରଦୁଷଣ ରୋକିବାକୁ ବ୍ୟବସ୍ଥା ହୋଇନଥିବା ବେଳେ କମ୍ପାନି ବନୀକରଣ ବି କରୁନି। କମ୍ପାନି ସ୍ଥାନୀୟ ନିଯୁକ୍ତି ନାମରେ କେବଳ ହାତଗଣତି ଯୁବକଙ୍କୁ ଶ୍ରମିକଶ୍ରେଣୀୟ ନିଯୁକ୍ତି ଦେଇଛି। ତେଣୁ କମ୍ପାନିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବି ନେଇ ଗ୍ରାମବାସୀ ରାସ୍ତାରୋକରେ ବସିଛନ୍ତି। ଯେତେବେଳେ ବି ଗ୍ରାମବାସୀ କମ୍ପାନିର ବିଭିନ୍ନ ସମସ୍ୟା ନେଇ ରାସ୍ତାରୋକ ବା ଧାରଣା ଦିଅନ୍ତି, କମ୍ପାନି କର୍ତ୍ତୃପକ୍ଷ ଆସି ଗ୍ରାମବାସୀଙ୍କୁ ଭୂତେଇ ଆଲୋଚନାର ଏକ ମିନଟ୍ସ ବାହାର କରି ଲୋକଙ୍କୁ ଧରାଇ ଦାବି ପୂରଣ ହେବାର ପ୍ରତିଶ୍ରୁତି ଦେଇଥାନ୍ତି। ମାତ୍ର ରାସ୍ତାରୋକ ହଟିବା ପରେ କମ୍ପାନି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଭୁଲି ଯାଉଥିବା ବେଳେ ଲୋକଙ୍କ ସମସ୍ୟାର ସମାଧାନ ହେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Jharsuguda