ଝାରସୁଗୁଡ଼ାରେ ହେବ ପ୍ଲାଜମା ଥେରାପି : ମନ୍ତ୍ରୀ

ଝାରସୁଗୁଡ଼ା : କରୋନା ରୋଗୀଙ୍କ ଚିକତ୍ସା ପାଇଁ ପ୍ଲାଜମା ଥେରାପି ସଫଳ ହୋଇଥିବା ବେଳେ ଏଥିପାଇଁ ରାଜ୍ୟ ସରକାର କରୋନା ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଠାରୁ ପ୍ଲାଜାମା ସଂଗ୍ରହ କରାଯିବାକୁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜମା ଦାନ କରିବାକୁ ପ୍ରବର୍ତ୍ତାଇବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ ମାନଙ୍କୁ ଦାୟିତ୍ବ ଅର୍ପଣ କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲାକୁ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ମନ୍ତ୍ରୀ ଶ୍ରୀ ବେହେରା ଆଜି ଝାରସୁଗୁଡ଼ା ଆସି ପ୍ଲାଜମା ସଂଗ୍ରହ ଉପରେ ଆଲୋଚନା କରିଛନ୍ତି।

ସ୍ଥାନୀୟ ସର୍କିଟ ହାଉସ୍‌ ଠାରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ଜିଲ୍ଲାରେ କିଭଳି ପ୍ଲଜମା ସଂଗ୍ରହ କରାଯିବା, ଏହା ଏହି ଅଞ୍ଚଳରେ ଥିବା ଅସୁସ୍ଥ ରୋଗୀଙ୍କୁ ଦିଆଯିବ ନା ବାହାର ହସପିଟାଲରେ ଚିକିତ୍ସା କରାଯିବା ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ। ତେବେ ଖୁବ୍‌ଶୀଘ୍ର ଝାରସୁଗୁଡ଼ା ଜିଲ୍ଲାରେ ପ୍ଲାଜମା ସଂଗ୍ରହ ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇ କହିଛନ୍ତି ଯେ, ପ୍ଲାଜମା ସଂଗ୍ରହ ପାଇଁ ସ୍ବତନ୍ତ୍ର ଯନ୍ତ୍ରପାତି ର ଆବାଶ୍ୟକତା ରହିଛି। ଏହି ଯନ୍ତ୍ରପାତି ଅଣାଯାଇ ଏଠାରେ ପ୍ଲାଜମା ସଂଗ୍ରହ କରାଯାଇ ଏହି ଅଞ୍ଚଳର ଗୁରତର ରୋଗୀଙ୍କ ଚିକିତ୍ସାରେ ଏହା ବ୍ୟବହାର କରାଯିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ। ଏ ପର୍ଯ୍ୟନ୍ତ ଜିଲ୍ଲାର ଝାରସୁଗୁଡ଼ାରୁ ୬ ଜଣ ଏବଂ ବ୍ରଜରାଜନଗରରୁ ୭ ଜଣ ମୋଟ  ୧୩ ଜଣ ପ୍ଲାଜମା ଦାନ ପାଇଁ ସମ୍ମତି ଦେଇଥିବା ମନ୍ତ୍ରୀ କହିଥିଲେ। ଏ ନେଇ ଆହୁରି ଆଲୋଚନା କରାଯିବା ସହିତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ଏହି ବୈଠକରେ ବିଧାୟକ କିଶୋର ମହାନ୍ତି, ଜିଲ୍ଲାପାଳ ସରୋଜ ସାମଲ, ଏଡିଏମ୍‌ ପ୍ରଦୀପ ସାହୁ, ସିଡିଏମ୍ଓ ଡା. ଜଗଦୀଶ ଚନ୍ଦ୍ର ବାରିକ, ଡିପିଏମ୍‌ ବୁଲୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର