ଲକ୍‌ଡାଉନ୍‌ ଯୋଗୁଁ ଝାରସୁଗୁଡ଼ା ନିସ୍ତବ୍ଧ, ଲୋକଙ୍କୁ ଗୀତ ଗାଇ ସଚେତନ କଲା ପୁଲିସ  

ଝାରସୁଗୁଡ଼ା: ତ୍ରିପଣ୍ଡ ଖରା ନିସ୍ତବ୍ଧ ରାସ୍ତାରେ ଆଜି ଭାସି ଆସୁଥିଲା ଏକ ସୁମଧୁର ସଂଗୀତ। ଆଉ ଏହି ସଂଗୀତରେ ରହିଥିଲା ମହାମାରୀ କରୋନାକୁ ବୁକାବିଲା କରିବାର ସହଜ ଉପାୟ। ଲକ୍‌ଡାଉନ୍‌ ସମୟରେ ଘରୁ ନ ବାହାରିବାକୁ ବାରମ୍ବାର ଲୋକଙ୍କୁ କହିବା ପରେ ମଧ୍ୟ ଲୋକେ ଅମାନିଆ ହେଉଥିଲେ। ଫଳରେ କିଛି ସ୍ଥାନରେ ପୁଲିସକୁ ବଳ ପ୍ରୟୋଗ କରିବାକୁ ବାଧ୍ୟ କରିଥିଲା। ରାଜ୍ୟରେ ଏଭଳି ଅନେକ ସ୍ଥାନରେ ପୁଲିସ କର୍ମଚାରୀଙ୍କୁ ଅସୁବିଧାରେ ପକାଇଥିବା ବେଳେ କିଛି ପୁଲିସ କର୍ମଚାରୀ ଦଣ୍ଡିତ ହୋଇଥିଲେ। ମାତ୍ର ଝାରସୁଗୁଡ଼ା ପୁଲିସ ଆରକ୍ଷୀ ଅଧିକ୍ଷକ ଅଶ୍ବିନୀ ମହାନ୍ତିଙ୍କ ନେତୃତ୍ବରେ ସାରା ଜିଲ୍ଲାରେ ଲକ୍ଡାଉନ୍ ଶୃଙ୍ଖଳିତ ଭାବରେ ପାଳନ କରାଯାଉଛି। ଏଥିରେ ଜିଲ୍ଲାର ସବୁଥାନାର ଅଧିକାରୀ ଓ କର୍ମଚାରୀ ଦାୟିତ୍ବବାନ ଭାବରେ ତାଙ୍କର କର୍ତ୍ତବ୍ୟ ସଂପାଦନ କରୁଥିବା ସ୍ପଷ୍ଟ ହୋଇଛି।

ଆଜି ଠାରୁ ଝାରସୁଗୁଡ଼ା ସହରରେ ବାଇକ ଚଳାଚଳକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରାଯାଇଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ହେଲେ ନିକଟସ୍ଥ ଦୋକାନରୁ ଜଣେ ଚାଲିଯାଇ କିଣିବାକୁ ପୁଲିସ ଲୋକଙ୍କୁ ଅନୁରୋଧ କରିଥିଲା। ସକାଳ ୬ ଠାରୁ ୧୧ ମଧ୍ୟରେ ଏହି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହୁଛି। ଏହାପରେ ସାରା ସହର ଶୂନଶାନ୍ ହୋଇ ଯାଉଛି । ଯେଉଁ କିଛି ଅଳ୍ପ ଲୋକ ଏହି କଟକଣାକୁ ଅବଜ୍ଞା କରୁଥିଲେ ତାଙ୍କୁ ମଧ୍ୟ ସାବାଡ଼ କରାଯାଇ ସାରିଛି। ଲକ୍‌ଡାଉନ୍‌ ଏଭଳି ପାଳନ କରି ଲୋକେ ଘର ଭିତରେ ରହିଲେ ମହାମାରୀ କରୋନା ଭଳି ମାରତ୍ମକ ରୋଗକୁ ଆମେ ପରାଜୟ କରି ପାରିବା ଏଥିରେ ସଂଦେହ ନାହିଁ ବୋଲି ଲୋକଙ୍କୁ ଝାରସୁଗୁଡ଼ା ପୁଲିସ ସଂଗୀତ ମାଧ୍ୟମରେ ସଚେତନ କରିବାକୁ ପ୍ରୟାସ କରିଥିଲା ଓ ଏଥିରେ ସଫଳ ମଧ୍ୟ ହୋଇଥିବା ଲକ୍ଷ କରାଯାଉଛି।

ଆଜି ପୁଲିସ ପକ୍ଷରୁ ଟାଉନ ଥାନା ହାବିଲଦାର ଦେବେନ୍ଦ୍ର ପଶାୟତ ତାଙ୍କ ସୁମଧୁର କଣ୍ଠରେ ବାଦ୍ୟଯନ୍ତ୍ରର ତାଳେ ତାଳେ ସଂଗୀତ ପରିବେଷଣ କରିଥିବା ବେଳେ ଲୋକେ ଛାତ ଉପରେ ରହି ଏକ ଲୟରେ ଶୁଣିବା ସହିତ ତାଳି ମାରି ପୁଲିସର ମନୋବଳ ବଢ଼ାଇବାକୁ ଉଦ୍ୟମ କରିଥିଲେ। ମୁଖ୍ୟରାସ୍ତା, ଟାଟାଗଳି, ସରବାହାଲ ଏପାର୍ଟମେଣ୍ଟ, ମଙ୍ଗଲବଜାର, ପୁରୁଣାବସ୍ତି ପ୍ରଭୃତି ଅଞ୍ଚଳରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ମାଜିଷ୍ଟ୍ରେଟ୍ ଗୋଲକ ବିହାରୀ ମଙ୍ଗରାଜ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନୃପଚରଣ ଦଣ୍ଡସନା, ଆଇଆଇସି ସାବିତ୍ରୀ ବଳ, ଇନ୍ସପେକ୍ଟର ପବିତ୍ର କିସାନଙ୍କ ସମେତ ବହୁ ପୁଲିସ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର